ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ପାଇଁ ଶିମିଳିପାଳ ବନବାସୀଙ୍କ ଅଭିନବ ଉଦ୍ୟମ

ବଡ଼ସାହି: ଓଡ଼ିଶାରେ ଥିବା ୨ଟି ଜାତୀୟ ଉଦ୍ୟାନ ଓ ୧୮ଟି ଅଭୟାରଣ୍ୟ ମଧ୍ୟରୁ ମୟୂରଭଞ୍ଜ ଜିଲାର ଶିମିଳିପାଳ ଜୈବ ମଣ୍ଡଳ ଅନ୍ୟତମ। ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କିମି ହୋଇଥିବା ବେଳେ ସେଥିମଧ୍ୟରୁ ଶିମିଳିପାଳ ଜୈବ ମଣ୍ଡଳ ପାଇଁ ୫୫୬୯ ବର୍ଗକିମି ସଂରକ୍ଷିତ। ସେଥିରୁ ୨୨୭୧.୭୮ ବର୍ଗ କିମି ଶିିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ। ଏହା ସାରା ଦେଶରେ ସର୍ବବୃହତ ସଂରକ୍ଷିତ ବନକ୍ଷେତ୍ର ଭାବେ ପରିଗଣିତ। ଏଠାରେ ୧୦୭୬ ପ୍ରଜାତିର ବୃକ୍ଷଲତା, ୯୪ ପ୍ରକାର ଅର୍କିଡ଼୍‍, ୬୦୪ ପ୍ରକାର ଔଷଧୀୟ ବୃକ୍ଷ, ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ, ୨୦ ପ୍ରଜାତିର ଉଭୟଚର ପ୍ରାଣୀ ଓ ଅସଂଖ୍ୟ ପ୍ରଜାତିର କୀଟପତଙ୍ଗ ଦେଖିବାକୁ ମିଳେ। ଶିମିଳିପାଳ ସଂଲଗ୍ନରେ ରହିଛି ୧୨୦୦ଟି ଗ୍ରାମ। ସେଥିମଧ୍ୟରୁ ୧୦ଟି ବ୍ଲକର ୬୦ଟି ପଞ୍ଚାୟତ ପ୍ରାୟ ୩ଲକ୍ଷ ଜନସାଧାରଣ ଶିମିଳିପାଳର ଅତି ନିକଟତର। ଏମାନଙ୍କ ମଧ୍ୟରୁ ଆଦିମ ଜନଜାତି ଶ୍ରେଣୀର ଖଡ଼ିଆ, ମାଙ୍କଡ଼ିଆ ଓ ଲୋଧାମାନଙ୍କର ସଂଖ୍ୟା ୮ହଜାର। ଏହି ୩ଲକ୍ଷ ଲୋକ ସିଧାସଳଖ ଭାବେ ଜୀବନଜୀବିକା ପାଇଁ ଶିମିଳିପାଳ ଉପରେ ନିର୍ଭର କରିଥାନ୍ତି। ଶିମିଳିପାଳ ସ୍ୱତନ୍ତ୍ର ଜନଜାତି, ଜୀବଜନ୍ତୁ, ବୃକ୍ଷଲତା ଏବଂ ଅର୍କିଡ଼୍‍ର ଜନ୍ମମାଟି ହୋଇଥିବାରୁ ଏହା ସାରା ବିଶ୍ୱବାସୀଙ୍କ ପାଇଁ ପ୍ରୟୋଗ କ୍ଷେତ୍ର ଭାବେ ପରିଚୟ ସୃଷ୍ଟି କରିଥିଲା। ପ୍ରାଚୀନ କାଳରୁ ବନବାସୀଙ୍କର ଜଙ୍ଗଲ ସହିତ ସମ୍ପର୍କ ଅତି ନିବିଡ଼। ଜଙ୍ଗଲ ସେମାନଙ୍କୁ ଦେଇଥାଏ ଋତୁଭିତିକ ଖାଦ୍ୟ, ଔଷଧ, ସ୍ୱଳ୍ପ ଜଳ, ମୁକ୍ତ ପବନ ଏବଂ ରୋଜଗାରର ମାଧ୍ୟମ। ପୂର୍ବରୁ ଜଙ୍ଗଲରୁ ଯେଉଁ ଋତୁଭିତିକ ଖାଦ୍ୟ ମିଳୁଥିଲା ତାହା ଆଦିମ ଅଧିବାସୀଙ୍କ ପାଇଁ ଥିଲା ଅମୃତ ତୁଲ୍ୟ। ମାତ୍ର ଜଙ୍ଗଲର ଦ୍ରୁତ କ୍ଷୟ ସେମାନଙ୍କ ଜୀବନ ଧାରାକୁ କରିଛି ଶୁଷ୍କ, ରସହୀନ ଓ ମରୁମୟ। ସେମାନଙ୍କର ଜବନ ଶୈଳୀରେ ଆସିଛି ପରିବର୍ତ୍ତନ। ବନଜାତ ଦ୍ରବ୍ୟ ସଂଗ୍ରହ କଟକଣା ପରେ ଅନେକ ବନବାସୀ ସ୍ୱେଚ୍ଛାସେବୀ ଓ ପ୍ରଶାସନ ପକ୍ଷରୁ ଗୃହପାଳିତ ପଶୁପକ୍ଷୀ ପାଳନ ଆଡ଼କୁ ମୁହାଁଇଛନ୍ତି। ଅବାଧ ଶିକାର ଓ ଗଛ କାଟିବାରୁ ସେମାନଙ୍କୁ ବିରତ କରି ସାଧାରଣ ଲୋକଙ୍କ ଭଳି ଜୀବନ ଯାପନର ଶୈଳୀ ଆଣୁଛି ପରିବର୍ତ୍ତନ। ଗୋ-ମହିଷାଦି ସାଙ୍ଗକୁ ଛେଳି, ମେଣ୍ଢା, ଘୁଷୁରୀ ଓ କୁକୁଡ଼ା ଚାଷକୁ ମୁହାଁଉଛନ୍ତି ବନବାସୀ।

ତେବେ ଜଙ୍ଗଲ ଅବକ୍ଷୟ ପାଇଁ ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେଉଥିବାରୁ ଗୃହପାଳିତ ପ୍ରାଣୀଙ୍କର ଜୀବନ ହାନୀ ଘଟୁଛି। ବନ୍ୟଜନ୍ତୁ ଜଙ୍ଗଲ ବାହାରକୁ ଆସି ବନବାସୀଙ୍କ ଗୃହପାଳିତ ପ୍ରାଣୀ ଶିକାର କରୁଛନ୍ତି। ତେବେ ବନ୍ୟଜନ୍ତୁଙ୍କ କବଳରୁ ରକ୍ଷା ପାଇଁ ବର୍ତ୍ତମାନ ଅଭିନବ ଉପାୟରେ ଗୃହପାଳିତ ପ୍ରାଣଙ୍କୁ ସୁରକ୍ଷା ଦିଆଯାଉଛି। ଯାହାକି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଠାରୁ ପରିବେଶବିତ ଓ ଜନସାଧାରଣରେ ଭୂୟସୀ ପ୍ରଶଂସା ପାଉଛି। ଯୁବ ପରିବେଶ କର୍ମୀ ଅଭିଷେକ ଆଚାର୍ୟ୍ୟ ଆରମ୍ଭ କରିଛନ୍ତି ଏହି ଅଭିନବ କଳ୍ପନା। ଯାହା ବାସ୍ତବ ରୂପ ନେଇଛି। ଗୋ-ମହିଷାଦି ଓ ଛେଳି, ମେଣ୍ଢା ଭଳି ପ୍ରାଣୀଙ୍କ ଦେହରେ ଉଦ୍ଭଟ ପ୍ରାଣୀଙ୍କ କୃତ୍ରିମ ଆଖି ଯୋଡ଼ା ସଦୃଶ୍ୟ ଅଙ୍କାଯାଉଛି। ସେମାନେ ଶିମିଳିପାଳ ପାଦଦେଶରେ ଥିବା ଚାରଣ ଭୂଇଁରେ ଚରିବା ସମୟରେ ବନ୍ୟଜନ୍ତୁ ଶିକାରରୁ ରକ୍ଷା ପାଉଛନ୍ତି। କାରଣ ବନ୍ୟଜନ୍ତୁ ପଛପାର୍ଶ୍ବରୁ ସାଧାରଣତଃ ଅତର୍କିତ ଆକ୍ରମଣ କରିଥାନ୍ତି। ତେବେ ଗୃହପାଳିତ ପ୍ରାଣୀଙ୍କ ପଛ ପାର୍ଶ୍ବରେ ଅଙ୍କିତ ଛବି ବନ୍ୟଜନ୍ତୁଙ୍କ ପାଇଁ ଅଡୁଆ ଆଣୁଛି। ସେମାନେ ଏହାକୁ ଏକ ଭିନ୍ନ ବନ୍ୟଜନ୍ତୁ ମନେ କରି ଚକ୍କମା ଖାଉଛନ୍ତି। ପ୍ରଥମେ ଲୋକମାନେ ଏପରି କାର୍ୟ୍ୟଧାରାକୁ ପରିହାସ କରୁଥଇବା ବେଳେ ଏବେ ଆଦୃତି ମିଳିଛି। କୌଣସି ରସାୟନିକ ରଙ୍ଗ ବ୍ୟବହାର ନକରି ପାରମ୍ପରିକ ରଙ୍ଗର ପ୍ରଲେପରେ ଏପରି କରାଯାଉଛି ବୋଲି ଶ୍ରୀ ଆଚାର୍ୟ୍ୟ କହିଛନ୍ତି। କେବଳ ଶିମିଳିପାଳ କାହିଁକି, ସମଗ୍ର ଜଗତରେ ଜଙ୍ଗଲସଂଲଗ୍ନ ଗୃହପାଳିତ ପ୍ରାଣଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ସହଯୋଗ ମିଳିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.