ଥିଏମ୍‍ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‍ ଟାଇଟଲ

ନ୍ୟୁୟର୍କ : ଅଷ୍ଟ୍ରିଆର ଡମିନିକ୍‍ ଥିଏମ୍‍ ତାଙ୍କ ଟେନିସ୍‍ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍‍ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ସମାପ୍ତ ହୋଇଥିବା ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ୍‍ ଓପନ୍‍ର ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛନ୍ତି ୨ୟ ସିଡ୍‍ ଡମିନିକ୍‍ ଥିଏମ୍‍। ରବିବାର ଫାଇନାଲ ମ୍ୟାଚ୍‍ରେ ଥିଏମ୍‍ ୫ମ ସିଡ୍‍ ଜର୍ମାନୀର ଆଲେକ୍‍ଜାଣ୍ଡର ଜେରେଭ୍‍ଙ୍କୁ ୫ଟି ସେଟ୍‍ରେ ମାରାଥନ୍‍ ମୁକାବିଲାରେ ୨-୬, ୪-୬, ୬-୪, ୬-୩, ୭-୬ ସେଟ୍‍ରେ ପରାସ୍ତ କରିଥିଲେ। ଏହି ସଂଘର୍ଷପୂର୍ଣ୍ଣ ତଥା ରୋଚକ ମୁକାବିଲା ୪ ଘଣ୍ଟା ୨ ମିନିଟ ଧରି ଚାଲିଥିଲା। ଅବଶ୍ୟ ଏହି ମୁକାବିଲା ଦେଖିବା ପାଇଁ ଷ୍ଟାଡିୟମ୍‍ରେ କୌଣସି ଦର୍ଶକ ଉପସ୍ଥିତ ନଥିଲେ।
ଏହାକୁ ମିଶାଇ ଡମିନିକ୍‍ ଥିଏମ୍‍ ୪ର୍ଥ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଫାଇନାଲରେ ପ୍ରବେଶ କରିଥିଲେ ହେଁ ପ୍ରଥମଥର ପାଇଁ ଟ୍ରଫି ଜିତିବାର କୃତିତ୍ୱ ହାସଲ କରି ପାରିଛନ୍ତି। ପୂର୍ବରୁ ୨ ଥର ଫ୍ରେଞ୍ଚ୍‍ ଓପନ୍‍ ଓ ଥରେ ଅଷ୍ଟ୍ରେଲିଆନ୍‍ ଓପନ୍‍ ଫାଇନାଲ ଖେଳିଥିବା ଥିଏମ୍‍ ପ୍ରଥମଥର ୟୁଏସ୍‍ ଓପନ୍‍ର ଫାଇନାଲ ଖେଳି ଚମ୍ପିଆନ୍‍ ହୋଇଛନ୍ତି। ସୂଚନାଯୋଗ୍ୟ; ସେମିଫାଇନାଲରେ ଆଲେକ୍‍ଜାଣ୍ଡର ଜେରେଭ୍‍ ୨ଟି ସେଟ୍‍ ପଛରେ ଥିବା ସତ୍ତ୍ବେ ବିଜୟୀ ହୋଇଥିଲେ। ଫାଇନାଲରେ ଜେରେଭ୍‍ଙ୍କୁ ଅନୁରୂପ ଦଶା ଭୋଗିବାକୁ ପଡ଼ିଛି। ଅଷ୍ଟ୍ରିଆର ଡମିନିକ୍‍ ଥିଏମ୍‍ ୨ଟି ସେଟ୍‍ ପଛରେ ଥିଲେ ହେଁ ଲଢ଼ୁଆ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ଟେନିସ୍‍ର ଓପନ୍‍ ଏରାରେ ଏହା ପ୍ରଥମଥର ଘଟିଛି ଯେ ଫାଇନାଲରେ ଜଣେ ଖେଳାଳି ପ୍ରଥମ ୨ଟି ସେଟ୍‍ ହାରି ଚମ୍ପିଆନ୍‍ ହୋଇଛନ୍ତି। ଅନ୍ୟପକ୍ଷରେ ଜେରେଭ୍‍ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ୍‍ର ଫାଇନାଲରେ ପ୍ରବେଶ କରିଥିଲେ ହେଁ ନିରାଶ ହୋଇଛନ୍ତି। ପୁଣି ପ୍ରଥମଥର ପାଇଁ ୟୁଏସ୍‍ ଓପନ୍‍ ଫାଇନାଲର ଫଇସଲା ଟାଇବ୍ରେକରରେ ହୋଇଛି। ୨୦୧୪ରେ କ୍ରୋଏସିଆର ମାରିନ୍‍ ସିଲିକ୍‍ଙ୍କ ପରେ ୟୁଏସ୍‍ ଓପନ୍‍ ଥିଏମ୍‍ଙ୍କ ରୂପରେ ନୂଆ ଚମ୍ପିଆନ୍‍ ପାଇଛି। ଫାଇନାଲ ମ୍ୟାଚ୍‍ରେ ୨୭ ବର୍ଷ ବୟସ୍କ ଡମିନିକ୍‍ ଥିଏମ୍‍ ଠିକ୍‍ ଭାବେ ସର୍ଭିସ କରି ପାରିନଥିଲେ। ଫଳରେ ୨ ଥର ତାଙ୍କ ସର୍ଭିସ୍‍ ଭଙ୍ଗ ହୋଇଥିଲା। ୨ୟ ସେଟ୍‍ରେ ମଧ୍ୟ ୨୩ ବର୍ଷ ବୟସ୍କ ଜେରେଭ୍‍ଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ପରେ ଥିଏମ୍‍ ପରବର୍ତ୍ତୀ ୨ଟି ସେଟ୍‍ ଜିତି ନେଇଥିଲେ। ୫ମ ତଥା ନିର୍ଣ୍ଣାୟକ ସେଟ୍‍ରେ ଜେରେଭ୍‍ ୫-୩ରେ ଆଗୁଆ ରହି ଟାଇଟଲ ପାଇଁ ସର୍ଭିସ କରିଥିଲେ। ତେବେ ଥିଏମ୍‍ ସର୍ଭିସ୍‍ ଭଙ୍ଗକରି ମ୍ୟାଚ୍‍କୁ ଟାଇବ୍ରେକରକୁ ନେଇଯାଇ ଶେଷରେ ଏହାକୁ ଜିତିଥିଲେ।

Comments are closed.