ଦୁଃଖ ବ୍ୟକ୍ତିଗତ କିନ୍ତୁ କର୍ତ୍ତବ୍ୟ ସାମାଜିକ – ରାଜଧର୍ମ ପାଇଁ ମାତୃମୋହକୁ ଉତ୍ସର୍ଗୀକୃତ କଲେ ଡାକ୍ତର ଅଶୋକ ଦାସ

ସମ୍ବଲପୁର(ବିରାଜ ମିଶ୍ର): ଜନ୍ମ କରିଥିବା ମା’ର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରନ୍ତି ନାହିଁ। ଦୁଃଖରେ ଭାଙ୍ଗି ପଡି ଅନେକ ଶୁଦ୍ଧକ୍ରିୟା ଶେଷ ନ ହେବା ଯାଏଁ ଘରୁ ବାହାରି ନ ଥାନ୍ତି। କିନ୍ତୁ ସମ୍ବଲପୁର ଜିଲ୍ଲାରେ କରୋନା ଭୂତାଣୁର ମୁକାବିଲା ଦାୟିତ୍ୱରେ ରହିଥିବା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ଜନସ୍ୱାସ୍ଥ୍ୟ) ଡା. ଅଶୋକ ଦାସ ନିଜର ମାଙ୍କ ମୃତ୍ୟୁ ପରେ ଗୋଟିଏ ଦିନ ମଧ୍ୟ ଛୁଟି ନ ନେଇ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି। ସମ୍ବଲପୁରର ବଡବଜାର ନିବାସୀ ଡା. ଦାସ ସବୁଦିନ ଭଳି ୧୭ ତାରିଖ ସକାଳୁ ନିତ୍ୟକର୍ମ ସାରି ନିଜର କାର୍ଯ୍ୟସ୍ଥଳକୁ ବାହାରି ଯାଇଥିଲେ। କିନ୍ତୁ ବହୁ ଦିନରୁ ଶଯ୍ୟାଶାୟୀ ରହିଥିବା ତାଙ୍କ ମାତା ପଦ୍ମିନୀ (୮୫) ସ୍ୱର୍ଗାରୋହଣ କରିଥିଲେ। ଖବର ପାଇ ଡା. ଦାସ ଘରକୁ ଫେରି ମାଙ୍କ ଶେଷ ଦର୍ଶନ କରି ପୁର୍ନବାର ନିଜର କାର୍ଯ୍ୟସ୍ଥଳକୁ ବାହାରି ଯାଇଥିଲେ। କିଛି ପରିବାର ସଦସ୍ୟ ଘରକୁ ପହଞ୍ଚି ପାରି ନ ଥିବାରୁ ସ୍ୱର୍ଗତ ପଦ୍ମିନୀଙ୍କର ମରଶରୀରକୁ ତାଙ୍କର ବାସଭବନରେ ଦିନତମାମ ରଖାଯାଇଥିବା ବେଳେ ଡା. ଦାସ ନିଜର କର୍ମରେ ବ୍ୟସ୍ତ ରହିଥିଲେ। ସନ୍ଧ୍ୟା ସମୟରେ ସମସ୍ତ ସର୍ମ୍ପକୀୟ ପହଞ୍ଚିବା ପରେ ସେ ଘରକୁ ଫେରି ଶେଷଯାତ୍ରାରେ ସାମିଲ ହୋଇ ମାଙ୍କୁ କାନ୍ଧ ଦେଇଥିଲେ ଏବଂ ଶବ ସତ୍କାର ପରେ ପୁର୍ନବାର କାର୍ଯ୍ୟସ୍ଥଳକୁ ଫେରିଯାଇଥିଲେ।

ଏ ସର୍ମ୍ପକରେ ଡା. ଦାସ କହିଛନ୍ତି ଯେ ବର୍ତ୍ତମାନ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ପ୍ରାଧାନ୍ୟତା ଦେଇ ସେ ରୋଗୀ ସେବାକୁ ଶ୍ରେୟ ମଣିଥିଲେ। ବର୍ତ୍ତମାନର କଷ୍ଟକର ପରିସ୍ଥିତି ମଧ୍ୟରେ ନିଜସ୍ୱ ଦୁଃଖରେ ଭାଙ୍ଗି ନ ପଡି ରୋଗୀଙ୍କ ଦୁଃଖ ଦୂର କରିବା ପ୍ରାଥମିକତା ଅଟେ। ଦୁଃଖ ବ୍ୟକ୍ତିଗତ ହେଲେ ମଧ୍ୟ କର୍ତ୍ତବ୍ୟ ସାମାଜିକ ଅଟେ। ଏହି ଘଡିସନ୍ଧି ମୁହୁର୍ତ୍ତରେ ପରିବାରର ଦାୟିତ୍ୱ ଅପେକ୍ଷା ଏବେ ସାମାଜିକ ଗୁରୁଦାୟିତ୍ୱ ବେଶି ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ମୁଁ ଛୁଟି ନ ନେଇ ମୋର କର୍ତ୍ତବ୍ୟ ସମ୍ପାଦନ କରୁଛି ବୋଲି ଡା. ଦାସ କହିଛନ୍ତି। ଡା. ଦାସଙ୍କର ଏହି କର୍ତ୍ତବ୍ୟ ନିଷ୍ଠା ଆଜିର ପିଢ଼ି ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଛି। ତାଙ୍କର ଏଭଳି ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ ପାଇଁ ସମସ୍ତେ ଏବେ ଶତମୁଖ। ସୂଚନାଯୋଗ୍ୟ ଯେ, ଗତ ୨୦୧୪ ମସିହାରେ ସମ୍ବଲପୁର ଜଣ୍ଡିସ ଦ୍ୱାରା ଗ୍ରସିତ ହୋଇଥିବା ବେଳେ ମଧ୍ୟ ସେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ଜନସ୍ୱାସ୍ଥ୍ୟ) ଭାବରେ କାର୍ଯ୍ୟରତ ରହିଥିଲେ ଏବଂ ତାଙ୍କର ଦକ୍ଷତା ଓ କର୍ତ୍ତବ୍ୟପରାୟଣ ପାଇଁ ସେ ସମୟରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲେ।

Comments are closed.