ଡୋକଲାମରେ ଚୁପ୍‍ଚାପ୍‍ କାୟା ବିସ୍ତାର କରୁଛି ଚୀନ୍‍ : ଆମେରିକାର ରିପୋର୍ଟ

0

ୱାଶିଂଟନ୍‍ : ଚୀନ୍‍ ଅତି ଚତୁରତାର ସହ ଡୋକଲାମଠାରେ ପୁନଃ ନିଜ କାୟା ବିସ୍ତାର ଆରମ୍ଭ କରିଛି। ଚୀନ୍‍ ସୈନ୍ୟମାନେ ଚୁପ୍‍ଚାପ୍‍ ନିଜ କାର୍ଯ୍ୟ ଚଳାଇଥିବା ବେଳେ ସେ ସମ୍ବନ୍ଧରେ ଭୁଟାନ କିମ୍ବା ଭାରତ କୌଣସି ସୂଚନା ପାଇପାରି ନାହାନ୍ତି। ଭାରତ ଅତି ଦୃଢତାର ସହ ଏହାର ଉତ୍ତରାଞ୍ଚଳରେ ଥିବା ସୀମାର ସୁରକ୍ଷା କରିଆସୁଛି। ଏଣୁ ଏହି ସୂଚନା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦକ୍ଷିଣ ଏବଂ କେନ୍ଦ୍ର ଏସିଆ ପାଇଁ ନିଯୁକ୍ତ ଆମେରିକା ବୈଦେଶିକ ବିଭାଗର ଜଣେ ସଚିବ ଅଲିସ୍‍ ଜି. ୱେଲ୍‍ସ ନିଜର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଆମେରିକା କଂଗ୍ରେସରେ ଭାରତୀୟ ସୀମା ନିକଟରେ ଚୀନର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଭାରତ ଆମେରିକା ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ଏହି ସୂଚନା ପ୍ରକାଶ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି। ରିପୋର୍ଟରେ ସେ ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଡୋକଲାମ କ୍ଷେତ୍ରକୁ ବିବାଦୀୟ ଦକ୍ଷିଣ ଚୀନ୍‍ ସମୁଦ୍ର ସହିତ ତୁଳନା କରିଛନ୍ତି। ଉଲ୍ଲେଖ ଯେ ଭାରତ ଓ ଚୀନ୍‍ କ୍ରମାଗତ ଭାବେ ହିମାଳୟ ପାର୍ବତ୍ୟାଞ୍ଚଳ କ୍ଷେତ୍ରଗୁଡିକ ଉପରେ ନିଜନିଜର ଅଧିକାର ଦାବି କରିଆସୁଛନ୍ତି। ୨୦୧୭ରେ ଭାରତ ଓ ଚୀନ୍‍ ସେନା ଡୋକଲାମଠାରେ ମୁହାଁମୁହିଁ ହୋଇଥିଲେ। ଯଦିଓ ଉଭୟ ରାଷ୍ଟ୍ର ତତ୍‍ସମୟରେ ଯୁଦ୍ଧ ପରିସ୍ଥିତିରୁ ଓହରି ଯାଇଥିଲେ; କିନ୍ତୁ ପରେ ଚୀନ୍‍ ଚୁପ୍‍ଚାପ୍‍ ଡୋକଲାମରେ ପୁନଃ ତା’ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଚାଇନାର ଏଭଳି କାର୍ଯ୍ୟକଳାପ ଚୀନ୍‍ ସମୁଦ୍ର ବିବାଦ ପ୍ରସଙ୍ଗକୁ ମନେପକାଇ ଦେଉଛି ବୋଲି ସେ ଦର୍ଶାଇଛନ୍ତି। ଦକ୍ଷିଣ ଚୀନ୍‍ ସମୁଦ୍ର ଉପରେ ଚୀନ୍‍ ଏହାର ସାର୍ବଭୌମତ୍ୱ ଦାବି କରୁଥିବା ବେଳେ ଭିଏତନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ ଏବଂ ତାଇୱାନ ମଧ୍ୟ ସମାନ ଦାବି କରିଆସୁଛନ୍ତି। ପୂର୍ବ ଚୀନ୍‍ ସମୁଦ୍ରକୁ ନେଇ ମଧ୍ୟ ଚୀନ ବିବାଦ ମଧ୍ୟରେ ରହିଛି। ଏହି ଅଞ୍ଚଳଗୁଡିକ ଉପରେ ନିଜର ନିୟନ୍ତ୍ରଣ ରକ୍ଷା ନିମନ୍ତେ ଚୀନ୍‍ ଏଠାକାର ବିଭିନ୍ନ ଦ୍ୱୀପରେ ଏହାର ସାମରିକ ପ୍ରତିଷ୍ଠାନ ଗଢିଛି। ଖଣିଜ, ତୈଳ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ପ୍ରମୁଖ ଉତ୍ସ ଭାବେ ଉଭୟ ଦକ୍ଷିଣ ଏବଂ ପୂର୍ବ ଚୀନ୍‍ ସମୁଦ୍ର ଅଞ୍ଚଳ ଦ୍ୱୟ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଗୁରୁତ୍ୱ ବହନ କରେ। ଏଣୁ ସେନାଛାଉଣୀ ନ କରି କିଭଳି ଏହି କ୍ଷେତ୍ରଦ୍ୱୟର ସୁରକ୍ଷା କରାଯାଇ ପାରିବ ତଥା ଏଠାରେ କାରବାର ସୁବିଧାଜନକ କରିହେବ ତାହା ଗୁରୁତ୍ୱପୂର୍ଣ୍ଣ। ଏଥିନେଇ ସାର୍ବଭୌମ ରାଷ୍ଟ୍ରଗୁଡିକ ପାରସ୍ପରିକ ସମ୍ପର୍କ ସୁଧାରିବା ଦିଗରେ ଅଗ୍ରସର ହେବା ଆବଶ୍ୟକ ବୋଲି ୱେଲସ କହିଛନ୍ତି।

Leave A Reply