ଡଃ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ହୋମି ଭାଭା ପୁରସ୍କାର

ଏରସମା: ଭାଭା ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବଇରେ କାର୍ଯ୍ୟରତ ଓଡିଆ ବୈଜ୍ଞାନିକ ଡଃ ଜ୍ୟୋତିର୍ମୟୀ ମହାନ୍ତି ୨୦୧୯ ପାଇଁ ସମ୍ମାନଜନକ ‘ହୋମି ଭାଭା ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ପୁରସ୍କାର’ ଲାଗି ମନୋନୀତ ହୋଇଛନ୍ତି। ଏହି ପୁରସ୍କାରର ଘୋଷଣା ପରମାଣୁ ଊର୍ଜା ବିଭାଗ, ଭାରତ ସରକାରଙ୍କ ତରଫରୁ ଗତମାସ ୧୧ ତାରିଖରେ ଅନୁଷ୍ଠିତ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକୀ ଦିବସ ଅବସରରେ କରାଯାଇଥିଲା। ପୁରସ୍କାର ସ୍ବରୂପ ଡଃ ଜ୍ୟୋତିର୍ମୟୀଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଏକ ମାନପତ୍ର ଓ ଫଳକ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଉଚ୍ଚକୋଟୀର ଗବେଷଣା ତଥା ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ୨୭ ବର୍ଷର ଗବେଷଣା କାଳରେ ଡଃ ଜ୍ୟୋତିର୍ମୟୀ ବିବିଧ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି । ତନ୍ମଧ୍ୟରୁ ୨୦୦୯ ମସିହାରେ ଜାପାନ କେମିକାଲ୍ ସୋସାଇଟି ଦ୍ବାରା ଅଧ୍ୟାପନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି। ସେହିପରି ୨୦୧୦ରେ ଏସିଆ ଏବଂ ଓ​‌େସନିଆ ଫଟୋକେମେଷ୍ଟ୍ରି ଆସୋସିଏସନ ତରଫରୁ ‘ଯୁବ ବୈଜ୍ଞାନିକ ପୁରସ୍କାର’ ଓ ୨୦୧୧ ମସିହାରେ ପରମାଣୁ ଊର୍ଜା ବିଭାଗ ତରଫରୁ ବିଜ୍ଞାନ ଓ ପ୍ରାଦ୍ୟୋଗିକୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବତନ୍ତ୍ର ଭାବେ ପୁରସ୍କୃତ ହୋଇଛନ୍ତି। ଅନୁରୂପ ଭାବେ ଓଡିଶା ବିଜ୍ଞାନ ଏକାଡେମୀ ତରଫରୁ ୨୦୧୧ରେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି । ଡଃ ଜ୍ୟୋତିର୍ମୟୀଙ୍କ ଏକ ଶହରୁ ଅଧିକ ଗବେଷଣା ଜନିତ ନିବନ୍ଧ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଚ୍ଚପ୍ରଶଂସିତ ହୋଇଛି । ଡଃ ଜ୍ୟୋତିର୍ମୟୀ କଟକ ଚାଉଳିଆଗଞ୍ଜ ନିବାସୀ ଶିଶୁରୋଗ ବିଶେଷଜ୍ଞ ଡା. ବୈକୁଣ୍ଠନାଥ ପାତ୍ରଙ୍କ କନ୍ୟା ତଥା ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ବିଷ୍ଣୁଚରଣ ମହାନ୍ତିଙ୍କ ପୁତ୍ରବଧୂ ଓ ମୁମ୍ବଇ ନିବାସୀ ଉଦ୍ୟୋଗପତି ଡଃ ରଶ୍ମିରଂଜନ ମହାନ୍ତିଙ୍କ ସହଧର୍ମିଣୀ ଅଟନ୍ତି ।

Comments are closed.