ବିଶିଷ୍ଟ ଡାକ୍ତର ଦୀପ୍ତିବାଳା ପଟ୍ଟନାୟକଙ୍କ ପରଲୋକ

ସମ୍ବଲପୁର: ସେବା ଓ ତ୍ୟାଗର ମୂର୍ତ୍ତି ଡା. ଦୀପ୍ତିବାଳା ପଟ୍ଟନାୟକଙ୍କ ଗୁରୁବାର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ପୁରୀ ସ୍ବର୍ଗଦ୍ବାରରେ ଆଜି ସନ୍ଧ୍ୟାରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ୨୦୧୨ ମସିହାରେ ତାଙ୍କ ସ୍ବାମୀ ପୂର୍ବତନ ଦେବଗଡ଼ ସାଂସଦ ପତିତପାବନ ପ୍ରଧାନଙ୍କ ମୃତ୍ୟୁ ପରେ ସେ ସମ୍ବଲପୁରରେ ରହି ସମାଜସେବା କରିବାକୁ ନିର୍ଣ୍ଣୟ ନେଇଥିଲେ।
ନିଜ ଜୀବନକୁ ଅନ୍ୟର ସେବା ସକାଶେ ସମର୍ପିତ କରିଥିବା ଡା. ପଟ୍ଟନାୟକ କଟକ କଲ୍ୟାଣପୁରରେ ଜୁନ ୫, ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିଲେ। କଟକରେ ବିଦ୍ୟାଳୟ ଶିକ୍ଷାପରେ ୧୯୬୧ ମସିହାରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ଲାଭ କରିଥିଲେ। ତତ୍‌କାଳୀନ ସମ୍ବଲପୁର ଜିଲା ବ୍ରଜରାଜନଗର ଇଏସ୍‌ଆଇ ଡାକ୍ତରଖାନାରୁ ଆରମ୍ଭ ହୋଇଥିଲା ତାଙ୍କ କର୍ମଜୀବନ। ଦୁଇବର୍ଷ ପରେ ସେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଗଦେଇ ୧୯୭୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କୁ ଟିଟିଲାଗଡ଼ ଓ ବଲାଙ୍ଗିର​‌କୁ ବଦଳି କରିଦିଆଗଲା। ସେତେବେଳେ ସ୍ବାମୀ ପତିତପାବନ ପ୍ରଧାନ ‘ମିସା’ରେ ଜେଲରେ ଏବଂ ସମ୍ବଲପୁରରେ ଚାରି ଝିଅଙ୍କୁ ଶାଶୁ ଓ ନଣନ୍ଦଙ୍କ ପାଖରେ ଛାଡ଼ି ଡା. ପଟ୍ଟନାୟକ ସେଠାରେ ତାଙ୍କ ଦାୟିତ୍ବ ତୁଲାଇଥିଲେ। ଜରୁରୀ ପରିସ୍ଥିତି ପରେ ସମ୍ବଲପୁର ସଦର ଡାକ୍ତରଖାନାକୁ ଫେରି ଡିଏମଓ (ମେଲେରିଆ), ଏଡିଏମଓ ଓ ପରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ପଦକୁ ପଦୋନ୍ନତି ପାଇଥିଲେ। ସମ୍ବଲପୁର ଓ ସୁନ୍ଦରଗଡ଼ରେ ସିଡିଏମଓ ଭାବେ କାର୍ଯ୍ୟ କରି ୧୯୯୭ ମସିହାରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଭାବରେ ଅବସରଗ୍ରହଣ କରିଥିଲେ। ଅବସରଗ୍ରହଣ ପରଦିନ ସେ ସମ୍ବଲପୁର ଓ ଆଖପାଖ ଜିଲା ପାଇଁ ଡେନମାର୍କ ସରକାରଙ୍କ କୁଷ୍ଠ ନିବାରଣ କାର୍ଯ୍ୟକ୍ରମର ନିର୍ଦେଶକ ଭାବରେ ଯୋଗଦେଇ ୨୦୦୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେ ଜିଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷା ମଧ୍ୟ ଥିଲେ। ଏହାପରେ ସେ ରେଡକ୍ରସ, ଲାୟନ୍ସ କ୍ଲବ, ରୋଟାରୀ ଇଣ୍ଟରନେସନାଲ ଆଦି ସହିତ ଜଡ଼ିତ ରହି ସମାଜସେବା ଜାରି ରଖିଥିଲେ।

ତାଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ସମାଜସେବୀ ଡା. ନାରାୟଣୀ ପଣ୍ଡା କହିଛନ୍ତି ଯେ, ଦୀପ୍ତିବାଳା ପିଲାଦିନୁ ମୋ ସହପାଠୀ। ଡାକ୍ତରୀ ପାଠପଢ଼ାରେ ମୋଠାରୁ ଦୁଇବର୍ଷ କନିଷ୍ଠ। ଭାରୀ କର୍ମତତ୍ପର, ମିଷ୍ଟଭାଷୀ, ସୁପ୍ରଶାସକ। ଅବସର ଗ୍ରହଣ ପରେ ରୋଟାରୀ କ୍ଳବ ଓ ସମାଜସେବାରେ ଏକସଙ୍ଗେ ମିଶି ବହୁ କାମ କରିଛୁ। ମୋ ପରେ ଜିଲା ରେଡକ୍ରସର ଉପାଧ୍ୟକ୍ଷା ହୋଇଥିଲେ। କରୋନା ପୂର୍ବରୁ ମୁଁ ଭୁବନେଶ୍ବର ଯାଇ ଭେଟ ହୋଇଥିଲି। ଚାରିଦିନ ପୂର୍ବରୁ ତାଙ୍କ ଝିଅକୁ ଫୋନ କରିଥିଲି, ମା’ଙ୍କ ଦେହ ଭଲ ନାହିଁ ବୋଲି କହିଥିଲା। ବହୁତ ଦୁଃଖ ଲାଗୁଛି। ମୋର ଜଣେ ବହୁତ ଭଲ ବନ୍ଧୁ ଚାଲିଗଲା ବୋଲି କହି ଡା. ପଣ୍ଡା ଦୁଃଖପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ଦୀପ୍ତିବାଳା ପଟ୍ଟନାୟକ ମାନବସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ସେ ଜୀବନବ୍ୟାପୀ ଆତ୍ମପ୍ରଚାରଠାରୁ ଦୂରେଇ ରହି ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା କରିଥିବାବେଳେ ଶେଷ ସମୟରେ ଶାରୀରିକ ଅସୁସ୍ଥତା ସତ୍ତ୍ବେ ରୋଗୀଙ୍କୁ ଔଷଧ ଓ ଚିକିତ୍ସା ପରାମର୍ଶ ଦେଉଥିଲେ। ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାର ରୋଗୀ ଚିକିତ୍ସା ଓ ସମାଜସେବା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଡା. ପାଣିଗ୍ରାହୀ କହିଛନ୍ତି। ଜିଲା ଓକିଲ ସଂଘ ସଭାପତି ଡଃ ପ୍ରମୋଦ ରଥ ଓ ସମ୍ପାଦକ ରବିନାରାୟଣ ପୂଜାରୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ତାଙ୍କ ଅବଦାନ ବିଷୟରେ ମନେପକାଇ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡଃ ରଥ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଥିବା ସମୟରେ ଦୀପ୍ତିବାଳାଙ୍କ ସହଯୋଗ ଓ ମାର୍ଗଦର୍ଶନ ବିଷୟରେ ଶୋକବାର୍ତ୍ତାରେ ଉଲ୍ଲେଖ କରିବା ସହ ତାଙ୍କ ବିୟୋଗ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରିଛନ୍ତି।

Comments are closed.