ମୋଦୀଙ୍କ କରୋନା ମୁକାବିଲା ଓ ନୂତନ ଆର୍ଥିକ ସୁଧାର ସ୍ୱଦେଶୀ ମଡେଲର ମୁଖ୍ୟ ବିନ୍ଧାଣୀ ଓଡିଆ ପୁଅ ଡ. ପ୍ରମୋଦ ମିଶ୍ର 

ସମ୍ବଲପୁର : ଏବେ ବିଶ୍ୱରେ କରୋନା ମହାମାରୀ ସବୁଠାରୁ ବଡ ସଙ୍କଟ ଭାବରେ ବିଶ୍ୱବାସୀଙ୍କ ସମ୍ମୁଖରେ ଛିଡା ହୋଇ ରହିଛି। ଏହି ମହାମାରୀର ମାଡରେ ବିଶ୍ୱର ବଡ ବଡ ବିକଶିତ ଓ ମଜବୁତ ଆର୍ଥିକ ସ୍ଥିତି ସମ୍ପନ୍ନ ରାଷ୍ଟ୍ର ଗୁଡିକ ଧରାଶାୟୀ ହୋଇ ସାରିଥିବା ଭାରତ ଭଳି ଏକ ବିକାଶଶୀଳ ଦେଶ ଏହାକୁ ଏ ପର୍ଯ୍ୟନ୍ତ ସଫଳ ଭାବରେ ପ୍ରତିହିତ କରିବାରେ ସମର୍ଥ କରିଥିବା ଘଟଣା ବିଶ୍ୱବାସୀଙ୍କୁ ଚକିତ କରିଛି। ଭାରତକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରିବା ସହିତ ଏହାର ପ୍ରଭାବରେ ଠପ ପଡିଯାଇଥିବା ଅର୍ଥନୀତିକୁ ପୁର୍ନବାର ଗତିଶୀଳ କରିବା, ସମସ୍ତ କ୍ଷେତ୍ରରେ ଦେଶକୁ ଆତ୍ମ ନିର୍ଭରଶୀଳ କରି ବିଶ୍ୱର ରପ୍ତାନୀ ମାନଚିତ୍ରରେ ଏକ ପ୍ରମୁଖ ନିଶ୍ଚିତ ସ୍ଥାନ ସୁନିଶ୍ଚିତ କରିବା ଦିଗରେ କରାଯାଉଥିବା ପ୍ରୟାସର ପଛରେ ରହିଛନ୍ତି ଓଡିଶାର ସୁପୁତ୍ର ତଥା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡ. ପ୍ରମୋଦ ମିଶ୍ର। ଦେଶର ଏକ ପ୍ରମୁଖ ମ୍ୟାଗାଜିନରେ ମୁଦ୍ରିତ ଏକ ଲେଖ ଅନୁଯାୟୀ, କରୋନାକୁ ମୁକାବିଲା ସହିତ ଏହି ସଙ୍କଟଜନକ ପରିସ୍ଥିତିରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି, ଅର୍ଥନୀତିକୁ ପୁର୍ନବାର ଗତିଶୀଳ କରିବା, ଦେଶକୁ ସମସ୍ତ କ୍ଷେତ୍ରରେ ସ୍ୱଦେଶୀ ମଡେଲ ଆପଣେଇ ଆତ୍ମନିର୍ଭରଶୀଳ କରିବା ପଛରେ ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ପ୍ରକୃତ କ୍ଷେତ୍ରରେ ଲାଗୁ କରିବାରେ ମୁଖ୍ୟ ସଚିବ ଡ. ମିଶ୍ରଙ୍କ ପ୍ରମୁଖ ଭୂମିକା ରହିଛି।

ଗୁଜରାଟ କ୍ୟାଡରର ବରିଷ୍ଠ ଆଇଏଏସ ଅଧିକାରୀ ଡ. ମିଶ୍ରଙ୍କ ଆପଦା ପ୍ରବନ୍ଧନ ମାମଲା ବିଶାଳ ଅନୁଭବ ରହିଛି। ମୋଦୀଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତାଙ୍କର ପ୍ରମୁଖ ସଚିବ ଭାବରେ କାର୍ଯ୍ୟରତ ଡ. ମିଶ୍ରଙ୍କୁ ସେ ସମୟରେ କଚ୍ଛର ଭୁକମ୍ପ (୨୦୦୧) ପରେ ପୁର୍ନଉଦ୍ଧାର ଓ ପୁନଃ ନିର୍ମାଣ କାର୍ଯ୍ୟ ପ୍ରଦାନ କରିଥିଲେ। ଡ. ମିଶ୍ରଙ୍କ ହିଁ ବିଶାଳ ଅନୁଭବ ଓ ଉଦ୍ୟମ ଯୋଗୁଁ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା କଚ୍ଛ ଅଞ୍ଚଳ ପୁର୍ନବାର ଛିଡା ହୋଇଥିଲା। ଏହା ପରେ ୨୦୦୫ରେ ଡ. ମିଶ୍ର କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମୟରେ ଜାତୀୟ ଆପଦା ପ୍ରବନ୍ଧନ ଆଇନ ୨୦୦୫ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପୂର୍ବ ଅନୁଭବ ଆଧାରରେ କରୋନା ମହାମାରୀର ସଙ୍କଟ ଯେତେବେଳେ ବିଶ୍ୱରେ ବ୍ୟାପିବାର ଆରମ୍ଭ ହେଉଥିଲା ସେହି ସମୟରେ ଜାନୁଆରୀ ୨୫ରେ ଡ. ମିଶ୍ର ବିଦେଶ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ, ବେସାମାରିକ ମନ୍ତ୍ରାଳୟ ଗୁଡିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଣୁ କରୋନା ମହାମାରୀକୁ ନେଇ ଯେତେବେଳେ ଦେଶରେ ଏମରଜେନ୍ସି ଲାଗୁ କରାଯାଉ ବୋଲି ବିଭିନ୍ନ ମହଲରୁ ସରକାରଙ୍କ ନିକଟକୁ ପରାମର୍ଶ ପହଞ୍ଚୁଥିବା ବେଳେ ସରକାର ଦେଶବାସୀଙ୍କ ହିତରେ କଣ କରିବେ ତାକୁ ନେଇ ମାନସମନ୍ଥନ ଚଳାଇଥିଲେ। ସେତେବେଳେ ଡ. ମିଶ୍ର ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାତୀୟ ଆପଦା ପ୍ରବନ୍ଧନ ଆଇନ ୨୦୦୫ ସର୍ମ୍ପକରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପ୍ରଥମରୁ କେନ୍ଦ୍ର ସରକାର କରୋନା ସର୍ମ୍ପକୀତ ସଙ୍କଟକୁ ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସମସ୍ତ ଦାୟିତ୍ୱ ଦେବାକୁ ଚିନ୍ତା କରୁଥିବା ବେଳେ ପୂର୍ବ ଅନୁଭବ ଆଧାରରେ ଡ. ମିଶ୍ର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ନ କରି ସମସ୍ତ କ୍ଷେତ୍ରରୁ ପ୍ରତିନିଧି ମାନଙ୍କ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏଣୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ଉଚ୍ଚ ସଚିବ ମାନଙ୍କୁ ନେଇ ଏକ ୧୧ ଜଣିଆ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କ ଫୋର୍ସ ଗଠନ କରାଯାଇ ଏହି ବୈଶ୍ୱିକ ସ୍ୱାସ୍ଥ୍ୟ ଆପଦାକୁ ମୁକାବିଲା କରାଯାଉଛି। ଏହା ସହିତ ମହାମାରୀ ରୋଗ ଆଇନ ୧୮୯୭ କୁ ଲାଗୁ ନ କରି ଜାତୀୟ ଆପଦା ପ୍ରବନ୍ଧନ ଆଇନ ୨୦୦୫ ଅନୁଯାୟୀ ଲକ ଡାଉନ କରିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ଦ୍ୱାରା ସ୍ଥିତି ଅନୁଯାୟୀ ଜନତାଙ୍କୁ ସୁବିଧା ପ୍ରଦାନ କରାଯାଇପାରିବା ସହିତ ଦେଶର ଅର୍ଥନୀତିକୁ ପୁର୍ନବାର ରାସ୍ତାକୁ ଆଣିବା ମାର୍ଗ ମଧ୍ୟ ଉନ୍ନମୁକ୍ତ ରହିଥିଲା।

ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ଖୁବ ଶୀଘ୍ର ସାମାଜିକ ସଂକ୍ରମଣର କ୍ଷେତ୍ରକୁ ଭାରତରେ ପହଞ୍ଚଯାଇ ପାରେ ବୋଲି ଜାଣିବା ପରେ ତୁରନ୍ତ ଦେଶକୁ ମାର୍ଚ୍ଚ ୨୪ରେ ଲକ ଡାଉନ କରାଯାଇଥିଲା। ସେହି ସମୟରେ ଡ. ମିଶ୍ରଙ୍କ ପରାମର୍ଶ ଯୋଗୁଁ ପ୍ରଧାନମନ୍ତ୍ରୀ ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ତେବେ ଲକ ଡାଉନ ଯୋଗୁଁ ଠପ ପଡିଯାଇଥିବା ଅର୍ଥନୀତି ଓ ବୈଶ୍ୱିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଜନିତ ସ୍ଥିତିକୁ ମୁକାବିଲା କରିବା ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଏଣୁ ଡ. ମିଶ୍ରଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ ଏପ୍ରିଲର ମଧ୍ୟଭାଗରେ ଏକ ଆର୍ଥିକ ରିଲିଫ ସହିତ ଆର୍ଥିକ ସୁଧାରର ପ୍ୟାକେଜ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଅର୍ଥ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆର୍ଥିକ ରିଲିଫ ଓ ସୁଧାର ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ସବୁ ବର୍ଗକୁ ଧ୍ୟାନରେ ରଖି ଆହୁରୀ ବ୍ୟାପକ କରିବା ପାଇଁ କହିଥିଲେ। ତେଣୁ ଡ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଡଜନରୁ ଉର୍ଦ୍ଧ ଉଚ୍ଚସ୍ତରୀୟ ବୈଠକ ବିଭିନ୍ନ ମନ୍ତ୍ରାଳୟ ମାନଙ୍କ ସହିତ କରାଯାଇ ଆର୍ଥିକ ରିଲିଫ ଓ ସୁଧାର ପ୍ୟାକେଜକୁ ପ୍ରସ୍ତୁତ କରାଯାଇଥିଲା, ଯାହା ଦ୍ୱାରା ଜନତାଙ୍କୁ ତୁରନ୍ତ ରିଲିଫ ସହ ଭବିଷ୍ୟତରେ ଦେଶକୁ ସବୁ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ କରାଯାଇ ପାରିବ।

ଡ. ମିଶ୍ରଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ ଏହି ସଙ୍କଟଜନକ ପରିସ୍ଥିତିରେ ଅନ୍ୟ ଦେଶ ଭଳିଆ ଆମେ କେବଳ କରୋନାକୁ ମୁକାବିଲା ଓ ରିଲିଫ କାର୍ଯ୍ୟ କରି ରହିବା ନାହିଁ। ଏହି ସଙ୍କଟଜନକ ପରିସ୍ଥିତି ବିଶ୍ୱର ବଡ ବଡ ରାଷ୍ଟ୍ର ପଛ ଘୁଞ୍ଚା ଦେଉଥିବା ବେଳେ ସଂରକ୍ଷଣବାଦ ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥିରୁ ଶିକ୍ଷା ନେଇ ଭାରତ ଏହି ବୈଶ୍ୱିକ ସଙ୍କଟର ମୁକାବିଲା କରିବା ସହିତ ସମସ୍ତ କ୍ଷେତ୍ରରେ ବଡ ସୁଧାର କରାଯାଇ ଆତ୍ମନିର୍ଭରଶୀଳ ହେବା ଦେଶର ଭବିଷ୍ୟତ ପାଇଁ ନିହାତି ଆବଶ୍ୟକ ଅଟେ। ଯାହା ଦ୍ୱାରା ଆଗାମୀ ଦିନରେ ବିଭିନ୍ନ ବସ୍ତୁ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା କମ ହେବା ସହିତ ଆମେ ନିଜେ ବିଭିନ୍ନ ବସ୍ତୁ ନିର୍ମାଣ କରି ରପ୍ତାନୀ କରି ବିଶ୍ୱର ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ସୁନିଶ୍ଚିତ କରିପାରିବା।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, କରୋନାକୁ ମୁକାବିଲା କରିବା ସହିତ ଦେଶର ଅର୍ଥନୀତିକୁ ପୁନଃ କାର୍ଯ୍ୟକ୍ଷମ ଓ ଦେଶକୁ ଆତ୍ମ ନିର୍ଭରଶୀଳ କରିବାର ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ପ୍ରକୃତ କ୍ଷେତ୍ରରେ ଲାଗୁ କରିବା ପାଇଁ ଚାଲିଥିବା ପ୍ରୟାସର ପର୍ଦ୍ଦା ପଛରେ ରହି ଓଡିଆ ପୁତ୍ର ଡ. ପ୍ରମୋଦ ମିଶ୍ର ସର୍ବଦା କାର୍ଯ୍ୟରତ ରହିଛନ୍ତି। ଯାହାକି ପ୍ରତି ଓଡିଆଙ୍କ ପାଇଁ ଏକ ଗର୍ବର ବିଷୟ ଅଟେ।

Comments
Loading...