୩୦ଥର ରୂପ ବଦଳାଇଛି ଓମିକ୍ରନ୍, ପ୍ରଭାବହୀନ ହୋଇପାରେ କରୋନା ଟିକା : ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତିର ଭୂତାଣୁ ଓମିକ୍ରନ (ବି.୧.୧.୨୯୫)କୁ ନେଇ ଆତଙ୍କ ଦେଖାଯାଇଥିବାବେଳେ ଏହା ସଂକ୍ରମଣ ପ୍ରଭାବ ସମ୍ପର୍କରେ ବିଭିନ୍ନ ପ୍ରକାର ଆକଳନ କରାଯାଇଛି। ଏହି ନୂଆ ପ୍ରଜାତିର ଭୂତାଣୁର ସଂକ୍ରମଣ ବେଗ ଅଧିକ ରହିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ଏହି କ୍ରମରେ ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆଙ୍କ ଆଶଙ୍କା ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଗୁଲେରିଆ କହିଛନ୍ତି ଓମିକ୍ରନ୍ ସ୍ପାଇକ୍ ପ୍ରୋଟିନରେ ୩୦ଥର ରୂପ ବଦଳାଇଥିବା ବେଳେ କରୋନା ଟିକାକୁ ପ୍ରଭାବହୀନ କରିଦେଉଛି। ସେ କହିଛନ୍ତି ଯେ, ଏହି ଭୂତାଣୁ କମ୍‌ ସମୟ ମଧ୍ୟରେ ଅଧିକ ଥର ରୂପ ବଦଳାଇଥିବାରୁ ଏହା ଅଧିକ ସଂକ୍ରାମକ ହୋଇପାରେ। ଏହା ସହ ‌କରୋନା ଟିକା ନେବା ପରେ ଲୋକଙ୍କ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ‌ଶକ୍ତି ଆସିଛି, ତାକୁ ପ୍ରଭାବହୀନ କରିପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ଏବେ କିଛି ସ୍ପଷ୍ଟ କହିବା ସମ୍ଭବ ନୁହେଁ। ଆଗକୁ ଏହା କେତେ ମାତ୍ରାରେ ଲୋକଙ୍କୁ ପ୍ରଭାବିତ କରୁଛି, ତାହା ଦେଖିବା ପରେ ହିଁ କୌଣସି ଚିକିତ୍ସା ପଦ୍ଧତି ଆପଣାଯାଇପାରେ। ସେ ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। କଟକଣା କୋହଳ ହୋଇଥିଲେ ବି ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ଓ ହାତକୁ ନିୟମିତ ବିଶୋଧନ କରିବାକୁ ହେବ।
ଅନ୍ୟପଟେ ଆମେରିକାର ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ସଂକ୍ରାମକ ରୋଗ ଅଧିକାରୀ ଡାକ୍ତର ଆନ୍ଥୋନୀ ଫୌସି ରବିବାର କହିଛନ୍ତି ଯେ ଓମିକ୍ରନ ଭୂତାଣୁ ସମ୍ପର୍କରେ ବହୁତ କିଛି ଅଜଣା ରହିଛି। ତେବେ ଏହି ଭୂତାଣୁର ସଂକ୍ରମଣ ବେଗ ଅଧିକ ରହିଛି। ଅନ୍ୟ ପ୍ରଜାତି ଅପେକ୍ଷା ଏହା ଅନ୍ୟ ଜଣଙ୍କୁ ଶୀଘ୍ର ସଂକ୍ରମିତ କରିଥାଏ। ଏପରିକି ଏହା ଟିକା ଜନିତ ସୃଷ୍ଟ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଥାଏ। ତେଣୁ ଏହି ଭୂତାଣୁକୁ ନେଇ ଏବେ କିଛି କୁହାଯାଇପାରିବ ନାହିଁ। ଆମେରିକାବାସୀ ଏହି ନୂଆ ପ୍ରଜାତିକୁ ନେଇ ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି।

Comments are closed.