‘ପାଠକ ସୃଷ୍ଟି ଦିଗରେ ପ୍ରୟାସ ଜାରି ରହୁ’

ସାରସ୍ୱତ ସମାଜର ସ୍ୱନକ୍ଷତ୍ର ସମାରୋହ

– ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଶ୍ରେଷ୍ଠ ସେବା ନିର୍ମାଲ୍ୟ ସମ୍ମାନ
– ଶ୍ରେଷ୍ଠ ସାହିତ୍ୟ ରତ୍ନ ସମ୍ମାନ ପାଇଲେ ଦାଶ ବେନହୁର
ଉତ୍ତରଭୁବନେଶ୍ୱର: ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ। ସାହିତ୍ୟକୁ ସୁଦୃଢ଼ କରିବାରେ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ତ୍ତବ୍ୟ ରହିଛି। ଆଜିର ଯୁବପିଢ଼ି  ପୁସ୍ତକ ମନସ୍କ ନହୋଇ ମୋବାଇଲ ପ୍ରତି ଅଧିକ ଆକର୍ଷିତ ହେଉଥିବାରୁ ପାଠକ ସଂଖ୍ୟା ହ୍ରାସ ପାଉଛି। ତେଣୁ ପାଠକ ସୃଷ୍ଟି  ଦିଗରେ ପ୍ରୟାସ ଜାରି ରହୁ ବୋଲି ସାରସ୍ୱତ ସମାଜର ଦଶମ ସ୍ୱନକ୍ଷତ୍ର ସମାରୋହରେ ଅତିଥିଭାବେ ଯୋଗ ଦେଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି।  ବୁଦ୍ଧ ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ସମାରୋହରେ    ଯୋଗ ଦେଇ  ସେ ଉପରୋକ୍ତ ବକ୍ତବ୍ୟ ରଖିବା ସହ ସାରସ୍ୱତ ଜଗତରେ ଅଧିକ ପାଠକ କିପରି ସୃଷ୍ଟି ହେବେ ସେ ଦିଗରେ ଲେଖକ ଲେଖିକା ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ।  କାର୍ଯ୍ୟକ୍ରମରେ ପ୍ରାକ୍ତନ ନ୍ୟାୟମୂର୍ତ୍ତି ତଥା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ (ବିଧି ବିଭାଗ)  ଅମ୍ବୁଜ ମୋହନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ ଓଡ଼ିଆ ସାହିତ୍ୟ ଆମକୁ ଗର୍ବିତ କରିଥାଏ ବୋଲି କହିଥିଲେ।
ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ  ବିବରଣୀ ପାଠ କରିଥିବାବେଳେ ଡ. ସରୋଜିନୀ ପାଣି ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ବକ୍ତା ଭାବେ ଯୋଗଦେଇ  ଭାଷା ଏକ ଗଛ ହେଲେ ସାହିତ୍ୟ ତା’ର ଫୁଲ ବୋଲି କହିଥିଲେ। ଯେଉଁ ଜାତିର ସାହିତ୍ୟ ଯେତେ ସମୃଦ୍ଧ ସେ ଜାତି ସେତେ ଉନ୍ନତ ବୋଲି  ସେ କହିଥିଲେ।  ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାହିତ୍ୟ ପତ୍ରିକା ‘ଅଗମ୍ୟା’ ଓ ଉପନ୍ୟାସ ‘ମୋବାଇଲ ପ୍ରେମ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଚଳିତ ବର୍ଷର ଶ୍ରେଷ୍ଠ ସାହିତ୍ୟ ରତ୍ନ ସମ୍ମାନ ପ୍ରଫେସର ଦାଶ ବେନହୁରଙ୍କୁ ପ୍ରଦାନ କରାଯାଇଥିବାବେଳେ ସମାଜସେବା କ୍ଷେତ୍ରରେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଶ୍ରେଷ୍ଠ ସେବା ନିର୍ମାଲ୍ୟ ସମ୍ମାନରେ ଆଭୂଷଣ କରାଯାଇଥିଲା।   ରାଜକିଶାର ପତିଙ୍କୁ ସାହିତ୍ୟ ବିଶାରଦ ସମ୍ମାନ, ଶୁଭ୍ରା ନନ୍ଦଙ୍କୁ ସାରସ୍ୱତ ପ୍ରତିଭା ସମ୍ମାନ, ପ୍ରତିଭାରଣୀ ଷଡ଼ଙ୍ଗୀଙ୍କୁ ସାହିତ୍ୟ ଗୌରବ ସମ୍ମାନ, ଅନୁସୃତା ସିଂହଦେଓଙ୍କୁ ମଦର ଟେରସା ସେବା ସମ୍ମାନ, ଡ. ହିମାଦ୍ରୀ ତନୟା ମିଶ୍ରଙ୍କୁ କଳିଙ୍ଗ ଶ୍ରୀ ସମ୍ମାନ, ଆରତୀ ମହାନ୍ତିଙ୍କୁ ତତ୍ତ୍ୱ ସରସ୍ୱତୀ ସମ୍ମାନ, ଡ. ଅଞ୍ଜଳି ତ୍ରିପାଠୀଙ୍କୁ ସାହିତ୍ୟ ପ୍ରତିଭା ସମ୍ମାନ, ଅଭିନେତ୍ରୀ ମଧୁସ୍ମିତା ମହାନ୍ତିଙ୍କୁ ସାହିତ୍ୟ କଳା ସମ୍ମାନ, ଡ. ରମେଶ ପ୍ରସାଦ ମହାନ୍ତିଙ୍କୁ କବି ସୌରଭ ସମ୍ମାନ, ମାତୃଦତ୍ତ ମହାନ୍ତିଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ଦେବମିତ୍ର ପ୍ରିୟଦର୍ଶିନୀ ଯୁବ ପ୍ରତିଭା ସମ୍ମାନ ଓ ଅନିମା ପଟ୍ଟନାୟକଙ୍କୁ ବୀଣାପାଣି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଥମ ସୋପାନରେ କବିତା ପାଠ ଓ ସାହିତ୍ୟ ଆଲୋଚନା କରାଯାଇଥିବାବେଳେ ଅନୁଷ୍ଠାନର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସାମ୍ବାଦିକ ନିତ୍ୟ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.