ପ୍ରଶ୍ନ ପଚାରିବା ମନା?

ଅଶୋକ

ବିଶ୍ବାସେ ମିଳଇ ହରି ତର୍କେ ବହୁ ଦୂର- କେହି ଧାର୍ମିକ ନେତୃତ୍ବ ବା ଅନ୍ଧ ଭକ୍ତଟିଏ ହୁଏତ ଏହି ଆପ୍ତ ବାକ୍ୟଟିକୁ କହିଥିବ; କିନ୍ତୁ କେବଳ ଧର୍ମ ନୁହେଁ ଆମ ସମାଜ/ସାହିତ୍ୟ/ସଂସ୍କୃତି/ରାଜନୀତି, ସବୁଥିରେ କ୍ରମଶଃ ଏହାର ଦୁଷ୍ପ୍ରଭାବ ଦୃଶ୍ୟ ହେଉଚି। କେହି ତର୍କବିତର୍କ କରନାହିଁ; ପ୍ରଶ୍ନ ପଚାର ନାହିଁ; ସବୁକୁ ଆଖିବୁଜି ବିଶ୍ବାସ କରିଯାଅ- ଏଭଳି ଏକ ବାତାବରଣଟିଏ ସୃଷ୍ଟି କରିବାର ଅପଚେଷ୍ଟା ଚାଲିଚି। କ୍ଷମତାସୀନଙ୍କୁ ପ୍ରଶ୍ନ ପଚାରିବା ଅର୍ଥ ଦ୍ରୋହୀ ହେବା- ଜନମାନସରେ ଏପରି ଏକ ଭୟ ଜନ୍ମାଇବାକୁ ବି ଉଦ୍ୟମ କରାଯାଉଚି।

ଆଜି ଏଇ କଥାଟି କହିବାର ତାତ୍ପର୍ଯ୍ୟ ଓ ପରିସର ଖୁବ୍‌ ବ୍ୟାପକ/ଗୁରୁତ୍ବପୂର୍ଣ୍ଣ; କାରଣ ଏହା ରାଜନୀତିକ/ସାମ୍ବିଧାନିକ। ଗଣତନ୍ତ୍ରରେ ପ୍ରଶ୍ନୋତ୍ତର/ତର୍କବିତର୍କ/ବିଚାରବିମର୍ଶ ବନ୍ଦ ହୋଇଗଲେ ତାହା ଆଉ ଗଣତନ୍ତ୍ର ହୋଇ ରହେନାହିଁ। ଆଜିଠାରୁ (ସେପ୍ଟେମ୍ବର ୧୪) ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ, ଯେଉଁଠି ଅତି ମହତ୍ତ୍ବପୂର୍ଣ୍ଣ ‘ପ୍ରଶ୍ନକାଳ’କୁ ସଂପୂର୍ଣ୍ଣ ବାତିଲ୍‌ କରାଯାଇଚି ଓ ‘ଶୂନ୍ୟକାଳ’ର ଅବଧିକୁ ଅଧା (ଘଣ୍ଟାଏ ବଦଳରେ ଅଧଘଣ୍ଟା) କମାଇ ଦିଆଯାଇଚି। ବିରୋଧୀଙ୍କ ପ୍ରତିବାଦ ପରେ କେବଳ କୁହାଯାଇଚି ଯେ ଅଣତାରକା ପ୍ରଶ୍ନୋତ୍ତର ହେବ; ଅର୍ଥାତ୍‌ କେବଳ ଲିଖିତ ଭାବେ ପ୍ରଶ୍ନ ପଚରାଯିବ ଓ ଲିଖିତ ଉତ୍ତର ଦିଆଯିବ। ଅନ୍ୟଭାବରେ କହିଲେ ଏଥର ମୌଖିକ ପ୍ରଶ୍ନୋତ୍ତର ଆଦୌ ହେବନାହିଁ। ପ୍ରଶ୍ନକାଳ ଏଇଥିପାଇଁ ମହତ୍ତ୍ବପୂର୍ଣ୍ଣ ଯେ ଜନତାଙ୍କ ପ୍ରତିନିଧି ଭାବେ ଯେକୌଣସି ସାଂସଦ (ବିଧାନସଭାରେ ବିଧାୟକ) ଜାତୀୟ/ଅନ୍ତର୍ଜାତୀୟ (ବିଧାନସଭାରେ ରାଜ୍ୟ ସମସ୍ୟା) ପ୍ରସଙ୍ଗଗୁଡ଼ିକରେ ସିଧାସଳଖ ବିଭାଗୀୟ ମନ୍ତ୍ରୀଙ୍କୁ ମୌଖିକ ପ୍ରଶ୍ନ ପଚାରିଥାନ୍ତି (ସମ୍ବିଧାନର ଅନୁଚ୍ଛେଦ ୭୫ ଅନୁଯାୟୀ ପ୍ରଶ୍ନ ପଚାରିବାର ଅଧିକାର ଦିଆଯାଇଛି) ଓ ସରକାରଙ୍କ ପ୍ରତିନିଧି ଭାବେ ମନ୍ତ୍ରୀ ଉତ୍ତର ଦେବାପାଇଁ ବାଧ୍ୟ ହୋଇଥାନ୍ତି। ପ୍ରଶ୍ନର ଉତ୍ତର ସନ୍ତୋଷଜନକ ନହେଲେ ପୂରକ (ସପ୍ଲିମେଣ୍ଟାରୀ) ପ୍ରଶ୍ନ ମଧ୍ୟ ପଚରାଯାଇପାରିବ। ଅନେକ ସମୟରେ ପ୍ରଶ୍ନକାଳରେ ପଚରାଯାଉଥିବା ପ୍ରଶ୍ନଗୁଡ଼ିକ ସହିତ ସାଧାରଣ ଜନତାଙ୍କ ସିଧା ସମ୍ବନ୍ଧ ରହିଥାଏ। ଏହା ପ୍ରକୃତ ଗଣତନ୍ତ୍ରକୁ ଉପସ୍ଥାପିତ କରୁଥିବା ଏପରି ଏକ ଚମତ୍କାର ପ୍ରକ୍ରିୟା, ଯାହା ସରକାରଙ୍କୁ ଉତ୍ତରଦାୟୀ ହେବାକୁ ବାଧ୍ୟ କରିଥାଏ; କାରଣ ଏଥିରେ ସରକାରଙ୍କ ତ୍ରୁଟିବିଚ୍ୟୁତି ବିଷୟରେ ଆଲୋଚନା ହୁଏ ଓ ନିର୍ଦିଷ୍ଟ କାର୍ଯ୍ୟର ତଥ୍ୟ/ସୂଚନା ମଧ୍ୟ ମିଳିଥାଏ, ଯାହାକୁ ଦେଶର ସାଧାରଣ ନାଗରିକଟିଏ ଜାଣିପାରେ (ଟେଲିଭିଜନରେ ସିଧାପ୍ରସାରଣ ହେବାପରେ ଅବିଳମ୍ବେ ଏହା ସମସ୍ତଙ୍କ ପାଖରେ ପହଞ୍ଚିପାରୁଛି)। ପ୍ରଶ୍ନକାଳର ଗୁରୁତ୍ବ/ମହତ୍ତ୍ବ ସଂପର୍କରେ ରାଜ୍ୟସଭା ୱେବ୍‌ସାଇଟ୍‌ରେ ଯାହା ଦର୍ଶାଯାଇଚି, ତାହା ଉଲ୍ଲେଖନୀୟ: ‘‘ଏହି ଘଣ୍ଟାଟିଏ ଖୁବ୍‌ ଗୁରୁତ୍ବ ରଖେ, କାରଣ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସଦସ୍ୟମାନେ (ସାଂସଦ) ପ୍ରଶ୍ନ ମାଧ୍ୟମରେ ଜରୁରୀ ସୂଚନା ହାସଲ କରନ୍ତି, ଯେଉଁଥିପାଇଁ ମନ୍ତ୍ରୀଗଣ ବ୍ୟବସ୍ଥାପକ ସଭା ପ୍ରତି ଉତ୍ତରଦାୟୀ ହୋଇଥାନ୍ତି। ବାସ୍ତବରେ କହିବାକୁ ଗଲେ ଏହାଦ୍ବାରା କାର୍ଯ୍ୟନିର୍ବାହୀ (ସରକାର) ଉପରେ ବ୍ୟବସ୍ଥାପିକାର ନିୟନ୍ତ୍ରଣ ରହେ। ଏହାବ୍ୟତୀତ ପ୍ରଶ୍ନକାଳ ଜରିଆରେ ଗୃହର ସଦସ୍ୟମାନେ ସରକାରୀ ନୀତି/ଯୋଜନାର ସମାଲୋଚନା, ଜନତାଙ୍କ ସମସ୍ୟାର ଉପସ୍ଥାପନ, ସରକାରଙ୍କ ତ୍ରୁଟିବିଚ୍ୟୁତି ଆଦିକୁ ଅଙ୍ଗୁଳି ନିର୍ଦେଶ ତଥା ମନ୍ତ୍ରୀମାନଙ୍କଠାରୁ ପ୍ରତିଶ୍ରୁତି ଆଦାୟ କରିବାର ସୁଯୋଗ ପାଇଥାନ୍ତି। ପ୍ରଶ୍ନକାଳ ମନ୍ତ୍ରୀମାନଙ୍କୁ ମଧ୍ୟ ନିଜ ବିଭାଗର କାର୍ଯ୍ୟ ସବୁସ୍ତରରେ କିପରି ଚାଲିଛି ତାକୁ ପରଖିବାକୁ; ଅର୍ଥାତ ଦାୟିତ୍ବବାନ ହେବାକୁ ବାଧ୍ୟ କରେ।’’
ବିଡ଼ମ୍ବନାର କଥା, ସରକାର ଆଦୌ ଚାହାନ୍ତି ନାହିଁ ଯେ କେହି ତାଙ୍କୁ ପ୍ରଶ୍ନ ପଚାରୁ; ତାଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଉ, ତାହା ଯେତେ ଅହିତକର/ ଅଗଣତାନ୍ତ୍ରିକ ହେଉପଛେ! ଏହି କାରଣରୁ କେବଳ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ନୁହନ୍ତି, ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏଥର ମୌସୁମୀ ଅଧିବେଶନରୁ ପ୍ରଶ୍ନକାଳକୁ ବାଦ୍‌ଦେଇ ନିରାପଦ ରହିବାକୁ ଉଚିତ ମଣିଛନ୍ତି। ଏସବୁ ରାଜ୍ୟଗୁଡ଼ିକ ମଧ୍ୟରେ ରହିଚନ୍ତି ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗରୁ କଂଗ୍ରେସଶାସିତ ପଞ୍ଜାବ ଓ ରାଜସ୍ଥାନ ଯାଏ ଏବଂ ବିଜେପି ଶାସିତ ହରିଆଣା ଓ ଉତ୍ତରପ୍ରଦେଶଠାରୁ ଶିବସେନାଶାସିତ ମହାରାଷ୍ଟ୍ର ପର୍ଯ୍ୟନ୍ତ। ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡ଼ୁଚି, ବିଜେଡିଶାସିତ ଓଡ଼ିଶା ସରକାର ମଧ୍ୟ ଏହି ଅବାଟରେ ଯିବାକୁ ଚିନ୍ତା କରୁଚନ୍ତି! ଲଜ୍ଜାଜନକ କଥା ହେଲା, କଂଗ୍ରେସ ହେଉ କି ବିଜେପି ବା କୌଣସି ଆଞ୍ଚଳିକ ଦଳ, କ୍ଷମତାରେ ଥିଲେ ପ୍ରଶ୍ନକାଳ ବାତିଲ୍‌ର ସପକ୍ଷବାଦୀ ଏବଂ ବିରୋଧୀ ଦଳରେ ଥିଲେ ସଂପୃକ୍ତ ସରକାରଙ୍କୁ ସମାଲୋଚନା ସହ ତାହା ‘ଗଣତନ୍ତ୍ରର ହତ୍ୟା’! ଏଥିରୁ ରାଜନୀତିକ ଦଳଗୁଡ଼ିକ ଯେ ସଂପୂର୍ଣ୍ଣ ଆଦର୍ଶହୀନ/ଭ୍ରଷ୍ଟ/​‌ଦ୍ବୖେତ ମାନଦଣ୍ଡବିଶିଷ୍ଟ, ଏହା ପୁନଃପ୍ରମାଣିତ ହୋଇଚି।

ଏଥର ଶୂନ୍ୟକାଳ ଉଚ୍ଛେଦର କାରଣ ଭାବେ କୋଭିଡ-୧୯ ଜନିତ ସାମାଜିକ ଦୂରତା ରକ୍ଷାକୁ ଆଳ କରାଯାଇଚି। ଏହା ଏଇଥିପାଇଁ ‘ଆଳ’ ଯେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଏଥର ସଂସଦରେ ସାମାଜିକ ଦୂରତା ରକ୍ଷାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଡିଜିଟାଲ୍‌ ମାଧ୍ୟମରେ କାର୍ଯ୍ୟ କରାଯିବ ଏବଂ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କର କୋଭିଡ଼ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଚି; ଅତଏବ ପ୍ରଶ୍ନକାଳ ଚାଲିବାରେ ଯେ ‘ସାମାଜିକ ଦୂରତା’ ବାଧକ, ତାହା ଆଦୌ ନୁହେଁ। ବ୍ରିଟେନଠାରୁ ଆରମ୍ଭ କରି ନିଉଜିଲାଣ୍ଡ ପର୍ଯ୍ୟନ୍ତ, ବିଶ୍ବର ବିଭିନ୍ନ ଦେଶ କୋଭିଡ-୧୯ ଜନିତ ଦୁଃସ୍ଥିତିର ସମ୍ମୁଖୀନ ହୋଇଥିଲେ ହେଁ କେହି ସଂସଦୀୟ ପ୍ରଶ୍ନକାଳ (ବ୍ରିଟେନରେ ଏହାର ନାମ ‘​‌େ​‌କ୍ବଶ୍ଚିନ ଟାଇମ୍‌’)କୁ ବାତିଲ୍‌ କରିନାହାନ୍ତି ଏବଂ ପୂର୍ବଭଳି ବଜାୟ ରଖିଚନ୍ତି। କେତୋଟି ଦେଶ ଏହାକୁ ‘ଭର୍ଚୁଆଲ୍‌’ ବା ଭିଡିଓ କନ୍‌ଫରେନ୍ସ ଯୋଗେ ମଧ୍ୟ ସଂପନ୍ନ କରିଚନ୍ତି; ଅଥଚ ସଂପୂର୍ଣ୍ଣ ଉଚ୍ଛେଦ କରିବା କଥା ଭାବିନାହାନ୍ତି। ଆମ ନିଜ ଦେଶରେ ବି ଉଦାହରଣର ଅଭାବ ନାହିଁ। ଛତିଶଗଡ଼ ଓ ହିମାଚଳ ପ୍ରଦେଶ ନିଜନିଜ ବିଧାନସଭାରେ ପ୍ରଶ୍ନକାଳକୁ ବଜାୟ ରଖି ଗୃହକାର୍ଯ୍ୟ ତୁଲାଇଚନ୍ତି। ଅତଏବ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ସଂସଦୀୟ ଗଣତନ୍ତ୍ରର ଏହି ଜରୁରୀ କାର୍ଯ୍ୟକ୍ରମଟିକୁ କରିବାରେ ଅସୁବିଧା ନଥିଲା/ନାହିଁ। ଅତୀତରେ ଭାରତ-ଚୀନ ଯୁଦ୍ଧବେଳେ ୧୯୬୨ର ଶୀତ ଅଧିବେଶନ, ପାକିସ୍ତାନ ସହ ଯୁଦ୍ଧ ସମୟରେ ୧୯୭୧ର ଶୀତ ଅଧିବେଶନ ଏବଂ ଜରୁରୀ ପରିସ୍ଥିତି ବେଳେ ୧୯୭୫ର ମୌସୁମୀ ଅଧିବେଶନ ଓ ୧୯୭୬ର ଶୀତ ଅଧିବେଶନରେ ପ୍ରଶ୍ନକାଳକୁ ଉଚ୍ଛେଦ କରାଯାଇଥିଲା; କିନ୍ତୁ ବର୍ତ୍ତମାନର ସ୍ଥିତି ସହ ତତ୍‌କାଳୀନ ସ୍ଥିତି ତୁଳନୀୟ ନୁହେଁ; ପୁନଶ୍ଚ ଆଧୁନିକ କୌଶଳସଂପନ୍ନ ଡିଜିଟାଲ୍‌ ଦୁନିଆରେ ସାମାଜିକ ଦୂରତା ରକ୍ଷାକରି ପ୍ରଶ୍ନକାଳ ସଂପନ୍ନ କରିବା ଆଦୌ ଏକ ଅସମ୍ଭବ ବ୍ୟାପାର, ତାହା ମଧ୍ୟ ନୁହେଁ। ବିଶେଷତଃ, ବର୍ତ୍ତମାନ ଦେଶ ଯେଉଁ କଠିନ ପରିସ୍ଥିତି ଦେଇ ଗତି କରୁଚି, ସେଥିରେ ପ୍ରଶ୍ନକାଳର ମହତ୍ତ୍ବ ପୂର୍ବାପେକ୍ଷା ଅଧିକ। ଏବେ ସରକାରଙ୍କୁ ପଚାରିବା ପାଇଁ ଜନତାଙ୍କ ପାଖରେ ବହୁ ପ୍ରଶ୍ନ ରହିଚି। କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣ/ମୃତ୍ୟୁ, କ୍ରମକ୍ଷୟିଷ୍ଣୁ ଅର୍ଥବ୍ୟବସ୍ଥାଠାରୁ ଆରମ୍ଭ କରି କାଶ୍ମୀର ସଙ୍କଟ ଓ ସୀମାରେ ଚୀନର ଉଗ୍ରତା ପର୍ଯ୍ୟନ୍ତ ବହୁ ପ୍ରସଙ୍ଗରେ ଲୋକେ ସରକାରଙ୍କଠାରୁ ଉତ୍ତର ଲୋଡ଼ୁଚନ୍ତି; ଅଥଚ ସରକାର ମୁହଁ ଲୁଚାଇ ରହିବାକୁ ଶ୍ରେୟସ୍କର ମଣିଛନ୍ତି! ନିଜକୁ ସର୍ବଶକ୍ତିମାନ ଭାବୁଥିବା ‘ସୁପ୍ରିମୋ’ମାନେ ତ ସର୍ବଦା ନିଜକୁ ପ୍ରଶ୍ନାତୀତ ବୋଲି ଭାବିଆସିଚନ୍ତି। ଏହା ହିଁ ଏ ଦେଶର ଦୁର୍ଭାଗ୍ୟ।
ଦୁଃଖର ବିଷୟ, ଦେଶ/ରାଜ୍ୟର ଗଣତନ୍ତ୍ର/ସମ୍ବିଧାନକୁ କେବଳ ସରକାର/କ୍ଷମତାସୀନ ଦଳ ହିଁ ଅମାନ୍ୟ/ଅସମ୍ମାନ କରିଆସିଛନ୍ତି, ତାହା ନୁହେଁ; ବିରୋଧୀ ଦଳ ବି ଏଥିରେ ସମଦୋଷୀ। ତଥ୍ୟ କହୁଚି, ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନକାଳ/ଶୂନ୍ୟକାଳକୁ ବରବାଦ୍ କରିବା କ୍ଷେତ୍ରରେ କେହି ବି ପଛରେ ନାହାନ୍ତି। ସାଂସଦ/ବିଧାୟକ ଓ ସେମାନଙ୍କ ଦଳ ହଟ୍ଟଗୋଳ କରି କିମ୍ବା ପ୍ରଶ୍ନକାଳ ଅବଧିକୁ ଉପଯୋଗ ନକରି ଏହାକୁ ନଷ୍ଟ କରିଆସିଚନ୍ତି। ରାଜ୍ୟସଭା ରେକର୍ଡ ଅନୁଯାୟୀ, ଗତ ପାଞ୍ଚବର୍ଷ ମଧ୍ୟରେ ୬୦% ପ୍ରଶ୍ନକାଳ ଅବଧି ନଷ୍ଟ ହୋଇଛି; ଅର୍ଥାତ କେବଳ ୪୦% ଅବଧିରେ ମୌଖିକ ପ୍ରଶ୍ନୋତ୍ତର ହୋଇଛି। ୨୦୧୫-୧୯ ମଧ୍ୟରେ ରାଜ୍ୟସଭାରେ ମୋଟ ୩୩୨ଟି ସିଟିଂ ହୋଇଥିଲା, ଅର୍ଥାତ ପ୍ରଶ୍ନକାଳ ଥିଲା ୩୩୨ ଘଣ୍ଟା। ସେଥିରୁ କେବଳ ୧୩୩ ଘଣ୍ଟା ୧୭ ମିନିଟ୍‌ ହିଁ ଉପଯୋଗ ହୋଇଛି ଓ ବାକି ସବୁ ନଷ୍ଟ ହୋଇଛି। ଏଥିରେ ଶାସକ ଦଳ ଅପେକ୍ଷା ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟମାନଙ୍କର ଭୂମିକା ବେଶି। ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା, ସେହି ସମୟର ତଥ୍ୟ ଦେଖାଯାଉ। ୨୦୧୨ ମସିହାରେ ଉଭୟ ସଦନକୁ ୧୪୬ ଘଣ୍ଟା ପ୍ରଶ୍ନକାଳ ଭାବେ ମିଳିଥିଲା, ଯେଉଁଥିରୁ ମାତ୍ର ୫୭ ଘଣ୍ଟା ହିଁ ଉପଯୋଗ ହୋଇଥିଲା; ଅର୍ଥାତ ୬୧% ନଷ୍ଟ। ଆହୁରି ଲଜ୍ଜାଜନକ କଥା ହେଲା, ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ପ୍ରମାଣିତ ହେବାପରେ ୨୦୦୫ରେ ରାଜ୍ୟସଭାର ଦଶଜଣ ଓ ଲୋକସଭାର ଜଣେ ସଦସ୍ୟଙ୍କୁ ବହିଷ୍କାର କରାଯାଇଥିଲା। ଏ ଗଣତାନ୍ତ୍ରିକ/ସାମ୍ବିଧାନିକ ଅବକ୍ଷୟର କାରଣ ଯେ ରାଜନୀତିକ ଦଳ/ରାଜନେତାଙ୍କର ଚରମ ଅସାଧୁତା, ତାହା ନିଃସନ୍ଦେହ।
ନିକଟ ଭବିଷ୍ୟତରେ ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ସରକାର ପ୍ରଶ୍ନକାଳ ବାତିଲ୍‌ କରିବାକୁ ଚାହୁଁଥିବାରୁ ବିରୋଧୀ ପ୍ରତିବାଦ କରିଚନ୍ତି। ଗତ ଅଧିବେଶନରେ ପ୍ରଶ୍ନକାଳ/ଶୂନ୍ୟକାଳରେ କୌଣସି ମନ୍ତ୍ରୀ ଉପସ୍ଥିତ ନହେବାଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି ବେପରୁଆ ମନୋଭାବ ଗଣତନ୍ତ୍ର/ସମ୍ବିଧାନ ପ୍ରତି ଘୋର ଅପମାନ। ‘ଇନ୍ନୋଭେସନ ଇଣ୍ଡେକ୍ସ ରିପୋର୍ଟ ୨୦୧୯’ ଅନୁସାରେ ଓଡ଼ିଶା ବିଧାନସଭାରେ ୧୯୫୦ ତାରକା ପ୍ରଶ୍ନ (ମୌଖିକ) ଓ ୩୨୨୪ ଅଣତାରକା (ଲିଖିତ) ପ୍ରଶ୍ନ ପଚରାଯାଇଥିଲା। ଏହା ରାଜସ୍ଥାନ (ତାରକା ପ୍ରଶ୍ନ ୧୧,୨୩୧ ଓ ଅଣତାରକା ପ୍ରଶ୍ନ ୧୨,୮୭୪) ତୁଳନାରେ ବହୁତ ପଛରେ। ଓଡ଼ିଶାର ବିଧାୟକମାନେ କେବଳ ହଟ୍ଟଗୋଳ କରିବେ ନା ଜନତାଙ୍କ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ ବି ପଚାରିବେ?
ପ୍ରଶ୍ନ ପଚାରିବାର ଅଧିକାରକୁ ହେୟଜ୍ଞାନ/ହାତଛଡ଼ା କରୁଥିବା ଲୋକପ୍ରତିନିଧି କିମ୍ବା ଉତ୍ତର ଦେବାକୁ କୁଣ୍ଠିତ ହେଉଥିବା ସରକାର ଆମ ଗଣତନ୍ତ୍ର/ସମ୍ବିଧାନର ପରମଶତ୍ରୁ, ତାହା ବୁଝିବାର ବେଳ ଉପଗତ। କୌଣସି ନେତା/ରାଜନୀତିକ ଦଳ/ସରକାରର କେବଳ ଅନ୍ଧ ସ୍ତାବକ ହୋଇ ଆମେ ଯଦି ପ୍ରଶ୍ନ ପଚାରିବା ନାହିଁ, ତେବେ ଆମେ ଦିନେ ନିଜର ମୌଳିକ ଅଧିକାରକୁ ବି ହରାଇବସିବା, ସେ ବିଷୟରେ କେବେ ଭାବିଚନ୍ତି?

Comments
Loading...