ଶ୍ୟାମାପ୍ରସାଦ ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଥିଲେ: ଉପରାଷ୍ଟ୍ରପତି

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ବିଶିଷ୍ଟ ଶିକ୍ଷାବିତ୍‍ ଓ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଥିଲେ। ଉପରାଷ୍ଟ୍ରପତି ଏକ ଟ୍ୱିଟ୍‍ ବାର୍ତ୍ତାରେ କହିଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତର ଜଣେ ସୁଯୋଗ୍ୟ ସନ୍ତାନ ଓ ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଥିଲେ। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନର ତୀବ୍ର ବିରୋଧ କରିଥିଲେ ଓ ଜାମ୍ମୁ-କାଶ୍ମୀରକୁ ଭାରତରେ ସମ୍ପୂର୍ଣ୍ଣରୂପେ ସାମିଲ କରିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ କରିଥିଲେ।

ଉପରାଷ୍ଟ୍ରପତି କହିଛନ୍ତି ସେ ଜଣେ ବିଚକ୍ଷଣ ବାରିଷ୍ଟର ଓ ଶିକ୍ଷାବିତ୍‍ ଥିଲେ ଏବଂ ୩୩ ବର୍ଷ ବୟସରେ କାଲକାଟା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ଡକ୍ଟର ମୁଖାର୍ଜୀ ଅନେକ କାର୍ଯ୍ୟ କରିଯାଇଛନ୍ତି। ସେ ଜଣେ ପ୍ରକୃତ ଦେଶଭକ୍ତ ଥିଲେ ଓ ଦେଶର ଜଣେ ତୁଙ୍ଗ ନେତା ଭାବେ ପରିଗଣିତ ହେଉଥିଲେ। ଦେଶପ୍ରତି ତାଙ୍କର ସେବା ପାଇଁ ସେ ସର୍ବଦା ଲୋକମାନଙ୍କୁ ଅନୁପ୍ରାଣିତ କରିବେ ବୋଲି ଶ୍ରୀ ନାଇଡୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଭାରତମାତାର ଜଣେ ମହାନ୍‍ ସନ୍ତାନ ଭାବେ ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତର ଏକତା ଓ ସଂହତି ପାଇଁ ସଂଗ୍ରାମ କରିଥିଲେ ଓ ଏଥିପାଇଁ ତାଙ୍କର ଜୀବନକୁ ବଳି ଦେଇଥିଲେ। ସେ କହିଛନ୍ତି ବଙ୍ଗଳା, ପଞ୍ଜାମ ଓ କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରଖିବା ପାଇଁ ସେ ସଂଗ୍ରାମ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥ ପାଇଁ ସରକାରରୁ ଇସ୍ତଫା ଦେବାକୁ ସେ ମୁହୂର୍ତ୍ତେ ସମୟ ବିଳମ୍ବ କରିନଥିଲେ।

ସେ କହିଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୀବନୀ ଦେଶପ୍ରତି ଉତ୍ସର୍ଗୀକୃତ ଥିଲା ଓ ତାଙ୍କର ଆଦର୍ଶ ଦେଶବାସୀଙ୍କୁ ସର୍ବଦା ଅନୁପ୍ରାଣିତ କରିଚାଲିବ। ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଜେପି ସଭାପତି ଜେ.ପି. ନଡ୍ଡା ପାର୍ଟି ମୁଖ୍ୟ କାର୍ଯ୍ୟାଳୟସ୍ଥିତ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

Comments are closed.