ନାବାଳକଙ୍କୁ ପୁଲିସ ହାଜତ କିମ୍ବା ଜେଲ୍‌ରେ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ମୁମ୍ବଇ : ନାବାଳକ ଅଭିଯୁକ୍ତ କିମ୍ବା ଦୋଷୀଙ୍କୁ ପୁଲିସ ହାଜତ କିମ୍ବା ଜେଲ୍‌ରେ ରଖାଯାଇପାରିବ ନାହିଁ। ଏ ଦିଗରେ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି) ଆବଶ୍ୟକ ଧ୍ୟାନ ଦେବା ଦରକାର ବୋଲି ସୁପ୍ରିମକୋର୍ଟ ବୁଧବାର କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଜୁଭେନାଇଲ ଜଷ୍ଟିସ (ଶିଶୁ ସୁରକ୍ଷା ଓ ଦାୟିତ୍ବ) ଆଇନ ୨୦୧୫କୁ ଅନୁସରଣ କରିବା ଦରକାର। ପିଲାମାନଙ୍କର ସୁରକ୍ଷା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି। ଏହାକୁ କେହି ଉଲ୍ଲଙ୍ଘନ କରିପାରିବେ ନାହିଁ। ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ଅଞ୍ଚଳରେ ନାବାଳକଙ୍କୁ ବିଭିନ୍ନ ଅଭିଯୋଗରେ ପୁଲିସ ହାଜତରେ ଅଟକ ରଖାଯାଇ ନିର୍ଯାତନା ଦିଆଯାଉଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ହୋଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି। ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ କୌଣସି ଅଭିଯୋଗରେ ଯଦି ନାବାଳକକୁ ଜାମିନ ନ ମିଳେ ସେକ୍ଷେତ୍ରରେ ସମ୍ପୃକ୍ତ ଅଭିଯୁକ୍ତକୁ ବାଳ ସୁଧାରକେନ୍ଦ୍ର କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନରେ ରଖାଯିବ। ଏ କ୍ଷେତ୍ରରେ ଜେଜେବି ନିରବଦ୍ରଷ୍ଟା ସାଜି ପାରିବେ ନାହିଁ।

Comments are closed.