କୁକୁର ନାକ ସର୍ଜରୀ ପାଇଁ ଖର୍ଚ୍ଚ ୬ଲକ୍ଷ ୬୬ହଜାର ଟଙ୍କା!

ପୋଷା ପ୍ରାଣୀକୁ ଘରର ସଦସ୍ୟ ମନେକରି ତା’ର ସେବାଶୁଶ୍ରୂଷାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ସାଧାରଣ କଥା ନୁହେଁ। ଅଧିକାଂଶ ଲୋକ ପୋଷା ଜନ୍ତୁ ପାଇଁ ଖର୍ଚ୍ଚ କରିବାକୁ ଆଗଭର ମଧ୍ୟ ହୋଇନଥାନ୍ତେ। ବ୍ରିଟେନ୍ ନିବାସୀ ଜନୈକ ମହିଳା କ୍ୟାଥରିନ୍ କ୍ରୋଗାନ୍ ନିଜ କୁକୁରର ନାକ ସର୍ଜରୀରେ ୬ଲକ୍ଷ ୬୬ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରିନାହାନ୍ତି। ଆଗାମୀ ଦିନରେ ପୋଷା କୁକୁରର ସେବାରେ ସେ ଅଧିକ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ। ଲାବ୍ରାଡର ପ୍ରଜାତିର ପୋଷା କୁକୁରର ନାମ ଟେଡ୍, ୧୦ ବର୍ଷ ବୟସର ଏଇ କୁକୁର ଗତ କିଛି ମାସ ତଳେ ନାକ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିବାର ଡାକ୍ତର ପ୍ରକାଶ କରିଥିଲେ। କ୍ୟାଥରିନ୍ ନିଜ ପୋଷା କୁକୁର ଟେଡ଼ ପାଇଁ ତୁରନ୍ତ ସର୍ଜରୀ କରିବାକୁ ଡାକ୍ତରଙ୍କୁ କହିଥିଲେ। ଯଥା ସମୟରେ ଟେଡ୍‌ର ସର୍ଜରୀ ହେବା ସହ ନାକର ଆଗ ଭାଗକୁ କାଟିଦିଆଗଲା। ୬ ଲକ୍ଷରୁ ଅଧିକ ଟଙ୍କା ସର୍ଜରୀରେ ଖର୍ଚ୍ଚ ହୋଇଥିବାବେଳେ ପରବର୍ତ୍ତୀ ଚେକ୍‌ଅପ୍‌ରେ ମଧ୍ୟ ଅଧିକ ଖର୍ଚ୍ଚ ହେବ ବୋଲି ଡାକ୍ତର ପୂର୍ବରୁ କହିଛନ୍ତି। ଟେଡ୍‌ର ସେବା ପାଇଁ ଖର୍ଚ୍ଚ କରିବାକୁ କ୍ୟାଥରିନ୍ ଆଦୌ ଅମଙ୍ଗ ନାହାନ୍ତି। ଏତେ ପରିମାଣର ଅର୍ଥ ନିଜ କୁକୁର ପାଇଁ ଖର୍ଚ୍ଚ କରିଥିବାରୁ ପୂରା ଖବରଟି ଏବେ ସୋସିଆଲ୍ ସାଇଟ୍ ଓ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Comments are closed.