ଆଜିଠୁ ଦୂରଦର୍ଶନରେ ‘ରାମାୟଣ’ ପ୍ରସାରଣ

ନୂଆଦିଲ୍ଲୀ : କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ ହୋଇଥିବାବେଳେ ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ଅଶୀଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ପୁଣିଥରେ ପ୍ରସାରିତ ହେବ। ଆସନ୍ତାକାଲି(ଶନିବାର)ଠାରୁ ଏହି ଧାରାବାହିକ ଗୋଟିଏ ଏପିସୋଡ୍‌ ସକାଳ ୯ରୁ୧୦ ପର୍ଯ୍ୟନ୍ତ ପ୍ରସାରିତ ହେବାକୁ ଥିବାବେଳେ ଆଉଏକ ଏପିସୋଡ୍‌ ସନ୍ଧ୍ୟା ୯ରୁ୧୦ ପର୍ଯ୍ୟନ୍ତ ଡିଡି ନ୍ୟାସ୍‌ନାଲ୍‌ରେ ପ୍ରସାରଣ କରାଯିବ। ଗୋଟିଏ ଦିନରେ ଦୁଇଥର ଏହି ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ଦର୍ଶକ ଦେଖିବାକୁ ପାଇବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦ୍‌କର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୌରାଣିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଧାରାବାହିକ ଲକ୍‌ଡାଉନ୍‌ ସମୟରେ ପ୍ରସାରିତ କରିବାକୁ ବହୁ ଦର୍ଶକ ଦାବି କରିଥିଲେ। ସେମାନଙ୍କ ଦାବିକୁ ଗ୍ରହଣ କରି ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ରାମାନନ୍ଦ ସାଗରଙ୍କ ଦ୍ବାରା ପ୍ରସ୍ତୁତ ପୌରାଣିକ ଧାରାବାହିକ ‘ରାମାୟଣ’ ଡିଡି ନ୍ୟାସ୍‌ନାଲ୍‌ରେ ପ୍ରସାରିତ ହୋଇଥିଲା ଏବଂ ଅଶୀଦଶକରେ ଏହା ଲୋକପ୍ରିୟତା ଶୀର୍ଷରେ ରହିଥିଲା। ସେତେବେଳେ ୧୯୮୭ ଜାନୁଆରୀ ୧୯୮୮ ଜୁଲାଇ ପର୍ଯ୍ୟନ୍ତ ପ୍ରତି ରବିବାର ସକାଳେ ଏହା ସାରା ଦେଶରେ ପ୍ରସାରଣ କରାଯାଉଥିଲା। ଏହି ପୌରାଣିକ ଧାରାବାହିକ ‘ରାମାୟଣ’ରେ ଅରୁଣ ଗୋଭିଲ୍‌ ରାମ ଓ ଦୀପିକା ଚିଖାଲିଆ ସୀତା, ସୁନୀଲ ଲେହରୀ ଲକ୍ଷ୍ମଣ, ଦାରା ସିଂହ ହନୁମାନ ଏବଂ ଅର୍‌ବିନ୍ଦ ତ୍ରିବେଦୀ ରାବଣ ଭୂମିକାରେ ଦର୍ଶକଙ୍କ ମନମୋହିଥିଲେ। ସାରା ଭାରତ ଲକ୍‌ଡାଉନ୍‌ ସମରେ ଏହି ଲୋକପ୍ରିୟ ଧାରାବାହିକ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଦର୍ଶକଙ୍କ ମଧ୍ୟରେ ଅାଧ୍ୟାତ୍ମିକ ଭାବ ଜାଗ୍ରତ କରିବା ସହିତ ନିଆରା ଅନୁଭୂତି ଆଣିଦେବାରେ ସହାୟକ ହୋଇପାରିବ ବୋଲି ପ୍ରସାର ଭାରତୀ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Comments are closed.