ବର୍ଷାଦିନେ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ, ନଚେତ୍‍….

ବର୍ଷାଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସଚେତନ ଆବଶ୍ୟକ। ଏ ସମୟରେ ବାହାର ଖାଦ୍ୟ ପଦାର୍ଥଠାରୂ ଦୂରେଇ ରହିବା ସହ ଘରୋଇ ଖାଦ୍ୟରେ ଧ୍ୟାନ ଦେବା ନିହାତି ଜରୁରୀ । ତେବେ ଅନେକ ଖାଦ୍ୟ ଅଛି ଯାହାକୁ ବର୍ଷାଦିନେ ଖାଇବା ଦ୍ୱାରା ତାହା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ । ଆସନ୍ତୁ ଜାଣିବା ବର୍ଷାଦିନେ କେଉଁ ସବୁ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ।

୧. ମାଛ: ବର୍ଷା ଋତୁରେ ଦନୀ, ପୋଖରୀ ଆଦିରେ ମାଛ ଭର୍ତ୍ତି ହୋଇଯାଆନ୍ତି । ବର୍ଷା ଋତୁ ହେଉଛି ମାଛ ଓ ଚିଙ୍ଗୁଡ଼ିମାନଙ୍କ ପ୍ରଜନନ ସମୟ। ଏହି କାରଣରୁ ବର୍ଷା ଦିନରେ ସାମୁଦ୍ରିକ ମାଛ ଖାଇବା କ୍ଷତିକାରକ ହୋଇପାରେ। ଆପଣ ସଜ ମାଛ ବା ଚିକେନ, ମଟନ ଖାଇପାରିବେ ।

୨. ଶାଗ: ବର୍ଷା ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କାରଣ ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଥାଏ । ଆଉ ଏହି ପୋକ ବିଭିନ୍ନ ରୋଗର କାରଣ ସାଜିଥାଏ । ସେଥିପାଇଁ ଯଥା ସମ୍ଭବ ଶାଗ ଖାଆନ୍ତୁ ନାହିଁ ।

୩. ବାସିଖାଦ୍ୟ: ବର୍ଷା ଦିନେ ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ଏହାକୁ ଖାଇଲେ ଦେହ ଖରାପ ହୋଇଥାଏ । ତେଣୁ ବର୍ଷା ଦିନେ କେବଳ ଗରମ ଖାଦ୍ୟ ଖାଆନ୍ତୁ ।

୪. ଛଣା ଖାଦ୍ୟ: ବର୍ଷା ଦିନେ ପ୍ରାୟ ସମସ୍ତେ ପକୋଡ଼ା, ଆଳୁଚପ ଭଳି ଛଣାଛଣି ଜିନିଷ ଖାଇବାକୁ ଭଲ ପାଆନ୍ତି । ଘରେ ତିଆରି କରି ଖାଆନ୍ତି, ନହେଲେ ବାହାରୁ କିଣି ଖାଆନ୍ତି । କିନ୍ତୁ ଜାଣନ୍ତି କି ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସହ ଜଡ଼ିତ ଅନେକ ସମସ୍ୟା ଦେଖାଯାଏ । ଏପରିକି ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଟ ସିଙ୍ଗଡା ଏସିଡ଼ିଟି ଓ ଗ୍ୟାସ୍‌ ସମସ୍ୟା ଥିବା ଲୋକଙ୍କ ପାଇଁ କ୍ଷତିକାରକ । ଗରିଷ୍ଠ ଏବଂ ତେଲରେ ଛଣା ଖାଦ୍ୟ ମଧ୍ୟ ବର୍ଜନୀୟ, ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ ।

୫. ଚାଟ୍‌: ରାସ୍ତା କଡ଼ରେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଖାଦ୍ୟ ହେଉଛି ଚାଟ୍‌ । ସଂଧ୍ୟା ସମୟରେ ସମସ୍ତେ ଚାଟ୍‌ ଖାଇବାକୁ ବେଶୀ ପସନ୍ଦ କରନ୍ତି । ଚାଟ୍‌, ଭେଲ୍‌ପୁରୀ, ଗୁପ୍‌ଚୁପ୍‌ ଆଦି ଖାଦ୍ୟରେ ବ୍ୟବହାର କରାଯାଉଥିବା ଦହି ଏବଂ ପାଣି ଯୋଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଅନ୍ତତଃ ବର୍ଷା ଋତୁରେ ଏସବୁ ଖାଦ୍ୟରୁ ଦୂରେଇ ରହିବା ଶ୍ରେୟସ୍କର ।

୬. ଫାଷ୍ଟଫୁଡ଼: ଆଜିକାଲି ରାସ୍ତା କଡ଼ରେ ବିକ୍ରି ହେଉଥିବା ଚାଓମିନ୍‌, ମୋମୋ, ନୁଡୁଲ୍‌ସ୍‌ ଆଦି ଚାଇନିଜ୍‌ ଖାଦ୍ୟ ସମସ୍ତଙ୍କର ବହୁତ ପ୍ରିୟ। ଅନେକ ସମୟରେ ଅପରିଷ୍କାର ପାଣିରେ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ତାହା ଖାଇଲେ ଶରୀର ଅସୁସ୍ଥ ହେବାର ଆଶଙ୍କା ରହିଛି । ଚାଇନିଜ୍‌ ଖାଦ୍ୟରେ ମୋନାସୋଡିୟମ୍‌ ପରିମାଣ ଅଧିକ ଥିବାରୁ ଶରୀରରେ ଶ୍ୱାସକ୍ରିୟା ସମସ୍ୟା, ମୁଣ୍ଡବିନ୍ଧା, ଅଧକପାଳି, ଅରୁଚି, ପାଟି ଜଳାପୋଡ଼ା, ପେଟବ୍ୟଥା ଆଦି ରୋଗ ସୃଷ୍ଟି ହୋଇଥାଏ । ବର୍ଷା ସମୟରେ ଏହାର କୁପ୍ରଭାବ ଅଧିକ ଦେଖାଯାଇଥାଏ।

୭. ଦହି ଓ କ୍ଷୀର: ବର୍ଷା ଋତୁରେ ଦହି ତଥା କ୍ଷୀର ଜାତୀୟ ଖାଦ୍ୟ ଅତ୍ୟନ୍ତ ସତର୍କତାର ସହିତ ଖାଇବା ଉଚିତ । କଫ ହେଉଥିବା ଲୋକେ ଅଧିକ ସତର୍କ ରହିବାଟା ଭଲ । ବର୍ଷା ଋତୁରେ ଉଷୁମ କ୍ଷୀରରେ ସମାନ୍ୟ ହଳଦୀ ପକାଇ ପିଇବାଟା ଦେହ ପାଇଁ ହିତକର ବୋଲି କୁହାଯାଏ।

୮. ଜୁସ୍‌: ବର୍ଷା ଋତୁରେ ଜୁସ୍‌ ପିଇଲେ ତାହା ଠିକ୍‌ ଭାବେ ହଜମ ହୋଇ ନ ଥାଏ । ବହୁ ସ୍ଥାନରେ ପଚାଶଢ଼ା ଫଳକୁ କାଟି ବହୁ ସମୟ ଧରି ରଖି ପରେ ଜୁସ୍‌ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି, ଯାହାକୁ ପିଇବା ବିପଜ୍ଜନକ ହୋଇପାରେ । ଏହାଦ୍ୱାରା ଝାଡ଼ାବାନ୍ତି ମଧ୍ୟ ହୋଇପାରେ। ବର୍ଷାଋତୁ ଆରମ୍ଭ ହେଲା ପରେ ଆମ୍ବ ଖାଇବା ବନ୍ଦ କରିଦେବା ଉଚିତ । ଅମୃତଭଣ୍ଡା, ନାସ୍‌ପାତି, କଦଳୀ ତଥା କୋଳି ଜାତୀୟ ଫଳ ଖାଇପାରିବା ।

Comments are closed.