ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି- ଜନ ଅସନ୍ତୋଷ ବୃଦ୍ଧି

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ଅଞ୍ଚଳରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭାସୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ମଙ୍ଗଳବାର ସ୍ଥାନୀୟ ଲୋକେ ଯାଇ ରାସ୍ତା ଉପରକୁ ନାଳ ପାଣି ଛାଡ଼ୁଥିବା ଘର ମାଲିକଙ୍କୁ ପଚାରିବାରରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଦେଖିବାକୁ ମିଳିଥିଲା ।

ସୁଚନା ଅନୁଯାୟୀ ଏହି ନୁଆସାହି ଅଂଚଳର ଜନୈକ ବ୍ୟକ୍ତି ନିଜର ବାସଗୃହରେ ନିଜେ ସପରିବାର ରହିବା ସହିତ ଭଡା ସୁତ୍ରରେ ବହୁ ପରିବାରଙ୍କୁ ରଖିଛନ୍ତି । ସେମାନଙ୍କର ଘରର ବ୍ୟବହୃତ ପାଣି ଘରର ପରିସର ମଧ୍ୟରେ ଥିବା ଏକ ଖାତକୁ ଯାଉଥିଲେହେଁ ଉକ୍ତ ଖାତ ସଠିକ ଢଙ୍ଗରେ ନିର୍ମାଣ ହୋଇନଥିବାରୁ କାନ୍ଥ ତଳ ଦେଇ ଉକ୍ତ ପାଣି ବାହାରକୁ ଆସିବା ସହ ରାସ୍ତା ଉପରରେ ଭାସୁଛି । ଉକ୍ତ ରାସ୍ତାଟି ୱାର୍ଡ ବାସୀଙ୍କ ନିତ୍ୟ ଯାତାୟତ ରାସ୍ତା ହୋଇଥିବା ବେଳେ ନିକଟରେ ଏକ ଦେବୀ ପୀଠ ମଧ୍ୟ ରହିଛି । ସକାଳ ପାହିଲେ ସାହିର ମହିଳାମାନେ ଦେବୀ ପୀଠକୁ ପୁଜାର୍ଚ୍ଚନା ପାଇଁ ଯିବାବେଳେ ରାସ୍ତା ଉପରେ ଭାସୁଥିବା ବର୍ଜ୍ୟ ପାଣିରେ ଯିବାକୁ ପଡ଼ୁଥିବାରୁ ସେମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି ।

 

ଏଥି ସହିତ ନାଳପାଣି ରାସ୍ତାରେ ଜମିରହି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଦୈନିକ ଏହି ରାସ୍ତା ଉପରେ ୧୭ ଓ ୧୮ନଂ ୱାର୍ଡର ଲୋକେ ଯାତାୟତ କରୁଥିବା ବେଳେ ସ୍କୁଲ ଓ କଲେଜକୁ ମଧ୍ୟ ପିଲା ମାନେ ଯାତାୟତ କରୁଛନ୍ତି । ହେଲେ ଦୈନିକ ଏଭଳି ବର୍ଯ୍ୟ ପାଣି ମାଡି ଲୋକେ ଯାଆସ କରୁଥିବା ବେଳେ ପ୍ରାୟ ସମୟରେ ଘର ମାଲିକଙ୍କୁ ପଚାରିବାରେ ଘର ମାଲିକ କର୍ଣ୍ଣପାତ କରୁନଥିବା ସହିତ ଓଲଟି ପାଲଟା ଯୁକ୍ତି କରୁଥିବା ସାହି ଲୋକେ ଅଭିଯୋଗ କରନ୍ତି । ଏନେଇ ଘରମାଲିକଙ୍କୁ ପଚାରିବାରେ ରାସ୍ତାର ମୁଖ୍ୟ ଡ୍ରେନ ନଥିବା ହେତୁ ଏଭଳି ସମସ୍ୟା ଉପୁଜୁଥିବା ସଫେଇ ଦେଇଥିଲେ । ତୁରନ୍ତ ଏଭଳି ଘର ମାଲିକ ମାନଙ୍କୁ ନୋଟିସ ଜାରୀ କରାଯିବ ବୋଲି ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା କହିଛନ୍ତି ।

Comments are closed.