ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ; ଅଭିଯୁକ୍ତ ସ୍ୱାମୀ ଓ ଶାଶୁ ଅଟକ

ପିପିଲି: ପିପିଲି ଥାନା ପମସରା ପଞ୍ଚାୟତ ଅନ୍ତର୍ଗତ ଭଉଳ ଗ୍ରାମର କୂଳବଧୂ ରିଙ୍କି ସାହୁ ଓରଫ ରିୟା (୨୫)କୁ ଅଧିକ ଯୌତୁକ ପାଇଁ ଆଜି ସ୍ୱାମୀ ସମେତ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି। ଏନେଇ ପିପିଲି ପୁଲିସ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ୱାମୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ମୃତା ରିଙ୍କିଙ୍କ ମାଆ ସୁକାନ୍ତି ପରିଡା ପିପିଲି ପୁଲିସରେ କରିଥିବା ଅଭିଯୋଗ ଅନୁଯାଇ, ପିପିଲି ଥାନା ଅନ୍ତର୍ଗତ ଭଉଳ ଗ୍ରାମର ସ୍ୱର୍ଗତ ବଟକୃଷ୍ଣ ସାହୁଙ୍କ ପୁତ୍ର ବ୍ରଜମୋହନ ଓରଫ ବିଶ୍ୱଜିତ୍‍ ସାହୁ(୩୦)ଙ୍କର ବିବାହ ଗତ ୫ବର୍ଷ ତଳେ ନିକଟବର୍ତ୍ତୀ ମଗଲପୁର ଗ୍ରାମର ପ୍ରସନ୍ନ ପରିଡାଙ୍କ କନ୍ୟା ରିଙ୍କିଙ୍କ ସହ ବୈଦିକ ରିତିରେ ହୋଇଥିଲା। ତେବେ ରିଙ୍କିଙ୍କର ୨ଟି ଶିଶୁପୁତ୍ର ଥିବା ବେଳେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ବିଭିନ୍ନ ସମୟରେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏନେଇ ପିପିଲି ପୁଲିସରେ ଏକାଧିକ ଥର ଲିଖିତ ଅଭିଯୋଗ ହୋଇଥିବା ବେଳେ ଶେଷଥର ପାଇଁ ଗତ ୫ ତାରିଖରେ ପୁଲିସରେ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ ଘଟଣାର ଆପୋଷ ସମାଧାନ ହେବା ପରେ ରିଙ୍କିକୁ ଶାଶୁଘର ଲୋକେ ବାପଘରୁ ଭଉଳକୁ ନେଇଥିଲେ।

 

ରିଙ୍କିଙ୍କୁ ଖାଇବାକୁ ଦିଆଯାଉନଥିବା ଓ ଔଷଧ ମଧ୍ୟ ଦିଆଯାଉନଥିବା ବେଳେ ସ୍ୱାମୀ ସମେତ ଶାଶୁଘର ଲୋକେ ତାଙ୍କୁ ବାଡିଆପିଟା କରୁଥିବା ସଂପର୍କରେ ରିଙ୍କି ଆଜି ସକାଳ ସାଢେ ୮ଟା ସମୟରେ ନିଜ ମାଆ ସୁକାନ୍ତିଙ୍କୁ ଫୋନ୍‍ କରି କହିଥିଲେ। ଝିଅ ଠାରୁ ଏକଥା ଶୁଣିବା ପରେ ସୁକାନ୍ତି ଓ ତାଙ୍କ ସ୍ୱାମୀ ପ୍ରସନ୍ନ ଭଉଳ ଗ୍ରାମ ସ୍ଥିତ ଝିଅର ଘରକୁ ଯାଇଥିଲେ। ଘର ଭିତରେ ଝିଅ ପାଟିରୁ ବଚ କାଢି ପଡିଥିବା ଓ ପାଖରେ ଏକ ଦଉଡା ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ। ରିଙ୍କିକୁ ତାଙ୍କ ଶାଶୁଘର ଲୋକେ ମିଳିମିଶି ହତ୍ୟା କରିଛନ୍ତି ବୋଲି ସୁକାନ୍ତି ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ପିପିଲି ଥାନା ଆଇଆଇସି ଅଭିମନ୍ୟୁ ନାୟକଙ୍କ ନିର୍ଦ୍ଦେଶରେ ଏଏସ୍‍ଆଇ ପ୍ରକାଶ ମଲ୍ଲିକ ଭଉଳ ଗ୍ରାମରେ ପହଞ୍ôଚ ମୃତଦେହକୁ ପିପିଲି ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପିପିଲି ପୁଲିସରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପୁଲିସ ମୃତଦେହକୁ ଜବତ କରିଛି। ରବିବାର ମୃତଦେହକୁ ପଞ୍ଚାନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସୁରମା ସ୍ୱାଇଁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ସ୍ୱାମୀ ଓ ଶାଶୁକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।

Comments are closed.