ମୀରାବାଈ ଚାନୁଙ୍କୁ ଆଜୀବନ ମାଗଣା ପିଜ୍ଜା ଯୋଗାଇବ ଡୋମିନୋସ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ମୀରାବାଈ ଚାନୁ। ଏହି ବିଜୟ ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛି। ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯିବା ସହ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଦେଶର ଏହି ଉଜ୍ଜ୍ଵଳ ତାରକାଙ୍କୁ ଡୋମିନୋସ୍ ପକ୍ଷରୁ ମିଳିଛି ଏକ ବିଶେଷ ଉପହାର। ସାରା ଜୀବନ ଚାନୁଙ୍କୁ ମାଗଣା ପିଜ୍ଜା ଯୋଗାଇବାକୁ ପ୍ରତିଶୃତି ଦେଇଛି ଡୋମିନୋସ୍‌ ଇଣ୍ଡିଆ।


ବିଜୟ ପରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ପିଜ୍ଜା ତାଙ୍କର ବହୁତ ପସନ୍ଦ। ସେ ତାହା ଖାଇବାକୁ ଚାହୁଁଛନ୍ତି ଏବଂ ପିଜ୍ଜା ସହ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିବାକୁ ଚାହୁଁଛନ୍ତି। କାରଣ ବହୁତ ଦିନ ହେଲା ସେ ପିଜ୍ଜା ଖାଇ ନାହାନ୍ତି। ଏହା ଶୁଣିବା ପରେ ଅଲିମ୍ପିକ୍‌ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ପିଜ୍ଜା ଯୋଗାଇବାକୁ ଘୋଷଣା କରିଛି ଡୋମିନୋସ୍‌ ଇଣ୍ଡିଆ। ଡୋମିନୋସ୍ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରୁ ଟ୍ବିଟ୍‌ କରି ଏହି ଘୋଷଣା କରିଛି। ଟ୍ବିଟରେ ଲେଖାହୋଇଛି, ‘‘ସେ କହିଲେ ଏବଂ ଆମେ ଶୁଣିଲୁ। ଆମେ କେବେହେଲେ ଚାହିଁବୁନି ଯେ ପିଜ୍ଜା ଖାଇବା ପାଇଁ ମୀରାବାଈ ଚାନୁଙ୍କୁ ଅପେକ୍ଷା କରିବାକୁ ପଡ଼ୁ। ତେଣୁ ଆମେ ତାଙ୍କୁ ଆଜୀବନ ମାଗଣା ପିଜ୍ଜା ଯୋଗାଇବୁ’’।

Comments are closed.