ଡିଆରଡିଓ ଗୁପ୍ତତଥ୍ୟ ପ୍ରଘଟ ଘଟଣା : ଜିମା ସରିଲା,କାରାଗାର ଗଲେ ୫ଅଭିଯୁକ୍ତ

କଟକ : ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ରୁ ଗୁପ୍ତତଥ୍ୟ ପ୍ରଘଟ ଘଟଣାରେ ଗିରଫ ୫ଅଭିଯୁକ୍ତଙ୍କ ଜିମା ଅବଧି ଶେଷ ହେବା ପରେ ଶୁକ୍ରବାର ବାଲେଶ୍ବର କାରାଗାରକୁ ଫେରିଯାଇଛନ୍ତି। ପ୍ରାୟ ୭ଦିନଧରି ଅଭିଯୁକ୍ତଙ୍କୁ ପଚରାଉଚରା ପରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ତଦନ୍ତ ଅଧିକାରୀଙ୍କ ହାତରେ ଲାଗିଛି।
ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ରୁ ନିରାପତ୍ତା ସଂକ୍ରାନ୍ତୀୟ ଗୁପ୍ତତଥ୍ୟ ପ୍ରଘଟ କରିବା ନେଇ ୫ ଜଣଙ୍କୁ ଗିରଫ କରାଯାଇଥିଲା। ୧୩ରେ ଠିକା କର୍ମଚାରୀ ବସନ୍ତ ବେହେରା, ସେକ ମୁସ୍ତାଫିର, ହେମନ୍ତ ମିସ୍ତ୍ରି, ସୁରକ୍ଷାକର୍ମୀ ତାପସ ରଞ୍ଜନ ନାୟକ ଏବଂ ୧୬ରେ ସ୍ଥାୟୀ କର୍ମଚାରୀ ଉତ୍ତରପ୍ରଦେଶ ମିରଟର ସଚ୍ଚିନ କୁମାରକୁ ଗିରଫ କରାଯାଇଥିଲା।
ଅଭିଯୁକ୍ତମାନେ ସୁନ୍ଦରୀ ଯୁବତୀଙ୍କ ମାୟାଜାଲରେ ଫସିଯାଇ ଶତ୍ରୁରାଷ୍ଟ୍ର ପାକିସ୍ତାନର ମହିଳା ଗୁପ୍ତଚରଙ୍କୁ ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଘାଟିର ବହୁ ଗୁପ୍ତତଥ୍ୟ ପ୍ରଦାନ କରିଥିଲେ। ଏଭଳି ଏକ ଘଟଣା ଦେଶଦ୍ରୋହ ବା ସମ୍ବେଦନଶୀଳ ହୋଇଥିବାରୁ ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ନେବା ପରେ ଗିରଫ ୫ଅଭିଯୁକ୍ତଙ୍କୁ ୭ଦିନିଆ ଜିମାରେ ଆଣି କଟକ ମୁଖ୍ୟାଳୟରେ ପଚରଉଚରା ଚଳାଇଥିଲା। ପ୍ରଥମେ ଅଭିଯୁକ୍ତମାନଙ୍କ ଫେସବୁକ, ଇନଷ୍ଟାଗ୍ରାମ ଓ ମେସେଞ୍ଜର ଭଳି ସାମାଜିକ ଗଣମାଧ୍ୟମ ଆକାଉଣ୍ଟର ଯାଞ୍ଚ କରାଯିବାରୁ ସେମାନେ ୨୦୨୦ ଏପ୍ରିଲରୁ ଫେସବୁକ ମାଧ୍ୟମରେ ଜଣେ ବିଦେଶୀ ଯୁବତୀଙ୍କ ସମ୍ପର୍କରେ ରହିଥିବା ଜଣାପଡ଼ିଥିଲା। କିଛିଦିନ ପୂର୍ବେ ଦୁବାଇରୁ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଥିଲା ବୋଲି ଜଣାପଡ଼ିଥିଲା।
ଅଭିଯୁକ୍ତମାନେ ବ୍ରହ୍ମୋସ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କିତ ସମସ୍ତ ତଥ୍ୟ ସେହି ଯୁବତୀଙ୍କୁ ଦେଇଛନ୍ତି। କ୍ଷେପଣାସ୍ତ୍ରର ପ୍ରସ୍ତୁତିଠାରୁ ଆରମ୍ଭ କରି କ୍ଷେପଣାସ୍ତ୍ର ପରୀକ୍ଷଣ ପରବର୍ତ୍ତୀ ସମସ୍ତ ଗୁପ୍ତତଥ୍ୟକୁ ଶତ୍ରୁରାଷ୍ଟର ଗୁପ୍ତଚରକୁ ପ୍ରଦାନ କରିଛନ୍ତି। ଅଦାଲତରେ ହାଜର କରାଯିବା ପୂର୍ବରୁ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର ଦଳ ତାଙ୍କୁ କଡାସୁରକ୍ଷା ମଧ୍ୟରେ ବାଲେଶ୍ୱର ନେଇଯାଇଥିଲେ। ସେଠାରେ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବା ପରେ କାରାଗାରକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ପାଖରୁ ମିଳିଥିବା ୩ଟି ଲ୍ୟାପଟପ ଓ ମୋବାଇଲ ଫୋନଗୁଡିକୁ ଫରେନସିକ ଲ୍ୟାବକୁ ପଠାଯାଇଛି। ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ହୋଇଥିବା ଆକାଉଣ୍ଟର ସମସ୍ତ ତଥ୍ୟ ଦେବାକୁ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଅପରାଧ ନିୟନ୍ତ୍ରଣ ଶାଖା (କ୍ରାଇମବ୍ରାଞ୍ଚ) ସେହି ଆକାଉଣ୍ଟ ଓ ଯୁବତୀଙ୍କ ୟୁକେ ମୋବାଇଲ ନମ୍ବରକୁ ଆଧାର କରି ତାଙ୍କୁ ଧରିବା ଲାଗି ଟ୍ରାପ ଆରମ୍ଭ କରିଦେଇଛି। ବ୍ୟାଙ୍କ ଓ ଫରେନସିକ ଲ୍ୟାବ୍‍ରୁ ତଥ୍ୟ ହସ୍ତଗତ ହେବାପରେ ସେମାନଙ୍କୁ ପୁଣି ପଚରାଉରା ପାଇଁ ଜିମାରେ ଅଣାଯିବା ପାଇଁ ଆବେଦନ କରାଯିବ ତଦନ୍ତକାରୀ ଅଧିକାରୀ କହିଛନ୍ତି।

Comments are closed.