ଅଧା ରହିଗଲା ଦ୍ୱିତୀୟ କୋଣାର୍କର ସ୍ବପ୍ନ ; ଚାଲିଗଲେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ

୧୫ ଜୁଲାଇ ୨୦୧୮ ରେ ସମାଜ ‘ପୋର୍ଟାଲ’ରେ ପ୍ରକାଶିତ ରଘୁନାଥ ମହାପାତ୍ରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ରାଜ୍ୟସଭା ସାଂସଦ ତଥା ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ପରଲୋକ ଘଟିଛି। କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ବର ଏମ୍ସରେ  ଚିକିତ୍ସିତ ହେଉଥିଲେ। ରବିବାର ଅପରାହ୍ଣରେ ୭୮ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ରଘୁନାଥ ମହାପାତ୍ରଙ୍କ ପରଲୋକ ସହ ଦ୍ୱିତୀୟ କୋଣାର୍କର ସ୍ବପ୍ନ ଅଧା ରହିଯାଇଛି।
(ଦ୍ୱିତୀୟ କୋଣାର୍କର ସ୍ବପ୍ନ ଦେଖୁଥିବା ରଘୁନାଥ ମହାପାତ୍ରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ୨୦୧୮ ଜୁଲାଇ ୧୫ରେ ସମାଜ ‘ପୋର୍ଟାଲ’ରେ ପ୍ରକାଶିତ ହୋଇଥିଲା। ଏହାକୁ ପୁଣିଥରେ ଅପଣମାନଙ୍କ ପାଖରେ ଉପସ୍ଥାପିତ କରୁଛୁ।)
ଦ୍ୱିତୀୟ କୋଣାର୍କର ସ୍ବପ୍ନ ସାକାର ହେବ : ରଘୁନାଥ ମହାପାତ୍ର
ରଘୁନାଥ ମହାପାତ୍ର  ଓଡ଼ିଶାରେ ଦ୍ୱିତୀୟ କୋଣାର୍କ ନିର୍ମାଣ ପ୍ରସ୍ତାବର ପ୍ରବକ୍ତା । ୭୫ ବର୍ଷ ବୟସ୍କ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ପଥରର ନିଖୁଣ କାରୁକାର୍ଯ୍ୟ କ୍ଷେତ୍ରରେ ବେଶ୍‍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସତେଯେମିତି ପଥରକୁ ଜୀବନ ଦେବାରେ ସେ ସିଦ୍ଧହସ୍ତ। ପାରମ୍ପରିକ କଳା ସଂସ୍କୃତି ଆଧାରରେ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଓ ସଂରକ୍ଷଣ ତଥା ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ସେ ନିପୂଣତା ହାସଲ କରିଛନ୍ତି। ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ବହୁ ସମ୍ମାନ ଓ ପୁରସ୍କାର ବିଜୟୀ ଶ୍ରୀ ମହାପାତ୍ରଙ୍କ ଦ୍ୱାରା କାଠ ନିର୍ମିିତ ବୁଦ୍ଧ ମୂର୍ତ୍ତି ଫ୍ରାନ୍ସର ପ୍ୟାରିସରେ ଓ ସଂସଦର କେନ୍ଦ୍ରୀୟ ହଲରେ ଶୋଭା ପାଉଥିବା ବାଲି ପଥରରେ ନିର୍ମିତ ୬ଫୁଟ ଉଚ୍ଚର ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୁଇଟି ଢୋଲଲପୁରୀ ପ୍ରସ୍ତର ଲ୍ୟାମ୍ପ, କଲକାତା ପାର୍କଷ୍ଟ୍ରୀଟ୍‍ର ସୁସଜ୍ଜିତ ସେଣ୍ଟ୍ରାଲ ସର୍କଲ, ଦୁର୍ଗ, ହରିୟାଣାର ସୂରଜକୁଣ୍ଡର ୧୫ ଫୁଟିଆ ମୁକ୍ତେଶ୍ୱର ଗେଟ୍‍ ଆଦି ରଘୁନାଥଙ୍କ ଭାସ୍କର୍ଯ୍ୟର ଅନନ୍ୟ ଓ ଅନୁପମ କୀର୍ତ୍ତି। ସଂପ୍ରତି ସେ ଓଡ଼ିଶା ଳଳିତକଳା ଏକାଡେମୀର ସଭାପତି ରହିଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୧୪ ତାରିଖରେ ଯେଉଁ  ୪ ଜଣ ପ୍ରତିଭାଧରଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ତଥା ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ ଓ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଓଡ଼ିଶାରୁ କେହି ରାଜ୍ୟସଭାକୁ ମନୋନୀତ ହେବା ଏହା ପ୍ରଥମ ଘଟଣା।

ପୁରୀର  ଶ୍ରୀମନ୍ଦିର ଭଳି ବାଲେଶ୍ୱରରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିବା ବିଖ୍ୟାତ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଆଉ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି। ଏହି ନୂତନ ମନ୍ଦିରିର ନାମ ହେବ ଆଦିତ୍ୟ ନାରାୟଣ ମନ୍ଦିର। ଅବିକଳ କୋଣାର୍କ ଭଳି ଦେଖାଯାଉଥିବା ମନ୍ଦିର ନିର୍ମାଣ କରିବା ନେଇ ତାଙ୍କର ପରିକଳ୍ପନା ସାକାର ରୂପ ନେବାକୁ ଯାଉଛି।  ସାକ୍ଷୀଗୋପାଳରେ ଏହି ଆଦିତ୍ୟ ନାରାୟଣ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ  ଭୂମିପୂଜନ ସମ୍ପନ୍ନ ହୋଇଛି। ଶ୍ରୀ ମହାପାତ୍ର କହିଛନ୍ତି ଏହା ଏଭଳି ଏକ ଐତିହ୍ୟ ହେବ, ବିଶ୍ୱର ପର୍ଯ୍ୟଟକମାନେ ଏହାକୁ ନ ଦେଖି ରହି ପାରିବେ ନାହିଁ। ଶ୍ରୀ ମହାପାତ୍ର କହନ୍ତି କି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କେବଳ ରଥଯାତ୍ରାରେ ହିଁ ୧୫ ଲକ୍ଷରୁ ଅଧିକ ଲୋକ ପୁରୀ ଆସି ଥାଆନ୍ତି। ଏହି ମନ୍ଦିରର ନିର୍ମାଣ ଶେଷ ହେବା ପରେ ସେହି ସଂଖ୍ୟା କେତେ ବଢିଯିବ ତାହା କହି ହେବ ନାହିଁ। ମହାପ୍ରଭୁଙ୍କ ଇଛା ଅଛି, ମନ୍ଦିର ନିର୍ମାଣ ଆରମ୍ଭ ହେବ ତ ଶେଷ ହିଁ ହେବ।

 ଶ୍ରୀ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ ସମାଜ ସମ୍ପାଦକୀୟ ଉପଦେଷ୍ଟା ତଥା ସମାଜ ପୋର୍ଟାଲର ମୁଖ୍ୟ ମହେଶ ଶର୍ମା… ଉପସ୍ଥାପନା – ଅମୂଲ୍ୟ କୂମାର ହୋତା

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସହିତ ସାକ୍ଷାତକାରର ପ୍ରମୁଖ ଅଂଶ….

ପ୍ରଶ୍ନ : କୋଣାର୍କ ମନ୍ଦିର ଭଳି ମନ୍ଦିର ନିର୍ମାଣ କରିବାର ଚିନ୍ତା କିପରି ଆସିଲା?
ଉତ୍ତର : ଶିଳ୍ପକଳାରେ କିଛି ନୂତନ କରିବାର ପ୍ରେରଣା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରୁ ମିଳିଛି।
କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିରର ବହୁସ୍ତରୀୟ ରକ୍ଷଣାବେକ୍ଷଣ ଅଭାବରୁ ପୂର୍ବରୁ ଏହାର ଯେପରି ଆକର୍ଷଣ ଥିଲା ଏବେ ସେଭଳି ନାହିଁ। ୟୁନିସ୍କୋଠାରୁ ମିଳିଥିବା ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରତ୍ୟାହାର କରିନେବାର କଳ୍ପନା-ଜଳ୍ପନା କରାଯାଉଛି। ମୋତେ ଲାଗିଲା କି ଏକ ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେବା ଦରକାର। ବାସ୍‌ ପ୍ରୟାସ ଆରମ୍ଭ ହୋଇଯାଇଛି।
ପ୍ରଶ୍ନ : ଏହି ପରିକଳ୍ପନାକୁ ସାକାର କରିବା ପାଇଁ କେତେ ଜମି ଦରକାର ଏବଂ ଆପଣଙ୍କର କ’ଣ ଯୋଜନା ଅଛି?
ଉତ୍ତର : ପ୍ରସ୍ତାବିତ ମନ୍ଦିରକୁ ବିଶ୍ୱ ବିଖ୍ୟାତ ଭବ୍ୟତା ପ୍ରଦାନ କରିବା ପାଇଁ ୧୦୦ ଏକର ଜମିର ଆବଶ୍ୟକତା ରହିଛି। ଏ ପର୍ଯ୍ୟନ୍ତ ୮୨ ଏକର ଜମି ଯୋଗାଡ ହୋଇଯାଇଛି। ଶୀଘ୍ର ଭୂମି ପୂଜା କରାଯିବ। ଏ ପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇ ନାହିଁ। ବହୁତ ବଡ଼ ପ୍ରକଳ୍ପ। ପାଖାପାଖି ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ।( ଟଙ୍କା ଯୋଗାଡର ପ୍ରଶ୍ନକୁ ସେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସବୁକିଛି ଛାଡି ଦିଆଯାଇଛି ବୋଲି କହି ଏଡାଇ ଦିଅନ୍ତି)
ପ୍ରଶ୍ନ : କିନ୍ତୁ ଏଥି ପାଇଁ ଧନର ଉତ୍ସ କ’ଣ? ଆଉ କାରିଗର….
ଉତ୍ତର : ଦେଖନ୍ତୁ ମୁଁ ମୋ ସାରା ଜୀବନର ରୋଜଗାର ଲଗାଇ ଦେଇଛି। ଉତ୍ସ ତିଆରି ହୋଇ ଚାଲିଛି। ମୋର ବିଶ୍ୱାସ ଅଛିି କି ନିଜର ଉଦ୍ଦେଶ୍ୟ ଠିକ୍‌ ରହିବ ତ ଉତ୍ସର ଅଭାବ ନାହିଁ। ଆହୁରି ତିନୋଟି ବଡ଼ ବଡ଼ ପ୍ରକଳ୍ପ ଚାଲୁ ରହିଛି ଯାହାର କାମ ଏହି ସାକ୍ଷୀଗୋପାଳରୁ ହିଁ ହେବ। ମୋ ପାଖରେ ୫୦୦ ଲୋକଙ୍କର ଦଳ ଅଛି ଯେଉଁମାନେ ମୋ ନିରିକ୍ଷଣରେ ଏଠାରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ନୂତନ କୋଣାର୍କ ମନ୍ଦିର ନିର୍ମାଣର ସ୍ୱପ୍ନ କିଛି ନୂଆ ନୁହେଁ କିନ୍ତୁ ଜୀବନ୍ୟାସ ଦେବାର ସମୟ ଏବେ ଆସିଛି।
ପ୍ରଶ୍ନ : କିନ୍ତୁ କୋଣାର୍କ ଭଳି ଦୁର୍ଲଭ ଐତିହ୍ୟ ତ ପ୍ରଥମରୁ ଅଛି ପୁଣି ଦ୍ୱିତୀୟ ମନ୍ଦିର ନିର୍ମାଣ କାହିଁକି?
ଉତ୍ତର : ଦୁର୍ଲଭ ଐତିହ୍ୟକୁ ଅନନ୍ତକାଳ ପର୍ଯ୍ୟନ୍ତ ଜୀବନ୍ତ ରଖିବା ପାଇଁ ଏଭଳି ପ୍ରୟାସ ହେବା ଦରକାର। ସମୁଦ୍ର କୂଳ ହୋଇଥିବା କାରଣରୁ ଐତିହ୍ୟର ଜୈବିକ କ୍ଷରଣ ହେବା ସୁନିଶ୍ଚିତ। ଲୋକ ଜାଣିଛନ୍ତି ସୂର୍ଯ୍ୟ ମନ୍ଦିରକୁ ରକ୍ଷା କରିବା ପାଇଁ କି କି କୌଶଳ ବ୍ୟବହାର କରାଯାଉଛି। ଭବିଷ୍ୟତ ପିଢୀକୁ ଲାଗିବା ଦରକାର ଯେ ତାଙ୍କ ପୂର୍ବପୁରୁଷ ମାନେ ଓଡ଼ିଶାରେ ଦୁର୍ଲଭ ବୋଲି କୁହାଯାଉଥିବା ମନ୍ଦିରର ନିର୍ମାଣ କରିଥିଲେ, ତାହା କିପରି ଥିଲା, ତାହାର କଣ ବିଶେଷତ୍ୱ ଥିଲା। ମୁଁ ନିର୍ମାଣରେ ନିଶ୍ଚିତ ପରିବର୍ତ୍ତନ ସପକ୍ଷରେ ଅଛି କିନ୍ତୁ ମୂଳ ପରିଚୟ ଅତୁଟ ରହିବା ଦରକାର।
ପ୍ରଶ୍ନ : ତଥାପି କ’ଣ ପ୍ରତିବନ୍ଧକ ଅଛି? ସରକାର ସହଯୋଗ କରୁଛନ୍ତି କି ?
ଉତ୍ତର : ମହାପ୍ରଭୁଙ୍କ କୃପା ଅଛି ତ ସମସ୍ତ ପ୍ରତିବନ୍ଧକ ଦୂର ହୋଇଯିବା ଭଳି ଲାଗିଥାଏ। ମୁଁ କୋଣାର୍କ ମନ୍ଦିରର ଅବିକଳ ଦିଶିବା ଭଳି ଦ୍ୱତୀୟ ଥର ନିର୍ମାଣ କରୁଛି। ସେଠାରେ ଦ୍ୱାରର ନମୂନା ( ନିଜ ୱାର୍କ ସପ୍‌ରେ ଦେଖାଇ) ତିଆରି ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଭୁବନେଶ୍ୱର ୱାର୍କ ସପ୍‌ ଦେଖିବାକୁ ଆସିଥିଲେ। ସେ ଦେଖିଛନ୍ତି ଓ ପ୍ରଶଂସା ମଧ୍ୟ କରିଛନ୍ତି। ମନ୍ଦିର ଆଦିର ନିର୍ମାଣପାଇଁ ସରକାର ଆର୍ଥିକ ସହଯୋଗ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦି ମହାଶୟଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ସହିତ ସାକ୍ଷାତ କରି ସାରିଛି। ତାଙ୍କୁ ଏକ ରିପୋର୍ଟ ଦେଇ ସାରିଛି। ଏବେ ଜମି ମିଳିବାରେ କିଛିି ଅସୁବିଧା ହେଉଛି। ଲୋକମାନେ ଦର ବଢାଇ ଦେଇଛନ୍ତି।
ପ୍ରଶ୍ନ : କୃଷକମାନଙ୍କଠାରୁ ଜମି ନେଉଛନ୍ତି ?
ଉତ୍ତର : ଅଧିକାଂଶ ଜମି ସେହିମାନଙ୍କର ଯେଉଁମାନେ ଓଡ଼ିଶା ଛାଡି ସାରିଛନ୍ତି ଆଉ ସେମାନଙ୍କ ପୂର୍ବ ପୁରୁଷ ଏଠାରେ ଜମି କିଣିଥିଲେ। ଉପଯୁକ୍ତ ମୂଲ୍ୟ ଦିଆଗଲା ତ ଜମି ମିଳିବାରେ ଲାଗିଲା। ଏହିପରି ୮୨ ଏକରର ଜମି ଯୋଗାଡ ହୋଇଛି। ସରକାରଙ୍କ ସହିତ ପୁରୀ-କୋଣାର୍କ ମାରାଇନ ଡ୍ରାଇଭ ମଧ୍ୟରେ କିଛି ଜମି ପାଇଁ କଥାବାର୍ତ୍ତା ହୋଇଥିଲା କିନ୍ତୁ କଥା ସ୍ଥିର ହୋଇ ପାରିଲା ନାହିଁ। ( ପ୍ରସ୍ତାବିତ ପ୍ରକଳ୍ପର ନକ୍ସା ଦେଖାଇ) ଏହି ଭବ୍ୟତା ଦେବା ପାଇଁ ଅଧିକ ଜମି ଲାଗିବ। ୧୦୦ ଏକର ଜମି ଏବଂ ୬୦୦ କୋଟି ଅର୍ଥ…ରେ ସମ୍ପୂର୍ଣ୍ଣ ହେବ। ଏହା ମୋର ବିଶ୍ୱାସ ଅଛି। ନକ୍ସା ସରକାରୀ ବିଭାଗରେ ଶୀଘ୍ର ଦାଖଲ କରିବୁ।
ପ୍ରଶ୍ନ : ଆଦିତ୍ୟ ନାରାୟଣ ମନ୍ଦର ନାମ କାହିଁକି ରଖିଲେ ?
ଉତ୍ତର : କିଛି ନୂତନ ପରିଚୟ ଦେବା ଦରକାର। ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ କରିବା ପାଇଁ କିଛି ନା କିଛି ନୂଆ ହେବା ଦରକାର। କ’ଣ ଏହି ନାମ ଅପଣଙ୍କୁ ଭଲ ଲାଗୁନାହିଁ (ମୁଁ ହଁ କହିବା ପରେ ହସିଦେଲେ) ।

ଦ୍ୱିତୀୟ କୋଣାର୍କର ଭୂମିପୂଜନ

ପୁରୀ-ଭୁବନେଶ୍ୱର ରାସ୍ତା ସାକ୍ଷିଗୋପାଳଠାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ  ଭୂମିପୂଜନ ସମ୍ପନ୍ନ ହୋଇଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ତାଙ୍କର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୦୦ ଏକରରେ ଏହି ମନ୍ଦିର ତୋଳାଯିବ। ଆଦିତ୍ୟ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ନାମରେ ଆଦିତ୍ୟ ନାରାୟଣ ମନ୍ଦିର ତୋଳିବାର ସ୍ୱପ୍ନ ସାକାର କରିବାକୁ ଯାଉଛନ୍ତି ଶ୍ରୀ ମହାପାତ୍ର। ବର୍ଷା ପରେ ମନ୍ଦିର ତୋଳା କାର୍ଯ୍ୟ ଆରମ୍ଭ ହେବ। ମନ୍ଦିର ତୋଳିବା ପାଇଁ ୬୦୦ କାରିଗର ନିୟୋଜିତ ହେବେ। ଏହି ମନ୍ଦିର ବେଢ଼ାରେ କୋଣାର୍କ ଶୈଳୀରେ ଦ୍ୱିତୀୟ କୋଣାର୍କ ମନ୍ଦିର ଗଢ଼ାଯିବା ସହିତ ଓଡ଼ିଶାର ପ୍ରସିଦ୍ଧ ରାଜାରାଣୀ ମନ୍ଦିର, କୋଣାର୍କର ଛାୟାମନ୍ଦିର ଶୈଳୀରେ ଅମ୍ବିକା ମନ୍ଦିର, ପୁରୁଣାଭୁବନେଶ୍ୱରର ତିନି ମୁଣ୍ଡିଆ ଛକରେ ଥିବା ବୈତାଳ ମନ୍ଦିର ଓ ବ୍ରହ୍ମେଶ୍ୱର ଛକରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ଆଦି ନିର୍ମାଣ ଯୋଜନା ରଖିଛନ୍ତି।

କିଛି ବିଶେଷ କଥା…

ସମୁଦ୍ର କୂଳ ହୋଇଥିବାରୁ ଦୁର୍ଲଭ ଐତିହ୍ୟ ପାଇଁ ଜଳବାୟୁ ଏବଂ ଲୁଣି ପାଣି, ପବନ ଜୈବ କ୍ଷରଣର କାରଣ ହୋଇ ଯାଇଥାଏ। ଆଉ ପ୍ରକୃତ ମନ୍ଦିର ସହିତ ଏହା ମଧ୍ୟ ହୋଇଛି।
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୧୯୦୧ ମସିହାରୁ ମୂର୍ତ୍ତି ନାହିଁ।
ବାସ୍ତବରେ ଜୈବ କ୍ଷରଣରୁ ମନ୍ଦିରକୁ ବଞ୍ଚାଇବା ପାଇଁ ତତ୍କାଳୀନ ଗର୍ଭନର ଜର୍ଜ ବୁଡନ ଗର୍ଭ ଗୃହରେ ବାଲି ଏବଂ ଇଟା ଭର୍ତ୍ତି କରି ପାଚେରୀ ଉଠାଇ ଦେଇଥିଲେ। ଏହି କାମ ପାଇଁ ତାଙ୍କୁୁ ତିନି ବର୍ଷ ଲାଗିଥିଲା।
ଜଗମୋହନରେ ସୂର୍ଯ୍ୟ ଦେବତାଙ୍କର ବାଳ ରୂପର ୩.୫ ଫୁଟ, ଯୁବାବସ୍ଥାର ୯.୫ ଫୁଟ ତଥା ପ୍ରୌଢ ଅବସ୍ଥାର ୩.୫ ଫୁଟ ଉଚ୍ଚ ମୂର୍ତ୍ତିର ଚାରିପଟେ ପ୍ରାଚୀର ତିଆରି କରିଦେଲେ।
ଏବେ ତ କେବଳ ଭାଙ୍ଗି ଯାଇଥିବା ଢାଞ୍ଚା ରହିଛି। ବାଲି ଏବଂ ଇଟା ହଟାଇବା ଓ ପ୍ରତିମା ସ୍ଥାପିତ କରିବାକୁ ନେଇ କେତେ କର୍ମଶାଳା ହୋଇଛି କିନ୍ତୁ ଏହା ଉପରେ କଥା ଆଗେଇ ପାରି ନାହିଁ।
ପୁରୁଣା ମନ୍ଦିରରେ ସୂର୍ଯ୍ୟଙ୍କ ରଥର ଗୋଟିଏ ମାତ୍ର ଘୋଡା ରହିଛି।
ଆଦିତ୍ୟ ନାରାୟଣ ମନ୍ଦିରରେ କୋଣାର୍କର ପରିଚୟ ସୃଷ୍ଟି କରିଥିବା ରଥର ଚକ ଆକର୍ଷକ ଢଙ୍ଗରେ ତିଆରି କରାଯିବ।
ତିନୋଟି ମଣ୍ଡପକୁ ନେଇ ଜଗମୋହନ ତିଆରି ହେବ। ପ୍ରବେଶ ଦ୍ୱାରରେ ଦୁଇଟି ସିଂହ ହାତୀଙ୍କ ଉପରେ ଆକ୍ରମକ ରୂ
ପରେ ରକ୍ଷା ପାଇଁ ତତ୍ପର ହୋଇଥିବା ଦେଖାଦେବେ। ସେମାନଙ୍କର ଆକାର ସ୍ଥିର ହେବା ବାକି ଅଛି।
ନାଟ୍ୟଶାଳା ମଧ୍ୟ ତିଆରି ହେବ। ତତ୍‌ ସହିତ ମାନବ, ଦେବ, ଗନ୍ଧର୍ବ, କିନ୍ନର,ଆଦିଙ୍କର ମଧ୍ୟ ପ୍ରତିମୂର୍ତ୍ତି ମଧ୍ୟ ବିଭିନ୍ନ ମୁଦ୍ରାରେ ରହିବ।
ନବଗ୍ରହ ବାଟିକାର ନିଜର ଭିନ୍ନ ମହତ୍ୱ ରହିବ। ନିଜର ବିଶିଷ୍ଟ କଳାକୃତି ଏବଂ ଇଂଜିନୟରିଂ ପାଇଁ ପ୍ରସିଦ୍ଧ ଏହି ମନ୍ଦିରକୁ ପର୍ଯ୍ୟଟକମାନେ ଅଧା ହିଁ ଦେଖିଛନ୍ତି। କିନ୍ତୁ ନୂତନ ମନ୍ଦିରରେ ପୂର୍ଣ୍ଣ ରୂପରେ ଦର୍ଶନ କରିବେ।

ରଘୁନାଥ ମହାପାତ୍ର ; ଏକ ସଂକ୍ଷିପ୍ତ ପରିଚୟ

ତାଙ୍କର କଳା ହେଉଛି ଇଶ୍ୱରୀୟ ଚମତ୍କାର। ୧୯୪୩ ମସିହା ୨୩ ମାର୍ଚ୍ଚରେ ପୁରୀରେ ଜନ୍ମିତ ରଘୁନାଥ ମହାପାତ୍ର ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଛନ୍ତି । ପରେ ମୂର୍ତ୍ତି ତିଆରି କରୁଥିବା ନିଜ ଅଜାଙ୍କ ପାଖକୁ ଚାଲି ଆସିଥିଲେ। ୧୯୭୬ରେ ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲୀ ଅହମ୍ମଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପୁଣି ୨୦୦୧ରେ ପଦ୍ମଭୂଷଣ ଏବଂ ୨୦୧୩ରେ ଶ୍ରୀ ମହାପାତ୍ର ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ। ୨୦୦୦ରେ ତାଙ୍କୁ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ସଦସ୍ୟ ଭାବେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ମନୋନିତ କରାଯାଇଥିଲା। ସେ ଜଣେ ବରିଷ୍ଠ ପ୍ରଶିକ୍ଷକ ଏବଂ ହସ୍ତଶିଳ୍ପ ପ୍ରଶିକ୍ଷକ ଏବଂ ଡିଜାଇନ କେନ୍ଦ୍ରର ଅଧୀକ୍ଷକ ଭାବେ ଓଡ଼ିଶା ସରକାରଙ୍କ ଅଧିନରେ ୧୯୬୩ରୁ କାର୍ଯ୍ୟ କରିଛନ୍ତି। ଏହି ସମୟରେ ମୂର୍ତ୍ତିକଳା ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

Comments are closed.