ତାଲାବନ୍ଦ ସମୟରେ ଶିକ୍ଷକମାନଙ୍କ ସର୍ଭେ କାର୍ଯ୍ୟ ବନ୍ଦ ରଖିବା ଦାବି

ପାଟଣା : ବର୍ତ୍ତମାନ ଭାରତ ବର୍ଷ ଓ ସାରା ଓଡିଶା ରାଜ୍ୟର କୋଣ ଅନୂକୋଣରେ କୋଭିଡ଼-୧୯ ମହାମାରୀର କରାଳ ରୂପ ପରିଦୃଷ୍ଟ ହେଉଛି । ଏହି କରୋନା ମହାମାରୀ ସଂକ୍ରମଣ କାଳରେ ଶହଶହ ଅମୂଲ୍ୟ ଜୀବନ ନଷ୍ଟ ହେବାରେ ଲାଗିଛି । ସରକାରଙ୍କ କରୋନା ନିୟମାବଳୀ ଓ କଠୋର ନିୟମ କାର୍ୟ୍ୟାନୁଷ୍ଠାନ ଭିତରେ ଜୀବନଯାତ୍ରା ଅତ୍ୟନ୍ତ ଦୁର୍ବିସହ ହୋଇପଡୁଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ପ୍ରଶାସନ ଗୁରୁତ୍ୱ ରଖିଛି । ମାତ୍ର ଦୁଃଖର ବିଷୟ ଏହି ଯେ ଗମ୍ଭୀର ସ୍ପର୍ଶକାତରତା ସମୟରେ କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ପ୍ରେରିତ ଓ ପ୍ରଦତ୍ତ ଏକ ଚିଠି ନଂ-୧୪୪୬ ତା୩୧-୫-୨୧ ରେ ଘରକୁ ଘର ପରିକ୍ରମା କରି ୬ ରୁ୧୮ ବର୍ଷ ବୟସର ପିଲାମାନେ ଯେଉଁମାନେ ବିଦ୍ୟାଳୟ ଛାଡ଼ିଛନ୍ତି କିମ୍ବା ବିଦ୍ୟାଳୟକୁ ଆସୁନାହାନ୍ତି ସେମାନଙ୍କର ସର୍ଭେ କାର୍ୟ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଲଦି ଦିଆଯାଇଛି। ଏଭଳି କାର୍ଯ୍ୟ କରିବା ସମଗ୍ର କେନ୍ଦୁଝର ଜିଲ୍ଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଗଭୀର ପ୍ରତିକ୍ରିୟା ଓ ନୈରାଶ୍ୟ ଭାବ ସୃଷ୍ଟି କରିଛି । ପ୍ରଚଳିତ କରୋନା ଅବସ୍ଥାରେ ଅନେକ ଶିକ୍ଷକଙ୍କ ମଧ୍ୟ ଜୀବନ ଯାଇ ସାରିଲାଣି । ଏଣୁ କରୋନାର ଦ୍ୱିତୀୟ ଲହର ପରିସ୍ଥିତିର ଗମ୍ଭୀରତାକୁ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ଶିକ୍ଷା ବିଭାଗ ସହୃଦୟତାର ସହ ଅନୁଭବ କରିବା ଏବେ ଅପରିହାର୍ୟ୍ୟ ହୋଇପଡିଛି । ବର୍ତ୍ତମାନ ଶିକ୍ଷକମାନଙ୍କ ଉପରେ ଏହି ସର୍ଭେ କାର୍ୟ୍ୟ ଲଦି ନ ଦିଆଯାଇ ମହାମାରୀ ଅବସ୍ଥା ବଦଳିବା ଓ ତାଲା ବନ୍ଦ ଉଠିବା ପରେ ଏହି ଗୁରୁଦାୟିତ୍ୱ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବା ଲାଗି କେନ୍ଦୁଝର ଜିଲ୍ଲା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏକ ଲିଖିତ ଅନୁରୋଧ ପତ୍ର ସଂ୧୯/୨୦୨୧ ରେ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କୁ ନିବେଦନ କରାଯାଇଛି ।

Comments are closed.