ଛାତି ଏକ୍ସ-ରେ ଦ୍ବାରା ଚିହ୍ନଟ ହେବ କୋଭିଡ ସଂକ୍ରମଣ; ଡିଆରଡିଓ ତିଆରି କଲା ‘ଆତ୍ମନ ଏଆଇ’

ଏଣିକି କରୋନା ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିବ ନାହିଁ। ଅଳ୍ପ କିଛି ସମୟ ଭିତରେ ଜଣାପଡ଼ିବ ସଂକ୍ରମଣ। ଏଥିଲାଗି ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର ସେଣ୍ଟର ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ରୋବୋଟିକ୍ସ (ସିଏଆଇଆର) ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଫ୍ଟୱେର ବିକଶିତ କରିଛି। ଯାହାର ନାମ ରଖାଯାଇଛି ‘ଆତ୍ମନ’। ଏହି ସଫ୍ଟୱେର ଜରିଆରେ ମଣିଷର ଛାତିକୁ ଏକ୍ସ-ରେ କରିବା ଦ୍ବାରା ଶରୀରରେ କରୋନା ଭୂତାଣୁ ରହିଛି କି ନାହିଁ ତାହାକୁ ଚିହ୍ନଟ କରାଯାଇ ପାରିବ। ବିଶେଷ କରି ଫୁସଫୁସରେ କେତେ ମାତ୍ରାରେ ସଂକ୍ରମଣ ରହିଛି ତାହା ଏଥିରୁ ଜଣାପଡ଼ିବ।

ସିଏଆଇଆର ନିର୍ଦେଶକ ଡା. ୟୁ.କେ. ସିଂହ କହିଛନ୍ତି, କରୋନା ସଂକ୍ରମଣ ଚିହ୍ନଟକୁ ଦ୍ରୁତତର କରିବା ଦିଗରେ ଡିଆରଡିଓର ପଦକ୍ଷେପର ଏହା ଏକ ଅଂଶ। ଏହି ସଫ୍ଟୱେର ଜରିଆରେ ତ୍ଵିରତ ବେଗରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିବ ଏବଂ ଶୀଘ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ। ଏଆଇ ଆଧାରିତ ଇଣ୍ଟେଲିଜେଣ୍ଟ କୋଭିଡ-୧୯ ଡିଟେକ୍ଟର ଟେକ୍ନୋଲୋଜି ଫର ମେଡିକାଲ ଆସିଷ୍ଟାଣ୍ଟ (ଏଟିଏମଏଏନ ବା ଆତ୍ମନ)ର ସଠିକତା ହାର ୯୬.୭୩% ବୋଲି ସେ କହିଛନ୍ତି।

ସେହିପରି, ଏହି ସଫ୍ଟୱେର ବିକାଶ ସହିତ ରେଡିଓଲୋଜିଷ୍ଟଙ୍କ ଉପରେ ଥିବା ଭାର ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହା ସହିତ, ଏହା କୋଭିଡ-୧୯ ବ୍ୟତୀତ ଅନ୍ୟ ରୋଗର ସିଟି ସ୍କାନ୍ ପାଇଁ ସିଟି ମେଶିନ୍ ଉପଲବ୍ଧ କରାଇବ।

Comments are closed.