ସୁନ୍ଦରଗଡ଼ ଏସ୍‍ପିଙ୍କ ଡବଲ ଆକ୍ସନ ପ୍ଲାନ

-ସ୍ୱୟଂ ଚାଳିତ କାରବାଇନ ସମେତ ୮ପିସ୍ତଲ, ୨ଜୀବନ୍ତ ଗୁଳି ଜବତ
-୪ଲକ୍ଷ ୮୧ହଜାର ୫ଶହ ଟଙ୍କା ଜବତ
-ପିଏଲଏଫଆଇ ଓ ଝାଡ଼ଖଣ୍ଡ ବାଦଶାହା ଗୋଷ୍ଠୀ ସହ ସଂପୃକ୍ତ ୨ ଗିରଫ
-ଚଢ଼ଉ ବେଳେ ପୁଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ

ସୁନ୍ଦରଗଡ଼: ନୂଆ ତ ନୂଆ ପୁରୁଣା ଦୁର୍ଦ୍ଧାନ୍ତ ଅପରାଧିଙ୍କୁ ଥାନା ୱାରୀ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁନ୍ଦରଗଡ଼ ଏସପି ଡବଲ ଆକ୍ସନ ପ୍ଲାନ କାର୍ୟ୍ୟକାରୀ କରୁଛନ୍ତି। କେତେକ ଥାନା ଅଞ୍ଚଳରେ ପୁରୁଣା ଦୁର୍ଦ୍ଧାନ୍ତ ଅପରାଧିମାନେ ସକ୍ରିୟ ନ ଥିଲେ ମଧ୍ୟ ସେମାନଙ୍କ ଦିମାଗ ବିଭିନ୍ନ ଅପରାଧିକ କାର୍ୟ୍ୟକଳାପରେ ସଂପୃକ୍ତ ରହିଥିବାର ଜଣାପଡ଼ିବା ପରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଏ ନୂଆ ଫର୍ମୁଲା ‘ଡବଲ ଆକ୍ସନ’ ଆରମ୍ଭ କରିଛନ୍ତି।

ଏହି ଫର୍ମୁଲା ଅନୁସାରେ, ବିଶେଷ କରି ପୂର୍ବରୁ ପି.ଏଲ.ଏଫ.ଆଇ, ଝାଡ଼ଖଣ୍ଡ ବାଦଶାହା, ଟି.ଏମ.ଟି, ପାହାଡ଼ି ଚିତା ଭଳି ଦୁର୍ଦ୍ଦାନ୍ତ ଗୋଷ୍ଠୀର ପୁରୁଣା ଫାଇଲ ଖୋଲାଯାଇ ଅନୁଧ୍ୟାନ କରାଯାଉଥିବାର ଜଣାପଡ଼ିଛି। ବିଶେଷ କରି ସୁନ୍ଦରଗଡ଼ ପୁଲିସ ଜିଲାର ବୀରମିତ୍ରପୁର, ରାଏବୋଗା, ହାତିବାରି, ତଳସରା, ରାଜଗାଙ୍ଗପୁର, କୁତ୍ରା ପ୍ରଭୃତି ଥାନା ଅଞ୍ଚଳରେ ପୂର୍ବରୁ ଏହି ଦୁର୍ଦ୍ଦାନ୍ତ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ନାରକୀୟ ଘଟଣା ଘଟାଇ ଜିଲାବାସୀଙ୍କୁ ଆତଙ୍କିତ କରି ପକାଇଥିଲେ। ସମୟକ୍ରମେ ସୁନ୍ଦରଗଡ଼ ପୁଲିସର ତତକାଳୀନ ଏସପି ସଞ୍ଜିବ ଆରୋରାଙ୍କ ନେତୃତ୍ୱରେ ପି.ଏଲ.ଏଫ.ଆଇର ମାଷ୍ଟର ମାଇଣ୍ଡ ସମେତ ବହୁ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର କରାଯାଇଥିଲା। ପରେ ଏହି ଗୋଷ୍ଠୀଙ୍କ ସୁନ୍ଦରଗଡ଼ ପୁଲିସ ଜିଲାରେ ପ୍ରଭାବ ହ୍ରାସ ପାଇଥିଲେ ହିଁ ଏବେବି ଏହି ଗୋଷ୍ଠୀର ବହୁ ପୁରୁଣା ସମର୍ଥକ ଓ ସଦସ୍ୟ ରହିଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ହେଲେ ଏସପି ସାଗରିକା ନାଥଙ୍କ ଡବଲ ଆକ୍ସନ ନେଟୱାର୍କରେ ଏହା ସ୍ପଷ୍ଟ ହେବା ପରେ ଅପରେସନ ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଯୋଜନା ମୁତାବକ, ସୁନ୍ଦରଗଡ଼ ପୁଲିସର ଏକ ସ୍ୱତନ୍ତ୍ର ଦଳ ରାଏବୋଗା ଥାନା ଅଞ୍ଚଳ କାଦୋବାହାଲ ଗ୍ରାମରେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ରାଜୁ କିଣ୍ଡୋ ନାମକ ଅପରାଧି ପୁଲିସ ଏଏସଆଇ ସୁନ୍ଦରମଣୀ ନାଏକଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ହିଁ ଏଏସଆଇ ନାଏକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ନିଜକୁ ବଞ୍ଚାଇବା ସହ ଅପରାଧି ରାଜୁ କିଣ୍ଡୋକୁ କାବୁ କରିନେଇଥିଲେ। ପରେ ପୁଲିସ ଦଳ ପଚରାଉଚୁରା କରିବାରୁ ସେ ମାଟି ଭିତରେ ଲୁଚାଇ ରଖିଥିବା ସ୍ୱୟଂ ଚାଳିତ କାରବାଇନ ସମେତ ଅନ୍ୟାନ୍ୟ ପିସ୍ତଲ ସଂପର୍କରେ ସୂଚନା ଦେଇଥିଲା। ପରେ ଏହି ସ୍ୱତନ୍ତ୍ର ପୁଲିସ ଦଳ ପ୍ଲାଷ୍ଟିକରେ ରଖାଯାଇଥିବା କାରବାଇନ ସମେତ ୮ପିସ୍ତଲ ଜବତ କରିବା ସହ ୪ଲକ୍ଷ ୮୧ହଜାର ୫ଶହ ଟଙ୍କା ମଧ୍ୟ ଉଦ୍ଧାର କରିଥିଲେ। କେବଳ ସେତିକି ନୁହେଁ ଏହି ଗ୍ରାମର ସାନମୁନୁ ସାହୁ(୪୫)ଙ୍କୁ ଅଭିଯୁକ୍ତ ରାଜୁ ଆଉ ଏକ ବନ୍ଧୁକ ଦେଇଥିବାର ସ୍ୱିକାର କରିବା ପରେ ପୁଲିସ ଦଳ ତାଠୁ ମଧ୍ୟ ଏକ ପିସ୍ତଲ ଜବତ କରିଥିଲେ। ଆଜି ଏସପିଙ୍କ ଆବାସିକ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇ ଏସପି ସାଗରିକା ନାଥ କହିଲେ ଯେ, ଗିରଫ ରାଜୁ କିଣ୍ଡୋଙ୍କ ବିରୁଧରେ ନର ହତ୍ୟା, ଡକାଇତି, ବୋମା ବିଷ୍ପୋରଣ, ହତ୍ୟା ଉଦ୍ୟମ ଭଳି ୭ଟି ସଂଗିନ ମାମଲାରେ ସଂପୃକ୍ତି ରହିଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟରେ ମଧ୍ୟ କେତେକ ମାମଲାରେ ସଂପୃକ୍ତ ଥିବାର ଜଣାପଡ଼ିଛି ହେଲେ ପି.ଏଲ.ଏଫ.ଆଇର ପୂର୍ବ ମୁଖିଆ ମୃତ ଜୟଧରଙ୍କ ସହ ରାଜୁର ସଂପୃକ୍ତି ଥିବାର ରାଜୁ ନିଜେ ପୁଲିସ ନିକଟରେ ସ୍ୱିକାର କରିଛି। ରାଜୁର ଅପରାଧିକ କାର୍ୟ୍ୟକଳାପ ସଂପର୍କରେ ଝାଡ଼ଖଣ୍ଡ ପୁଲିସ ମଧ୍ୟ ସୁନ୍ଦରଗଡ଼ ପୁଲିସକୁ ବହୁ ତଥ୍ୟ ପ୍ରଦାନ କରିଥିବାର ଜରାପଡ଼ିଛି। ତଦନ୍ତରେ ବ୍ୟାଘାତ ହେବା ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଗଣମାଧ୍ୟମକୁ ଦିଆଯାଇନଥିଲେ ମଧ୍ୟ ଆଗାମୀ ଦିନରେ ଏହି ଗିରଫଦାରୀରୁ ଆହୁରି ଅନେକ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଆରମ୍ଭରୁ ଆଜି ପର୍ୟ୍ୟନ୍ତ ଏଭଳି ଅସ୍ତ୍ରଶସ୍ତ୍ର କେବେ ଜବତ ହୋଇନଥିବା ବେଳେ ଏଭଳି ଦୁର୍ଦ୍ଧାନ୍ତ ଅପରାଧିଙ୍କୁ ମଧ୍ୟ ଗିରଫ କରାଯାଇନଥିବାରୁ ଏହା ସୁନ୍ଦରଗଡ଼ ପୁଲିସ ପାଇଁ ଏକ ବଡ଼ ସଫଳତା କହିଲେ ଭୁଲ ହେବ ନାହିଁ। ଗିରଫ ଅଭିଯୁକ୍ତ ରାଜୁ ଓ ସନାମୁନୁକୁ ଆଜି ଅଦାଲତରେ ହାଜର କରାଯାଇଥିବା ବେଳେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅତିରିକ୍ତ ଏସପି ରବିନାରାୟଣ ବାରିକଙ୍କ ତତ୍ତ୍ୱାବଧାନରେ ଏହି ମାମଲା ତଦାରଖ କରାଯାଉଥିବା ବେଳେ ଆଇ.ୟୁ.ସି.ଡବ୍ଲୁ ଇନ୍ସପେକ୍ଟର ସୁର୍ୟ୍ୟକାନ୍ତି ଦାସ ଘଟଣାର ତଦନ୍ତ କରୁଥିବାର ଜଣାପଡ଼ିଛି।

Comments are closed.