ଇମ୍ରାନଙ୍କ ସହଯୋଗ ଲୋଡିଲେ ଟ୍ରମ୍ପ

0

ଇସଲାମାବାଦ : ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ସହ ଶାନ୍ତି କଥାବାର୍ତ୍ତା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ସହଯୋଗ ଲୋଡିଛନ୍ତି। ପାକିସ୍ତାନର ସହଯୋଗ ପାଇବା ପାଇଁ ଟ୍ରମ୍ପ ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଇମ୍ରାନଙ୍କ ସହଯୋଗ ଲୋଡିବା ପୂର୍ବକ ଟ୍ରମ୍ପ ପତ୍ର ଲେଖିଥିବା ସମ୍ପର୍କରେ ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ସୋମବାର ସୂଚନା ଦେଇଛନ୍ତି। ତେବେ ଚୌଧୁରୀଙ୍କ ଏହି ମନ୍ତବ୍ୟ ଉପରେ ଇସଲାମାବାଦସ୍ଥିତ ଆମେରିକା ଦୂତାବାସ କୌଣସି ପ୍ରତିକ୍ରିୟା ଦେଇନାହିଁ। ଆଫଗାନିସ୍ତାନର ସୁରକ୍ଷାକର୍ମୀ ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ୧୭ବର୍ଷ ହେଲା ସଂଘର୍ଷ ଲାଗି ରହିଛି। ଆଫଗାନିସ୍ତାନରୁ ଆନ୍ତର୍ଜାତିକ ସୁରକ୍ଷା କର୍ମୀଙ୍କୁ ବିତାଡିତ କରି ଇସଲାମ ନିମୟକୁ କାର୍ଯ୍ୟକାରୀ କରିବା ଲାଗି ତାଲିବାନମାନେ ଉଦ୍ୟମ ଚଳାଇଆସିଛନ୍ତି। ତେବେ ତାଲିବାନ ଆତଙ୍କବାଦୀଙ୍କ ସହ ଶାନ୍ତି କଥାବାର୍ତ୍ତା ପୂର୍ବକ ଏହି ସଂଘର୍ଷର ଅନ୍ତ ଘଟାଇବା ଲାଗି ଆମେରିକା ଉଦ୍ୟମ କରିଆସୁଛି। ତାଲିବାନଙ୍କୁ ଶାନ୍ତି କଥାବାର୍ତ୍ତା ଲାଗି ଆଲୋଚନାର ବୈଠକକୁ ଆଣିବା ପାଇଁ ପାକିସ୍ତାନର ସହଯୋଗ ଲୋଡିଛି ଆମେରିକା। ଟ୍ରମ୍ପ କହିଛନ୍ତି ଯେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଆମେରିକା-ପାକିସ୍ତାନର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ଆତଙ୍କବାଦ ଦମନରେ ପାକିସ୍ତାନର ବିଫଳତାକୁ ଟ୍ରମ୍ପ ସମାଲୋଚନା କରିଥିଲେ। ଟ୍ରମ୍ପ କହିଥିଲେ ଯେ ଆତଙ୍କବାଦ ଦମନ ପାଇଁ ପାକିସ୍ତାନକୁ ଆମେରିକା କୋଟି କୋଟି ଡଲାର ସହାୟତା ଦେଇଥିବାବେଳେ ଏହାର ଦୁରୁପଯୋଗ କରାଯାଇଛି।

Leave A Reply