ପାରିବାରିକ କଳହ : ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଇକେରା ଥାନା ସାହାସପୁର ଫାଣ୍ଡି ଅନ୍ତର୍ଗତ ପାକେଲପଡ଼ା ଗ୍ରାମପଞ୍ଚାୟତ ନନ୍ଦମୁଣ୍ଡା ଗ୍ରାମର ରବି ନାଏକ(୪୦) ନିଜ ପତ୍ନୀ ସୁରୁବାଲି ନାଏକ (୩୫)ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି। ପାରିବାରିକ କଳହକୁ ​କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ସୂଚନାନୁସାରେ ମଙ୍ଗଳବାର ରାତିରେ ରବି ଓ ସୁରୁବାଲି ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲେ ହେଁ  ଦୁହେଁ ଆପେ ଆପେ ଶାନ୍ତ ହୋଇଥିଲେ। ହେଲେ ଆଜି ସକାଳୁ ପୁଣି ଗଣ୍ଡଗୋଳ ଆରମ୍ଭ କରିଥିଲେ। ବିବାଦ ବଢ଼ିବାରୁ ରବିର ମୁହଁ ବନ୍ଦ କରିବାକୁ ସୁରୁବାଲି ଟୋକେଇ ଧରି ମହୁଲ ଗୋଟାଇବାକୁ ଚାଲିଯାଇଥିଲେ। ହେଲେ ରବି ଶାନ୍ତ ନ ହୋଇ ମହୁଲ ଗୋଟାଇବା ସ୍ଥାନକୁ ଯାଇ ସୁରୁବାଲିକୁ ନିର୍ଘାତ ମାରଧର କରିବା ସହିତ ଘୋଷାଡ଼ି ଘୋଷାଡ଼ି ଘରକୁ ଆଣିଥିଲା। ସେତିକିରେ ସୁରୁବାଲିର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି।

ଖବର ପାଇ ଝାରସୁଗୁଡ଼ା ଏସଡ଼ିପିଓ କୈଳାଶ ଆଚାର୍ଯ୍ୟ, ନିର୍ବାହୀ ମାଜିଷ୍ଟ୍ରେଟ ତପନଦେଵ ଚକ୍ରବର୍ତ୍ତୀ, ସାହାସପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସାହୁ, ବାଗଡ଼ିହି ଫାଣ୍ଡି ଅଧିକାରୀ ସରୋଜ କୁମାର ନାଏକ ଓ ସାଇଣ୍ଟିଫିକ ଟିମ ସହ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ତା’କୁ ଓଡ଼ିଆପାଲିରୁ ଗିରଫ କରିଥିବା ସୂଚନା ମିଳିଛି। ପରେ ଏସପି ବିକାଶ ଚନ୍ଦ୍ର ଦାଶ ମଧ୍ୟ ପହଞ୍ଚି ତଦାରଖ କରିଥିବା ଜଣାଯାଇଛି। ପୁଲିସ ମୃତଦେହକୁ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ବାମରା ଡାକ୍ତରଖାନାକୁ ପଠାଇ ଦେଇଥିଲା । ଏନେଇ ଲଇକେରା ଥାନାରେ ପୁଲିସ ମାମଲା ରୁଜୁ କରିଛି। ରବି ଓ ସୁରୁପାଲିଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ବଡ଼ ଝିଅ ଦଶମ ପଢ଼ୁଥିବା ବେଳେ ସାନ ଝିଅଟି ଦ୍ବିତୀୟ ଓ ପୁଅ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡ଼ିଛି ।

Comments
Loading...