ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଘଟଣା: ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ ହିଂସାରୁ ନିବୃତ ରୁହନ୍ତୁ, ନହେଲେ ରାସ୍ତାକୁ ଓହ୍ଲାଇବ ସେନା

ୱାଶିଂଟନ : ଅଶ୍ୱେତ ଆମେରିକାର ଜର୍ଜ ଫ୍ଲୋଏଡଙ୍କ ମଝି ରାସ୍ତାରେ ପୋଲିସ ହେପାଜରେ ମୃତ୍ୟୁ ହେବା ପରେ ଆମେରିକାରେ ହେଉଥିବା  ହିଂସା ଭୟଙ୍କର ରୂପ ଧାରଣ କରିଛି।  ସଂପୃକ୍ତ ପୁଲିସ ଅଧିକାରୀ ଏବଂ ତାଙ୍କୁ ସହାୟତା କରିଥିବା ପୁଲିସ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ଦେଶରେ ବି‌କ୍ଷୋଭ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ୪୦ଟି ସହରରେ ଆନ୍ଦୋଳନ ପହଞ୍ଚିଛି । ବିକ୍ଷୋଭକାରୀଙ୍କ ଦ୍ୱାରା ଦୋକାନରୁ ଲୁଟ୍ ହେବା ସହ ଏବଂ ପୋଲିସ ଗାଡି ସହିତ ଅନେକ ବିଲ୍ଡିଂରେ ନିଆଁ ଲାଗାଯାଇଥିଲା । ୱାଶିଂଟନ୍ ସମେତ ୪୦ ଟି ସହରରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗାଯାଇଛି ।

ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଜର୍ଜ ଫ୍ଲୋଏଡ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧ। କିନ୍ତୁ ଆନ୍ଦୋଳନକାରୀ ଯେପରି ଭାବେ ହିଂସା ଘଟାଉଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ । ଆନ୍ଦୋଳନକାରୀ ହିଂସାରୁ ନିବୃତ୍ତ ରୁହନ୍ତୁ ନହେଲେ ଆମେରିକାର ସେନାକୁ ଆନ୍ଦୋଳନକାରୀଙ୍କୁ ଦମନ କରିବାର ଦାୟିତ୍ଵ ପ୍ରଦାନ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ଆନ୍ଦୋଳନକାରୀ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରନ୍ତୁ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ମୁଁ ମଧ୍ୟ ସମର୍ଥନ କରେ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପ କହିଛନ୍ତି ଆନ୍ଦୋଳନକାରୀ ଆନ୍ଦୋଳନ ବେଳେ ହିଂସାର ପଥ ଆପଣାଉଛନ୍ତି । ଯାହା ଫଳରେ ଦେଶର ସାଧାରଣ ନାଗରିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦଙ୍ଗାର ସବୁଠାରୁ ଗରିବ ଶିକାର ହେଉଛନ୍ତି ଆମର ଗରିବ ସମ୍ପ୍ରଦାୟର ଶାନ୍ତି ଚାହାନ୍ତି ଏବଂ ରାଷ୍ଟ୍ରପତି ଭାବରେ ମୁଁ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପ୍ରତିଶ୍ରୁତି ବଦ୍ଧ । ଏଣୁ ଆନ୍ଦୋଳନକାରୀ ହିଂସାରୁ ନିବୃତ ରୁହନ୍ତୁ । ଯେଉଁ ଦଙ୍ଗାକାରୀ, ଡକାୟତ ଏବଂ ଅରାଜକତାବାଦୀ ଯେଉଁମାନେ ନିରୀହ ଲୋକଙ୍କୁ ଭୟଭୀତ କରନ୍ତି, ଚାକିରୀକୁ ହଟାନ୍ତି, ବ୍ୟବସାୟକୁ ନଷ୍ଟ କରନ୍ତି ଏବଂ ଅଟ୍ଟାଳିକା ପୋଡି ଦିଅନ୍ତି, ସେମାନେ ଜର୍ଜ ଫ୍ଲୋଏଡଙ୍କ ସ୍ମୃତିକୁ ଅପମାନିତ କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ଅନ୍ୟପଟେ ଟ୍ରମ୍ପ ହିଂସା ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟପାଳ ମାନଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ରାଜ୍ୟପାଳମାନେ ଦୁର୍ବଳ ବୋଲି ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହାନ୍ତି । ଏଥି ସହିତ ଟ୍ରମ୍ପ କହିଛନ୍ତି ଗତକାଲି ରାତିରେ ୱାଶିଂଟନ୍ ଡିସିରେ ଯାହା ଘଟିଥିଲା ​​ତାହା ଆମେରିକା ପାଇଁ ବଡ ଅପମାନ । ଦଙ୍ଗା, ଲୁଟ୍, ଭଙ୍ଗାରୁଜା, ଆକ୍ରମଣ ଏବଂ ସମ୍ପତ୍ତି ନଷ୍ଟକୁ ରୋକିବା ପାଇଁ  ହଜାର ହଜାର ସଶସ୍ତ୍ର ସେନା ଏବଂ ଆଇନ ଶୃଙ୍ଖଳା ଅଧିକାରୀଙ୍କୁ ବିଭିନ୍ନ ଅଞ୍ଚଳକୁ ପଠାଯାଉଛି ।ରାସ୍ତାରେ ସଶସ୍ତ୍ର ନ୍ୟାସନାଲ ଗାର୍ଡ ନିୟୋଜିତ କରିବାକୁ ମଧ୍ୟ ସମସ୍ତ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ଟ୍ରମ୍ପ ।

Comments are closed.