କୋଭିଡ-୧୯ ନେଇ ମନ୍ତ୍ରୀଗୋଷ୍ଠୀର ବୈଠକ : ୭୯% ଜନସଂଖ୍ୟା ଥିବା ୩୦ ମହାନଗରରେ ଅଧିକ ମାମଲା

ଅଧିକ ସଂକ୍ରମିତ ଅଞ୍ଚଳ ଏବଂ ମୃତ୍ୟୁ ମାମଲା ପ୍ରତି ବିଶେଷ ଦୃଷ୍ଟି ଦେବା ଉପରେ ଡ. ହର୍ଷ ବର୍ଦ୍ଧନଙ୍କ ଗୁରୁତ୍ବାରୋପ

ନୂଆଦିଲ୍ଲୀ : କୋଭିଡ-୧୯ ଉପରେ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)ର ୧୫ତମ ବୈଠକ ଆଜି ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ, ଜାହାଜ ଚଳାଚଳ ଓ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ, ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ସିଂ ରାଓ୍ବତ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ବୈଠକ ଅବସରରେ ବିଶ୍ବସ୍ତରରେ ଏବଂ ଦେଶ ଭିତରେ କୋଭିଡ-୧୯ ମାମଲାର ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା । ବର୍ତ୍ତମାନ ବିଶ୍ବରେ ୪୨,୪୮,୩୮୯ ଜଣ ଲୋକ କୋଭିଡ-୧୯ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୬.୯୨% ହାରରେ ୨,୯୪,୦୪୬ ଜଣ ପ୍ରାଣ ହରାଇଛନ୍ତି ।

ଅପରପକ୍ଷରେ ଭାରତରେ ମୋଟ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୮୧,୯୭୦ରେ ପହଞ୍ଚିଥିବା ବେଳେ ୩.୨୩% ହାରରେ ୨,୬୪୯ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନସୁଦ୍ଧା ମୋଟ ୨୭,୯୨୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧,୬୮୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ଆରୋଗ୍ୟ ହାର ୩୪.୦୬%ରେ ପହଞ୍ଚିଛି। ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ଯେ ଲକଡାଉନ ପୂର୍ବରୁ ସଂକ୍ରମିତଙ୍କ ମାମଲା ଦ୍ବିଗୁଣିତ ହେବାର ହାର ୩.୪ ଦିନ ଥିବା ବେଳେ ଗତ ସପ୍ତାହରେ ଏହା ୧୨.୯ ଦିନରେ ପହଞ୍ଚିଛି ।
କୋଭିଡ-୧୯ର ଅବରୋଧ ରଣନୀତି ଏବଂ ମୁକାବିଲା ବିଭିନ୍ନ ଦିଗ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀ ସମୀକ୍ଷା କରିଥିଲେ। ଭାରତର ୭୯% ଜନସଂଖ୍ୟା ଥିବା ୩୦ଟି ମହାନଗର ଅଞ୍ଚଳରେ ଅଧିକ ସଂଖ୍ୟକ ମାମଲା ରହିଛି । କୋଭିଡ-୧୯ ମୁକାବିଲା ରଣନୀତି ଅଧିକ ସଂକ୍ରମିତ ଏବଂ ମୃତ୍ୟୁ ମାମଲା ଥିବା ରାଜ୍ୟଗୁଡ଼ିକରେ କାର୍ୟ୍ୟକାରୀ କରାଯିବା ଆବଶ୍ୟକ । ଏଥିପାଇଁ ଠିକ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରାଯିବା ଜରୁରି ବୋଲି ମନ୍ତ୍ରୀ ଗୋଷ୍ଠୀ ମତବ୍ୟକ୍ତ କରିଥିଲେ। ପ୍ରବାସୀ ଶ୍ରମିକ ଏବଂ ବିଦେଶରେ ରହୁଥିବା ନାଗରିକମାନେ ଫେରିବା କାରଣରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ଅବରୋଧ ଅଞ୍ଚଳ ପାଇଁ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ସୁପାରିସ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଗୋଷ୍ଠୀକୁ ଅବଗତ କରାଯାଇଥିଲା। ଇତିମଧ୍ୟରେ ଦେଶରେ ମେଡ଼ିକାଲ ଭିତ୍ତିଭୂମି ବୃଦ୍ଧି ପାଇଛି। ମୋଟ ୮,୬୯୪ଟି ଚିକିତ୍ସା ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିମଧ୍ୟରେ ରହିଛି ୯୧୯ଟି ସମର୍ପିତ କୋଭିଡ ହସ୍ପିଟାଲ, ୨୦୩୬ଟି କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୫,୭୩୯ ଟି କୋଭିଡ ଯତ୍ନ କେନ୍ଦ୍ର ରହିଛି । ଏଥିରେ ମୋଟ ୨,୭୭,୪୨୯ ଶଯ୍ୟା ରହିଛି, ଗୁରୁତର ରୋଗୀଙ୍କ ପାଇଁ ୨୯,୭୦୧ ଆଇସିୟୁ ଶଯ୍ୟା ଓ ୫,୧୫,୨୫୦ ଆଇସୋଲେନ କେୟାର ସେଣ୍ଟର ରହିଛି । ଆହୁରି ଆଜି ସୁଦ୍ଧା ଦେଶରେ କୋଭିଡ-୧୯ ମୁକାବିଲା ଲାଗି ୧୮,୮୫୫ ଭେଣ୍ଟିଲେଟର ପ୍ରସ୍ତୁତ ରଖାଯାଇଛି । ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ ଓ କେନ୍ଦ୍ରୀୟ ସଂସ୍ଥାନଗୁଡ଼ିକୁ କେନ୍ଦ୍ର ସରକାର ୮୪.୨୨ ଲକ୍ଷ ଏନ୯୫ ମାସ୍କ ଏବଂ ୪୭.୯୮ ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦେଇଛନ୍ତି। ଘରୋଇ ଉତ୍ପାଦନକାରୀମାନଙ୍କୁ ଭେଣ୍ଟିଲେଟର ତିଆରି କରିବା ପାଇଁ କୁହାଯାଇଛି ।
ସାରା ଦେଶରେ ୫୦୯ଟି ସରକାରୀ ଓ ଘରୋଇ ପରୀକ୍ଷାଗାର ସହାୟତାରେ ଦୈନିକ ନମୁନା ପରୀକ୍ଷଣ ସଂଖ୍ୟା ୧ଲକ୍ଷକୁ ବୃଦ୍ଧି ପାଇଛି । ଦେଶରେ ପାଖାପାଖି ୨୦ ଲକ୍ଷ ପରୀକ୍ଷା  କରାଯାଇସାରିଛି । ପରୀକ୍ଷା ସୁବିଧାକୁ ବଢ଼ାଇବା ପାଇଁ ଅତ୍ୟାଧୁନିକ ମେସିନ କିଣାଯାଉଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରେ କୋବାସ ୬୮୦୦ ମେସିନ ସ୍ଥାପନ କରାଯାଇଛି । ଯାହାକି କୋଭିଡ-୧୯ ପିସିଆର ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ସ୍ବୟଂକ୍ରିୟ, ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମେସିନ ଯାହା ତ୍ବରିତ ଫଳାଫଳ ପ୍ରଦାନ କରିପାରିବ। ଏଥିରେ ୨୪ ଘଣ୍ଟାରେ ୧୨୦୦ ନମୁନା ପରୀକ୍ଷା କରାଯାଇପାରିବ। ଆଇସିଏମଆରର ୧୫ଟି ଡିପୋ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କିଟ ଯୋଗାଇ ଦିଆଯାଉଥିବା ବେଳେ ଯଥେଷ୍ଟ ସଂଖ୍ୟକ କିଟ୍ ମହଜୁଦ ରହିଛି ।
ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ଲାଗି ଗୃହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ମିଶି ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନସୁଦ୍ଧା ୧୨ ହଜାର ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇ ସେମାନଙ୍କୁ ସେମାନଙ୍କ ରାଜ୍ୟରେ ସଙ୍ଗରୋଧରେ ରଖାଯାଇଛି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦାନ, ଓଏସଡି ତଥା ସଚିବ ରାଜେଶ ଭୂଷଣ, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା, ବାଣିଜ୍ୟ ସଚିବ ଅନୁପ ଓ୍ବାଧଓ୍ବାନ, ଆଇସିଏମଆର ଡିଜି ପ୍ରଫେସର ବଳରାମ ଭାର୍ଗବ, ଆଇଟିବିପି ଡିଜି ଆନନ୍ଦ ସ୍ବରୂପ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନୀଲ ମଲିକ, ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. ସିଏସ ମହାମାତ୍ର, ଅର୍ଥନୈତିକ ବ୍ୟାପାର ଅତିରିକ୍ତ ସଚିବ ଡ ସିଏସ ମହାମାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.