ଗୁଲଶନ କୁମାର ହତ୍ୟା ମାମଲା; ଦାଉଦ ମର୍ଚ୍ଚାଣ୍ଟଙ୍କ ବିରୁଦ୍ଧରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ବମ୍ବେ ହାଇକୋର୍ଟ

ଦାଉଦ ମର୍ଚ୍ଚାଣ୍ଟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ଅପରିବର୍ତ୍ତିତ

ମୁମ୍ବଇ: ଗୁଲଶନ କୁମାର ହତ୍ୟା ମାମଲାରେ ଅବଦୁଲ ରୌଫ ଓରଫ ଦାଉଦ ମର୍ଚ୍ଚାଣ୍ଟଙ୍କୁ ଦୋଷୀ ବୋଲି ପ୍ରତି ନିମ୍ନ ଅଦାଲତ ଦେଇଥିବା ଆଦେଶ ସହିତ ତାଙ୍କ ବିରୁଦ୍ଧରେ ହୋଇଥିବା ଦଣ୍ଡାଦେଶକୁ ଠିକ୍‍ ବୋଲି ଦର୍ଶାଇଛନ୍ତି ବମ୍ବେ ହାଇକୋର୍ଟ । ବଲିଉଡର ଜଣେ ବିଶିଷ୍ଟ ଗାୟକ ତଥା ଟି-ସିରଜର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କୁ ହତ୍ୟା କରାଯିବାର ୨୪ ବର୍ଷ ପରେ ମାନ୍ୟବା ହାଇକୋର୍ଟ ଗୁରୁବାର ଏହି ରାୟ ପ୍ରକାଶ କରିଛନ୍ତି । ୧୯୯୭ ଅଗଷ୍ଟ ୧୨ ତାରିଖରେ ଗୁଲଶନ କୁମାରଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ଅନେକ ଲୋକଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯାଇଥିଲା । ତତ୍କାଳୀନ ଦୌରା ଜଜ ଏମ ଏଲ ତାହିଲିୟାନି ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ଅବଦୁଲ ରୌଫ ଓରଫ ଦାଉଦ ମର୍ଚ୍ଚାଣ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦୦୨ ଏପ୍ରିଲରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । କିନ୍ତୁ ମର୍ଚ୍ଚାଣ୍ଟ ଏହା ବିରୁଦ୍ଧରେ ହାଇକୋର୍ଟରେ ଅପିଲ କରିଥିଲେ । ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିଜ ଯାଦବ ଏବଂ ଜଷ୍ଟିସ ବୋରକାରଙ୍କୁ ନେଇ ଗଠିତ ଏକ ପୀଠ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ ରଖିବା ସହିତ ଦାଉଦ ମର୍ଚ୍ଚାଣ୍ଟଙ୍କୁ ଦୋଷୀ ସାବ୍ୟସ୍ତ ଠିକ୍‍ ବୋଲି ଦର୍ଶାଇଛନ୍ତି । ଏଥିସହିତ ତାଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନକୁ ମଧ୍ୟ ମାନ୍ୟବର ହାଇକୋର୍ଟ କାଏମ ରଖିଛନ୍ତି ।

Comments are closed.