ସମଲିଙ୍ଗୀ ସମ୍ପର୍କକୁ ବିରୋଧ; ମା’କୁ ହତ୍ୟାକଲା ଝିଅ

0

ଗାଜିଆବାଦ : ସମଲିଙ୍ଗୀ ବିବାହ ପାଇଁ ଅରାଜି ହେବାରୁ ଜଣେ ଯୁବତୀ ତାର ସାଥୀ ସହିତ ନିଜ ମା’କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମୃତ ମହିଳାଙ୍କ ସ୍ୱାମୀ ସତୀଶ କୁମାରଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ କବି ନଗର ଥାନା ପୁଲିସ ସମ୍ପୃକ୍ତ ଯୁବତୀ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ଗତ ମାର୍ଚ୍ଚ ୯ତାରିଖରେ ସତୀଶ କୁମାର ଥାନରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ ସତୀଶ କୁମାରଙ୍କ ଝିଅ ରଶ୍ମୀ ରାଣା(୨୧) ଓ ତାଙ୍କର ଶିକ୍ଷୟିତ୍ରୀ ନିଶା ଗୌତମ ମିଶି ସତୀଶଙ୍କ ପତ୍ନୀ ପୁଷ୍ପା ଦେବୀଙ୍କୁ ଲୁହା ଛଡ଼ରେ ପିଟି ଗୁରୁତର ଆହତ କରିଥିଲେ; ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା। ସତୀଶଙ୍କ ଅଭିଯୋଗ କ୍ରମେ ସୋମବାର ପୁଲିସ ରଶ୍ମୀ ଓ ନିଶାଙ୍କୁ ଗାଜିଆବାଦ ରେଳବାଇ ଷ୍ଟେସନ୍‌ରୁ ଗିରଫ କରିଥିଲା। ଜେରାବେଳେ ରଶ୍ମୀ ସ୍ୱୀକାର କରିଥିଲେ ଯେ ନିଶା ଓ ତାଙ୍କ ମଧ୍ୟରେ ମିଳାମିଶାକୁ ମା’ ପୁଷ୍ପା ବିରୋଧ କରିବା ସହ ସେମାନଙ୍କୁ ନିର୍ଯାତନା ଦେଉଥିଲେ ଏବଂ ବିବାହ ପାଇଁ ଅନୁମତି ଦେଇ ନଥିଲେ। ଏଥିରେ କ୍ଷୁବ୍ଧ ହୋଇ ଉଭୟ ମିଶି ତାଙ୍କୁ ଲୁହାଛଡ଼ରେ ପିଟିଥିଲେ। ସେତେବେଳେ ସତୀଶ ଘରେ ଅନୁପସ୍ଥିତ ଥିଲେ। ଏହି ସ୍ୱୀକାରୋକ୍ତି ପରେ ଉଭୟ ରଶ୍ମୀ ଓ ନିଶାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

Leave A Reply