ଶୀତାଙ୍କ ପିତା ଜନକଙ୍କ ଭୂମିକାରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ

0

ନୂଆଦିଲ୍ଲୀ : ରାଜନୈତିକ ଜୀବନରେ ପ୍ରତିଦିନ ଅଭିନୟ କରୁଥିବା କେନ୍ଦ୍ରମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ରଙ୍ଗମଞ୍ଚରେ ବାସ୍ତବ ଅଭିନୟ କରିଛନ୍ତି। ଏଠାରେ ଆୟୋଜିତ ରାମଲୀଳାରେ ସେ ଶୀତାଙ୍କ ପିତା ମିଥିଳା ରାଜା ଜନକଙ୍କ ଭୂମିକାରେ ଅଭିନୟ କରିଛନ୍ତି। ରାମଲୀଳାରେ ବଡ଼ ନିଶ ଲଗାଇ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ନିଜର ବକ୍ତବ୍ୟ ଉପସ୍ଥାପନ କଲାବେଳେ ଦର୍ଶକ ମନ୍ତ୍ରୀଙ୍କ ଏହି ଭିନ୍ନ ଭୂମିକାକୁ ବେଶ୍‍ ଉପଭୋଗ କରିଛନ୍ତି। ତେବେ ରାଜା ଭୂମିକା ନିଭାଇଥିବା ମନ୍ତ୍ରୀ ସ୍ୱଚ୍ଛ ପରିବେଶ ସମ୍ପର୍କରେ ନିଜର ପ୍ରଜାଙ୍କୁ ସଚେତନ କରାଇଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ଲାଲକିଲ୍ଲା ପଡ଼ିଆରେ ଲବକୁଶ କମିଟି ଦ୍ୱାରା ଆୟୋଜିତ ରାମଲୀଳାରେ ହର୍ଷ ବର୍ଦ୍ଧନ ଅଂଶଗ୍ରହଣ କରିଥିଲେ। ନୂଆ ରାଜକୀୟ ବେଶ ପୋଷାକରେ ତାଙ୍କୁ ହଠାତ୍‍ କେହି ଚିହ୍ନିବା ସମ୍ଭବ ନଥିଲା। ଅଭିନୟ ପୂର୍ବରୁ ସେ ଟ୍ୱିଟରରେ ଏହି ଭିନ୍ନ ଭୂମିକା ସମ୍ପର୍କରେ ସୂଚନା ଦେଇଥିବାରୁ ତାଙ୍କର ପ୍ରଶଂସକମାନେ ଏହାକୁ ୁପଭୋଗ କରିଥିଲେ। ଅଭିନୟବେଳେ ଜ୍ୱାଇଁ ରାମଙ୍କୁ ସେ କହିଥିଲେ କି ‘ମୁଁ ଅନୁଭବ କରିପାରୁଛି ଯେ ତୁମେ ପ୍ରାକୃତିକ ପରିବେଶରେ ବସବାସ କରିବାକୁ ଇଚ୍ଛାକରୁଛ। ହଁ; ଯଦି ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହେ ତାହାହେଲେ ସମସ୍ତେ ସୁଖଶାନ୍ତିରେ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିବେ।’ ପୂର୍ବ ବର୍ଷ ଭୋଜପୁରୀ ଅଭିନେତାରୁ ନେତା ହୋଇଥିବା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ରାମଲୀଳାରେ ଅଭିନୟ କରିଥିଲେ।

Leave A Reply