ହିଂସାରୁ ନଜର ହଟାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି : ବିଜେଡି

ଭୁବନେଶ୍ବର : କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦ ସମୟରେ ଯେଭଳି ହିଂସାର ଆଶ୍ରୟ ନେଲେ ସେଥିରୁ ଗଣମାଧ୍ୟମର ନଜର ହଟାଇବା ଲାଗି କଂଗ୍ରେସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବିଜୁ ଜନତା ଦଳ ସରକାରକୁ କିଛି ପ୍ରଶ୍ନ କରିବା ପୂର୍ବରୁ ଗାନ୍ଧୀ ନୀତିରେ ବିଶ୍ୱାସ କରୁଥିବା କହୁଥିବା କଂଗ୍ରେସ ପ୍ରଥମେ ବନ୍ଦ ସମୟରେ ଦଳୀୟ ନେତାଙ୍କ ନିର୍ଦେଶରେ ଯାହା କରାଯାଇଛି ତା’ର ଅନୁଶୀଳନ କରିବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଶ୍ରୀ ପାତ୍ର କହିଛନ୍ତି, ବିଜେଡି ସରକାରର ସଫଳତାକୁ କଂଗ୍ରେସ ନେତାମାନେ ହଜମ କରି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଏକାଧିକବାର କୃଷିକର୍ମଣ ପୁରସ୍କାର ଠାରୁ ଆରମ୍ଭ କରି ବାତ୍ୟା ‘ଫାଇଲିନ୍’ ସମୟରେ ଶୂନ କ୍ଷୟକ୍ଷତି ପାଇଁ ମିଳିତ ଜାତିସଂଘ ଠାରୁ ଅନ୍ତର୍ଜାତୀୟ ସ୍ତରର ପ୍ରଶଂସାପତ୍ର ପାଇଛି। ଏଥି ସହିତ ରେକର୍ଡ଼ ପରିମାଣର ୨୦ ଲକ୍ଷ ପକ୍କାଘର ଓ ୪୧ ହଜାର କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି। ବିଶ୍ୱକପ ହକିର ସଫଳ ଆୟୋଜନ, ଜାଗା ମିଶନର ସଫଳ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ପୁରସ୍କାର ମିଳିଛି। ବିଜେଡି ସରକାର ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିଛି। ଫଳରେ ଲୋକେ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରୁନାହାନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ଜାତୀୟ ଦଳ ଏବେ ହତାଶ ହୋଇ ଅପ୍ରସଙ୍ଗ ଗୁଡ଼ିକୁ ଆଲୋଚନା କରି ଚାଲିଥିବା ଶ୍ରୀ ପାତ୍ର କହିଛନ୍ତି।

Comments are closed.