ଜରୁରିକାଳୀନ ଭିତ୍ତିରେ ସମନ୍ୱିତ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି : ଡ. ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ : ଦେଶରେ ନୋଭେଲ କୋରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ। ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଦିଲ୍ଳୀର ସମସ୍ତ ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ଓ ଅଧିକ୍ଷକମାନେ ଯୋଗ ଦେଇଥିଲେ। ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ସୁଶ୍ରୀ ପ୍ରୀତି ସୁଦାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମଗ୍ର ବିଶ୍ୱ ଏବଂ ଭାରତରେ କୋରୋନା ଭୂତାଣୁ ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସେ ସୂଚନା ଦେଇଥିଲେ ଯେ ବର୍ତମାନ ସୁଦ୍ଧା ୭୮ଟି ଦେଶ କୋରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାର ମୁକାବିଲା ଓ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚସ୍ତରୀୟ ସତର୍କତା ଅବଲମ୍ବନ କରାଯାଉଛି। ଚୀନ, ଇରାନ, କୋରିଆ, ଇଟାଲୀ ଓ ଜାପାନ ଆଦି ପ୍ରଭାବିତ ରାଷ୍ଟ୍ରକୁ ଗସ୍ତ ନକରିବା ଲାଗି ନୂଆ ଯାତ୍ରା ମାର୍ଗଦର୍ଶିକା ୩ ମାର୍ଚ୍ଚ, ୨୦୨୦ରେ ଜାରି କରାଯାଇଥିବା ସେ କହିଥିଲେ। ଅତ୍ୟଧିକ ଜରୁରି ନହେଲେ ଏସବୁ ଦେଶ ଗସ୍ତ ଉପରେ କଟକଣା ଜାରି କରାଯାଇଛି। ଏଥିପାଇଁ ଆତ୍ମଘୋଷଣାନାମା ଦାଖଲ କରିବାକୁ କୁହାଯାଇଛି।

କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ବିଶେଷ ସମନ୍ୱୟ ଦେଖିବାକୁ ମିଳିଛି। ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଏ ଦିଗରେ ବିଶେଷ ତତ୍ପରତା ପ୍ରକାଶ କରିବା ଉତ୍ସାହଜନକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏ ଦିଗରେ ଆହୁରି କ୍ଲଷ୍ଟର ନିରାକରଣ ରଣନୀତି ଆପଣାଇବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ଉତରଦାୟୀ କରିବା, ନିରୀକ୍ଷଣ ବ୍ୟବସ୍ଥା, ସମ୍ପର୍କ ଚିହ୍ନଟ ଏବଂ ସାମୁଦାୟିକ ସଂକ୍ରମଣର ନିରାକରଣ ଲାଗି ରାଜ୍ୟ ଓ ଜିଲ୍ଲାସ୍ତରୀୟ ନିରୀକ୍ଷଣ ଦଳକୁ ଆହୁରି ସୁଦୃଢ଼ କରିବା ଏବଂ ସଂକ୍ରମଣ ଶୃଙ୍ଖଳା ବିଚ୍ଛିନ୍ନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିରୀକ୍ଷଣ ବ୍ୟବସ୍ଥା, ରୋଗ ନିରୂପଣ ପରୀକ୍ଷାଗାର, ଡାକ୍ତରଖାନା ପ୍ରସ୍ତୁତି, ଲଜିଷ୍ଟିକ ପରିଚାଳନା, ସାମର୍ଥ୍ୟ ବିକାଶ ଏବଂ ଜଟିଳ ଯୋଗାଯୋଗ ଆଦି ମୌଳିକ ରୋଗ ମୁକାବିଲା ଓ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଡ. ହର୍ଷ ବର୍ଦ୍ଧନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ନିବେଦନ କରିଥିଲେ।

କୋରୋନା ଭୂତାଣୁ ସଂକ୍ରମିତ ଓ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ସ୍ଥାନରେ ରଖିବା ବ୍ୟବସ୍ଥା କରିବା ଲାଗି ରାଜ୍ୟଗୁଡ଼ିକୁ ଡ. ହର୍ଷ ବର୍ଦ୍ଧନ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲାରେ ଏପରି ସୁବିଧା କରିବା ଲାଗି ଲଜିଷ୍ଟିକ ଆବଶ୍ୟକତା ପୂରଣ କରିବା ତଥା ସ୍ଥାନୀୟ ଟିଭି ଚ୍ୟାନେଲ, ଏଫଏମ ରେଡିଓ ସମେତ ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମ ଜରିଆରେ ଗୋଷ୍ଠୀସ୍ତରୀୟ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆଇସିଏମଆର ସଚିବ ଡ. ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବା କୁମାର, ଡିଜିଏଚଏସ ଡ. ରାଜୀବ ଗର୍ଗ, ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ଏସଡିଏମସି, ଇଡିଏମସି, ଏନଡିଏମସି, କେନ୍ଦ୍ରୀୟ ବିଦ୍ୟାଳୟର କମିଶନର ଏବଂ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

Comments are closed.