କରୋନା ସ୍ଥିତିରେ ଉନ୍ନତି : ୧୦ ଦିନ ଓ ୯ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ ହେଉଛି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିରେ ଉନ୍ନତି ଘଟିଛି । ହଟସ୍ପଟ ଜିଲ୍ଲା ସଂଖ୍ୟା ହ୍ରାସ ପାଇବା ସହ ଆରୋଗ୍ୟ ହାର ବୃଦ୍ଧି ପାଇଛି। ଦେଶରେ ୩୦୭ଟି ଜିଲ୍ଲା ଗ୍ରୀନ୍‍ ଜୋନରେ ଥିବା ବେଳେ ୨୯୭ଟି ଜିଲ୍ଲା ଅରେଞ୍ଜ ଜୋନରେ ଓ ୧୨୮ଟି ଜିଲ୍ଲା ରେଡ୍‍ ଜୋନରେ ରହିଛି । ସେହିପରି କୋଭିଡ୍‍-୧୯ ଆରୋଗ୍ୟ ହାର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ତେବେ ଅଧିକରୁ ଅଧିକ ଜିଲ୍ଲାକୁ ଗ୍ରୀନ୍‍ ଜୋନ୍‍ ମଧ୍ୟକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ପ୍ରତି ୧୦ ଦିନ ଓ ୯ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ପ୍ରତି ୧୦ ଦିନ ଓ ୨ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ ହେଉଥିଲା ।

ଅନ୍ୟପକ୍ଷରେ କୋଭିଡ୍‍-୧୯ ଆରୋଗ୍ୟ ହାର ଶତକଡ଼ା ୨୩. ୩ ଭାଗକୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଦେଶର ୭୬ଟି ଜିଲ୍ଲାରେ ଗତ
୭ଦିନ ଧରି କୌଣସି ନୂଆ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି ଓ ଗତ ୧୪ ଦିନ ଧରି ଦେଶର ୪୫ଟି ଜିଲ୍ଲାରେ ମଧ୍ୟ କୌଣସି ନୂଆ ବ୍ୟକ୍ତି
ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି । ଦେଶର ୩୯ଟି ଜିଲ୍ଲାରେ ଗତ ୨୧ ଦିନ ଧରି ଆଉ କୌଣସି ନୂଆ ଲୋକ କୋଭିଡ୍‍-୧୯ରେ ସଂକ୍ରମିତ
ହୋଇନଥିବା ବେଳେ ଗତ ୨୮ଦିନ ହେଲା ଦେଶର ୧୭ଟି ଜିଲ୍ଲାରେ କୌଣସି ନୂଆ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି ।
ଏଥିରୁ ପରିସ୍ଥିତିରେ ଉନ୍ନତି ଘଟୁଥିବାର ସ୍ପଷ୍ଟ ସୂଚନା ମିଳୁଛି ।

Comments are closed.