ଡକ୍ଟର ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା – ପାଇଲେ ୨୦୨୦ ମସିହା ପାଇଁ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର

ସମାଜ ପୋର୍ଟାଲ ଡେସ୍କ: ବିଜ୍ଞାନାଗାରରୁ ଭୂମିକୁ ଜ୍ଞାନ ଆବଣ୍ଟନ କରାଯାଇ ପାରିଲେ ତାହା ସାଧାରଣ ଲୋକଙ୍କ ଉପକାରରେ ଆସିବା ଓ ସେମାନେ ବିଜ୍ଞାନଲବ୍ଧ ଜ୍ଞାନ ବ୍ୟବହାର କରି ଅଧିକ ଉପାର୍ଜନକ୍ଷମ ହୋଇ ପାରିବେ ବୋଲି ୨୦୨୦ ମସିହା ପାଇଁ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାରରେ ସମ୍ମାନିତ ପ୍ରଫେସର ଡକ୍ଟର ସୂର୍ଯ୍ୟମଣି ବେହେରା କହିଛନ୍ତି। ଆଜି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅଧିନସ୍ଥ ରାଷ୍ଟ୍ରୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ ସଂଚାର ପରିଷଦ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ସୂର୍ଯ୍ୟମଣି ବେହେରାଙ୍କୁ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର – ୨୦୨୦ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ଡକ୍ଟର ବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସଂଗେ ସଂଗେ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ୨ ଲକ୍ଷ ଟଙ୍କା, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ ଉତ୍ସବରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଚିବ, ବିଜ୍ଞାନ ବିଭାଗ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଡକ୍ଟର ବେହେରା ଅଦ୍ୟାବଧି ୪୨ ଖଣ୍ଡ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି ଓ ତାଙ୍କର ଅନେକ ବିଜ୍ଞାନ ଭିତ୍ତିକ ନିବନ୍ଧ ବହୁ ଖ୍ୟାତନାମା ପତ୍ରିକାରେ ପ୍ରକାଶିତ ହୋଇଛି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଜନପ୍ରିୟ ବିଜ୍ଞାନ ମଂଚ ୨୦୦୧ ମସିହା ଠାରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକରେ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ଜାରି ରଖିଛି। ଡକ୍ଟର ବେହେରା ବିଜ୍ଞାନ ରଚନା ପାଇଁ ପୂର୍ବରୁ ଓଡିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପୁସ୍ତକ ମେଳା ପୁରସ୍କାର ଓ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଡକ୍ଟର ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି (ଦେଖନ୍ତୁ ଭିଡିଓ) –

Comments are closed.