ରାସ୍ତାରେ ନର୍ଦ୍ଦମା ଜଳର ସୁଅ, ପ୍ରଶାସନ ନୀରବ

ଦେବଗଡ: ରାସ୍ତାରେ ବହୁଛି ନର୍ଦ୍ଦମା ଜଳ। ଦୁର୍ଗନ୍ଧରେ ଅଣନିଃଶ୍ବାସୀ ହୋଇପଡୁଛନ୍ତି ପଥଚାରୀ ଓ ଯାତ୍ରୀ। ରାସ୍ତାରେ ଖାଲଖମା ସାଙ୍ଗକୁ ନର୍ଦ୍ଦମା ଜଳର ବନ୍ୟା ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ବସଷ୍ଟାଣ୍ଡ ଓ ମୁଖ୍ୟ ମାର୍କେଟକୁ ସଂଯୋଗ କରୁଥିବା ଜନଗହଳିପୂର୍ଣ୍ଣ ପୁରୁଣା ପୋଷ୍ଟ ଅଫିସ ଛକ ରାସ୍ତାରେ।

ଏହି ଛକ ନିକଟ ଦେଇ ମୁମ୍ବଇ-କଲକାତା ୪୯ ନମ୍ବର ଜାତୀୟ ରାଜପଥ ଯାଇଛି। ପ୍ରତ୍ୟହ ହଜାର ହଜାର ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲା ସଦର ମହକୁମାର ଏହି ଛକରୁ ଦେବଗଡ ଜିଲାର ଅନ୍ୟାନ୍ୟ ଅଞ୍ଚଳର ସ୍ଥିତି ସହଜେ ଅନୁମେୟ। ଗତ ୧ ମାସ ହେଲା ଏହି ସ୍ଥାନରେ ନର୍ଦ୍ଦମା ପାଣି ଉଛୁଳି ରାସ୍ତା ଉପରେ ପ୍ରବାହିତ ହେଉଛି। କେବଳ ଯେ ବର୍ଷାହେଲେ ରାସ୍ତାରେ ଆବର୍ଜନା ଜଳ ପ୍ରବାହିତ ହେଉନାହିଁ, ସବୁ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ପ୍ରଶାସନକୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନ ଥିବା ଅଭିଯୋଗ କରିଛନ୍ତି। କେବଳ ଲୋକ ଦେଖାଣିଆ ଭାବେ କେତେବେଳେ କେମିତି ପାଇଖାନା ଟାଙ୍କି ସଫା କରିବା ଟ୍ୟାଙ୍କର ସହାୟତାରେ ତ ଆଉ କେତେବେଳେ ପାଣିପମ୍ପ ସହାୟତାରେ ଉକ୍ତ ଡ୍ରେନରୁ ପାଣି ନିଷ୍କାସନ କରିଦିଆଯାଉଛି। ଫଳରେ ପୁଣି ଅନୁରୂପ ଅବସ୍ଥା ସୃଷ୍ଟି ହେଉଛି। ତେବେ କେତେକ ବ୍ୟକ୍ତି ସମ୍ପୃକ୍ତ ଡ୍ରେନରେ ପାଇଖାନା ଟାଙ୍କିର ମଳମୂତ୍ର ମିଶା ପାଣି ଛାଡୁଥିବାରୁ ତାହା ଡ୍ରେନରୁ ଉଛୁଳି ରାସ୍ତା ଉପରେ ପ୍ରବାହିତ ହେଉଛି, ଯେଉଁଥିପାଇଁ ଏକ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଦେବଗଡ଼ ପୌର ପରିଷଦ କର୍ତ୍ତୃପକ୍ଷ ଏହାର ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comments are closed.