ସାବଧାନ! ଶରୀରର କୌଣସି ସ୍ଥାନ ପୋଡ଼ିଗଲେ କରନ୍ତୁ ନାହିଁ ଏସବୁ ଭୁଲ୍‍

ଅନେକ ଥର ଅସାବଧାନତା ଯୋଗୁ ରୋଷେଇ କଲା ବେଳେ କିମ୍ବା ଅନ୍ୟ କୌଣସି କାରଣରୁ ଆମ ହାତ ଗୋଡ଼ ପୋଡ଼ିଯାଏ। କେତେକ କ୍ଷେତ୍ରରେ ତ ଦେହ ହାତ ପୋଡ଼ି ଅବସ୍ଥା ଗୁରୁତର ହୋଇଯାଏ। ତେବେ ଏଭଳି ସ୍ଥିତିରେ ତର ବର ହୋଇ ଅଜାଣତରେ ଆମେ ଏମିତି କିଛି ଭୁଲ୍‍ କରିବସୁ ଯାହା ପାଇଁ ଆମକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଶରୀରର କୌଣସି ସ୍ଥାନ ପୋଡ଼ି ଗଲେ ଆମେ କେଉଁ ସବୁ ଭୁଲ୍‍ ନ କରିବା ଉଚିତ।

ଥଣ୍ଡା ପାଣିରୁ ଦୂରରେ ରୁହନ୍ତୁ:
ହାତ ଜଳିଗଲେ କେବେ ବି ପାଣିରେ ଧୁଅନ୍ତୁ ନାହିଁ। ବରଂ ପାଣିରେ ୨୦ ମିନିଟ୍‌ ଯାଏଁ ବୁଡ଼ାଇ ରଖନ୍ତୁ। କିନ୍ତୁ ଧ୍ୟାନ ରଖିବେ ପାଣି ଯେମିତି ରୁମ୍‌ ତାପମାତ୍ରାରେ ଥିବ। ପୋଡ଼ିଯାଇଥିବା ସ୍ଥାନକୁ ଧୋଇଲେ କିମ୍ବା ବରଫ ଘଷିଲେ ଫୋଟକା ବଡ଼ ହୋଇ ଦାଗ ରହିପାରେ।

ବରଫ ଘଷନ୍ତୁ ନାହିଁ:
ପୋଡ଼ିଯାଇଥିବା ସ୍ଥାନରେ ବରଫ ଘଷିବା ଦ୍ୱାରା ଆରାମ ମିଳିବ ସତ କିନ୍ତୁ ଏହା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ବରଫ ଦ୍ୱାରା ରକ୍ତ ଗୋଟିଏ ସ୍ଥାନରେ ଜମାଟ ବାନ୍ଧିଯିବ। ଏଥିସହ ଚମଡ଼ା ଉତୁରିଯିବା ଭୟ ମଧ୍ୟ ରହିଛି। ଏଣୁ ବରଫ ବ୍ୟବହାର କରନ୍ତୁ ନାହିଁ।

ତୁଳା ଲଗାନ୍ତୁ ନାହିଁ:
ପୋଡ଼ିଯାଇଥିବା ସ୍ଥାନରେ କେବେ ବି ତୁଳା ବ୍ୟବହାର କରନ୍ତୁ ନାହିଁ। ଏହା ତ୍ୱଚାରେ ଲାଗିଯାଇପାରେ। ଏଭଳି କଲେ ହାତ ଆହୁରି ପୋଡ଼ିବ। ଏହା ବ୍ୟତୀତ ବ୍ୟାକ୍ଟେରିଆ ବଢ଼ିବା ସମ୍ଭାବନା ବି ରହିଛି।

ଫୋଟକା ଫଟାନ୍ତୁ ନାହିଁ:
ଜଳିଥିବା ସ୍ଥାନରେ ଯଦି କିଛି ସମୟ ପରେ ଫୋଟକା ବାହାରୁଛି ତେବେ ତାହାକୁ ଆଦୌ ଫଟାନ୍ତୁ ନାହିଁ। ଏହା ଦ୍ୱାରା ଫୋଟକା ତ ଭଲ ହେବନି ବରଂ ଆହୁରି ପୋଡ଼ା ହେବ।

ପୋଷାକ ଖୋଲନ୍ତୁ ନାହିଁ:
ଅତ୍ୟଧିକ ପୋଡ଼ିଯାଇଥିଲେ ତୁରନ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ଯାଆନ୍ତୁ। ପୋଡ଼ିଯାଇଥିବା ସ୍ଥାନରେ ଯଦି କୌଣସି କପଡ଼ା ଲାଖି ରହିଛି ତେବେ ତାହାକୁ ବାହାର କରନ୍ତୁ ନାହିଁ। ଏହା ଦ୍ୱାରା ତ୍ୱଚା ବି ଉତୁରି ଆସିବା ଆଶଙ୍କା ରହିଛି।

ପିଇବାକୁ ପାଣି ଦିଅନ୍ତୁ ନାହିଁ:
ଅତ୍ୟଧିକ ଜଳିଯାଇଥିବା ରୋଗୀଙ୍କୁ ପିଇବାକୁ ପାଣି ଦିଅନ୍ତୁ ନାହିଁ। ତାଙ୍କୁ ପାଣି ବଦଳରେ ଓଆରଏସ୍‌ ମିଶା ପାଣି ପିଆନ୍ତୁ। କାରଣ ଜଳିଯିବା ପରେ ପାକସ୍ଥଳୀ କାମ କରିବା ବନ୍ଦ କରିଦେଇଥାଏ। ଏଣୁ ପାଣି ଶ୍ୱାସନଳୀରେ ଫସିଯାଇପାରେ। ଫଳରେ ଜୀବନ ପ୍ରତି ବିପଦ ଆସିପାରେ।

Comments are closed.