ସରକାରଙ୍କ ସାବତ ପୁଅ ପାଲଟିଛି କି ପାଟଣା ଅଞ୍ଚଳ ? ବିକାଶ ଦେଖିବାକୁ ବୟସ ନଥିବା ବରିଷ୍ଠଙ୍କ ମତ

ପାଟଣା :  ସରକାର ଙ୍କ ସାବତ ପୁଅ ପାଲଟିଛି କି ପାଟଣା ଅଞ୍ଚଳ । ଏପରି ଆଶଙ୍କା କରିଛନ୍ତି ବରିଷ୍ଠ ବୁଦ୍ଧିଜୀବୀ ମାନେ। ସେମାନଙ୍କ ଜୀବ ଦଶା ରେ ଯାହା ଯାହା ଅଞ୍ଚଳ ପାଇଁ ଆଶା କରିଥିଲେ ତାହା ନିକଟ ଭବିଷ୍ୟତ ରେ ପୂରଣ ହେବ କି ନାହିଁ ଏଭଳି ଆଶଙ୍କା କରି ବିକାଶ ଦେଖିବାକୁ ଅଧିକାଂଶଙ୍କର ବୟସ ନାହିଁ ବୋଲି ଅନେକ ବରିଷ୍ଠ ବୁଦ୍ଧିଜୀବୀ ମତ ରଖିଥିବାରୁ ବିକାଶ କ୍ଷେତ୍ର ରେ ବାଧକ କିଏ ସେମାନେ ଏହାର ଉତ୍ତର ଦେଇ ପାରୁନାହାନ୍ତି । ଯେଉଁ ବ୍ଲକ ଅଞ୍ଚଳରେ ବିଶ୍ଵର ଅଗ୍ରଣୀ ଇସ୍ପାତ ସଂସ୍ଥା ଆର୍ସେଲର ମିତଲ ବୃହତ୍ ଇସ୍ପାତ ଶିଳ୍ପ ସ୍ଥାପନ କରିବା ଲକ୍ଷ୍ୟ ରଖିଥିଲା ସେହି ପାଟଣା ବ୍ଲକ ରେ ଏବେ ବୃହତ୍ ଶିଳ୍ପ ତ ଦୂରର କଥା ନାମ ମାତ୍ର କେତୋଟି ପଥର ଭଙ୍ଗା କ୍ରସର୍, ଫ୍ଲାଏ ଆଶ ଇଟା କାରଖାନା , ବ୍ରଏଲର ଫାର୍ମ , ଛୋଟ ଛୋଟ ପାଉଁରୁଟି କାରଖାନା ଓ ଗୋଟିଏ ଲେମନ୍ ଗ୍ରାସ ତେଲ ଉତ୍ପାଦନ କେନ୍ଦ୍ର ଭଳି ଆଙ୍ଗୁଠି ଗଣତି ଶିଳ୍ପ ମଧ୍ୟରେ ପାଟଣା ଅଞ୍ଚଳ ବିକାଶ ଖୋଜୁଥିବା ଦେଖାଯାଉଛି।
ସେହିପରି ଅଞ୍ଚଳର ଜନସାଧାରଣଙ୍କ ପାଇଁ ସରକାରୀ ଓ ସାଧାରଣ ଲୋକଙ୍କ ପାଇଁ ପାଟଣାରେ ସବ ରେଜେଷ୍ଟ୍ରି କାର୍ଯ୍ୟଳୟ , ସବ ଟ୍ରେଜେରି କାର୍ଯ୍ୟଳୟ ଓ ଜେଏମଏଫସି କୋର୍ଟ ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ସ୍ୱର ଉଠାଇ ଆସୁଥିବା ବେଳେ ଏହି ପ୍ରମୁଖ ଆବଶ୍ୟକତା ପ୍ରତି ସରକାର ଅଣଦେଖା କରିଆସୁଥିବା ସ୍ପଷ୍ଟ ହୋଇଗଲାଣି। ଏହି ସବୁ ପ୍ରମୁଖ ସରକାରୀ ଦପ୍ତର କେବଳ ପାଟଣା ବ୍ଲକ ଅଞ୍ଚଳବାସୀ ନୁହେଁ ପାଟଣା ନିର୍ବାଚନ ମଣ୍ଡଳୀର ଦୁଇ ପ୍ରମୁଖ ବ୍ଲକ ପାଟଣା ଓ ସାହରପଡା ଅଞ୍ଚଳବାସୀଙ୍କ ବହୁ ବିଧ ଆବଶ୍ୟକତା ପୂରଣ କରି ପାରୁନାହିଁ ବୋଲି ଅଞ୍ଚଳବାସୀ ମତ ରଖିଥିବା ବେଳେ ସରକାରଙ୍କ ପକ୍ଷରୁ ଏ ଦିଗରେ ପାଦ ଟିଏ ଆଗକୁ ନବଢିବା ସାଧାରଣ ଲୋକ ଙ୍କ ପାଇଁ ଚିନ୍ତାର କାରଣ ହୋଇ ରହୁଛି । ସେହିପରି ପାଟଣା ମୁଖ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟିଏ ଥିଲେ ମଧ୍ୟ ଏଠାରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ନରହିବା  ଚିନ୍ତାର କାରଣ ହୋଇଛି । ଏଠାରେ ମୋଟ ୧୨ ଜଣ ଡାକ୍ତର ରହିବା ଜାଗାରେ ଏବେ ୨ ଜଣ ସ୍ଥାୟୀ ଡାକ୍ତରଙ୍କୁ ମିଶାଇ ମୋଟ ୬ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ଏହି ଡାକ୍ତରଖାନା ଉପରେ ପାଟଣା , ସାହାରପଡା ଓ ଘଟଗାଁ ବ୍ଲକ ଅଞ୍ଚଳର ପାଖା ପାଖି ଦେଢ଼ ଲକ୍ଷ ଲୋକ ଭରସା ରଖୁଥିବା ବେଳେ ଡାକ୍ତରଖାନାରେ ଡାକ୍ତର ଙ୍କ ସଂଖ୍ୟା କମ୍ ଥିବା ସହ ମାତ୍ର ୨୦ ଟି ଅନ୍ତଃବିଭାଗ ଶଯ୍ୟା ଥିବାରୁ ରୋଗୀଙ୍କୁ ଜିଲା ମୁଖ୍ୟାଳୟକୁ ପଠାଇ ବାକୁ ପଡୁଛି। ଏହି ବ୍ଲକ ଅଞ୍ଚଳ ଦେଇ ୪୯ ନମ୍ୱର୍ ଓ ୨୨୦ ନମ୍ୱର୍ ଜାତୀୟ ରାଜପଥ ସହ ବହୁ ପ୍ରଧାନମନ୍ତ୍ରୀ ସଡ଼କରେ ଦୁର୍ଘଟଣା ଗ୍ରସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ବିଶେଷଜ୍ଞ ଡାକ୍ତର ଏଠାରେ ନଥିବାରୁ ବାଧ୍ୟ ହୋଇ ଦୁର୍ଘଟଣା ଗ୍ରସ୍ତଙ୍କୁ କେନ୍ଦୁଝର କଟକ ଡାକ୍ତରଖାନା ପଠାଯାଉଛି । ଏପରିକି ଏଠାରେ କୁକୁର କାମୁଡ଼ା ଇଞ୍ଜେକସନ ଟିଏ ମଧ୍ୟ ଗଚ୍ଛିତ ନଥିବା ଜଣାପଡିଛି । ପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିବାରୁ ଏଠାକୁ ପାଟଣା, ଘଟଗାଁ ଓ ସାହାରପଡା ବ୍ଲକ ଅଞ୍ଚଳ ରେ ଘଟୁଥିବା ବିଭିନ୍ନ ପ୍ରକାର ର ଅପମୃତ୍ୟୁ , ଦୁର୍ଘଟଣା ଜନିତ ମୃତକଙ୍କ ବ୍ୟବଚ୍ଛେଦ ପାଇଁ ମରଶରୀର ଆସୁଥିବା ବେଳେ ପାଟଣା ଡାକ୍ତରଖାନାର ଆବଶ୍ୟକତା ପୂରଣ କ୍ଷେତ୍ରରେ କାଳ​କ୍ଷେପଣ ନୀତି ଜନସାଧାରଣ ଙ୍କୁ ବିଭିନ୍ନ ପ୍ରକାରରେ ଅସୁବିଧା ରେ ପକାଉଛି। ଅଞ୍ଚଳ ର ଦୁର୍ବଳ ନେତୃତ୍ୱ ହେଉକି ସରକାରୀ ଅବହେଳା ହେଉ ପାଟଣା ର ସର୍ବାଙ୍ଗୀନ ବିକାଶ ବାଧାପ୍ରାପ୍ତ ହୋଇ ଆସୁଛି । ବିଳମ୍ବରେ ହେଉ ପଛେ ଜଣେ ଯୁବ ବିଧାୟକ ପାଟଣା ନିର୍ବାଚନ ମଣ୍ଡଳୀର ନେତୃତ୍ୱ ନେଇଥିବାରୁ ଏହି ସବୁ ସମସ୍ୟା ର ସମାଧାନ କ୍ଷେତ୍ର ରେ ଉଦ୍ୟମ ନକଲେ ସେମାନଙ୍କ ଜୀବ ଦଶା ରେ ବିକଶିତ ପାଟଣା ଅଞ୍ଚଳ ସେମାନଙ୍କ ପାଇଁ ସ୍ବପ୍ନ ହୋଇଯିବ ବୋଲି ବରିଷ୍ଠ ବୁଦ୍ଧିଜୀବୀ ଇଂ ବିଦ୍ୟାଧର ଦାଶ , ଲକ୍ଷ୍ମଣ କୁମାର ଦାଶ, ଅଜୟ କୁମାର ଦାଶ , ବିଦ୍ୟାଧର ମହାନ୍ତ , ଅରୁଣ କୁମାର ମିଶ୍ର ଓ ଯତୀନ୍ଦ୍ର କୁମାର ଦାଶ ପ୍ରମୁଖ ବହୁ ବରିଷ୍ଠ ନାଗରିକ ମତ ରଖିଛନ୍ତି।

Comments are closed.