କୁକୁର ପାଇଁ ମାଲିକଙ୍କୁ ମିଳିବ ସୁବିଧା

ଯୁଗ ପରିବର୍ତ୍ତନ ହେଉଛି। ଏକବିଂଶ ଶତାବ୍ଦୀରେ କେବଳ ମନୁଷ୍ୟ ଏକମାତ୍ର ପ୍ରାଣୀ ନୁହେଁ, ଯେ ନିଜ କ୍ୟାରିୟର ଗଢ଼ିବାକୁ ନେଇ ବ୍ୟସ୍ତ। ଏଇ ତାଲିକାରେ ମନୁଷ୍ୟଙ୍କ ପରେ କୁକୁରମାନେ ମଧ୍ୟ ସାମିଲ ହୋଇଛନ୍ତି। ପୁଲିସ୍ ଡଗ୍, ରେସକ୍ୟୁ ଡଗ୍, ଗାଇଡ୍ ଡଗ୍ ଭାବେ କାମ କରିବା ପରେ କୁକୁର ଏବେ ସହଯାତ୍ରୀ ଭାବେ ଯାତ୍ରା କରିବ। କୁକୁର ଓ ବିଲେଇ ପ୍ରେମୀ ବ୍ୟକ୍ତିମାନେ ନିଜ ସାଥିରେ ସେମାନଙ୍କୁ ନେଇ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ବିଶ୍ବର ପଞ୍ଚତାରକା ହୋଟେଲଗୁଡ଼ିକ କୁକୁର ଓ ବିଲେଇଙ୍କ ରହିବା ନିମନ୍ତେ ସ୍ବତନ୍ତ୍ର ବନ୍ଦୋବସ୍ତ ମଧ୍ୟ କରୁଥିବାର ପ୍ରକାଶ। ସ୍କଟଲାଣ୍ଡର କ୍ୟାନିନ୍ କଟେଜ୍ କିନ୍ତୁ ଭିନ୍ନ ଏକ ନିୟମ ଅବଗତ କରାଇଛି। ବ୍ୟକ୍ତିବିଶେଷ ରଖିଥିବା କୁକୁର ‘ସ୍ମାର୍ଟ ଡଗ୍’ର ଭାବେ କର୍ତ୍ତୃପକ୍ଷଙ୍କ ଦ୍ବାରା ମନୋନୀତ ହେଲେ, ହୋଟେଲରେ କୁକୁର ସହ ମାଲିକଙ୍କୁ ରହିବାର ସୁବିଧା ଉପଲବ୍ଧ କରାଯିବ। କଟେଜ୍‌ର ଡିଜିଟାଲ୍ ପି.ଆର୍ ମ୍ୟାନେଜର୍‌ଙ୍କ କହିବାନୁସାରେ, କଟେଜ୍‌ର ଅଫିସିଆଲ୍ ୱେବ୍‌ସାଇଟ୍ ଖୋଲି ଯେ କେହି ନିଜ କୁକୁରର ସୁନ୍ଦର ଫଟୋ ଅପଲୋଡ କରି ଏଇ ପ୍ରତିଯୋଗିତାରେ ଭାଗ ନେଇପାରିବେ। କୁକୁରଙ୍କ ଠାଣିକୁ ଫଟୋ ଜରିଆରେ ବିଚାରକ ଦଳ ଲକ୍ଷ୍ୟ କରି ବିଜୟୀ ୧୦ଜଣ କୁକୁରଙ୍କ ନାମ ଘୋଷଣା କରାଯିବ। କୁକୁରଙ୍କ ସହ ସେମାନଙ୍କ ମାଲିକଙ୍କୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି। ୨୦୨୦ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ ସେମାନଙ୍କ କୁକୁରର ଫଟୋ ଏହି ସାଇଟ୍‌ରେ ଅପଲୋଡ କରିବେ। ବିଭିନ୍ନ ମହଲରେ ଏଇ ସଂକ୍ରାନ୍ତରେ ଚର୍ଚ୍ଚା ଜୋର୍‌ସୋର୍‌ରେ ଚାଲିଛି।

Comments are closed.