ପୂରଣ ହେଉନି ଓମ୍‌ସାର ୧୧ ଦଫା ଦାବି; ୧୫ରୁ କଳାବ୍ୟାଜ୍‌ ପିନ୍ଧିବେ ଡାକ୍ତର, ଏପ୍ରିଲ ୨ରୁ କାର୍ଯ୍ୟ ବନ୍ଦ

ଭୁବନେଶ୍ବର: ଓଡ଼ିଶା ମେଡିକାଲ ସର୍ଭି‌େ‌ସସ୍‌ ଆସୋସିଏସନ(ଓମ୍‌ସା)ର ୧୧ ଦଫା ଦାବି ପୂରଣ କରାଯାଉ ନାହିଁ। ସରକାରଙ୍କ ଏଭଳି ନୀତି ଯୋଗୁଁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ଡାକ୍ତରମାନେ କର୍ତ୍ତବ୍ୟ ସମୟରେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ।
ସରକାର ଦାବି ପୂରଣ ନକଲେ ବାଧ୍ୟ ହୋଇ ଡାକ୍ତରମାନେ ପୁଣି ମାର୍ଚ୍ଚ ୨୧ରୁ ୨୫ ପର୍ଯ୍ୟନ୍ତ ସମସ୍ତ ଜିଲାମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୋଟିଏ ଘଣ୍ଟା ଧରି ଧାରଣାରେ ବସିବେ।
୨୬ରୁ ୩୧ ତାରିଖ ଯାଏଁ ବହିର୍ବିଭାଗ (ଓପିଡି)ରେ ରୋଗୀସେବା କାର୍ଯ୍ୟ ନକରି କେବଳ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବେ। ଏପ୍ରିଲ ୨ରୁ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ଓମ୍‌ସାର ସଭାପତି ଡ.ନାରାୟଣ ରାଉତ ଏବଂ ସାଧାରଣ ସମ୍ପାଦକ ଡ. ବିଶ୍ବଜିତ୍‌ ସାମଲ ମିଳିତ ବିବୃତ୍ତିରେ କହିଛନ୍ତି।
ଓମ୍‌ସା ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ପୂରଣ କରିବା ପାଇଁ ଏ ପର୍ଯ୍ୟନ୍ତ ସଂଘର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରାଯାଉ ନାହିଁ। ଓମ୍‌ସା ଦାବି କରୁଛି ଯେ ଡାକ୍ତରଙ୍କ ଅବସର ବୟସ ୬୫ବର୍ଷକୁ ବୃଦ୍ଧି କରିବା ପାଇଁ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାକୁ ପ୍ରତ୍ୟାହାର କରି ନିଅନ୍ତୁ। ଯଦି ସରକାର ୬୫ବର୍ଷ କରିବାକୁ ଅଟଳ ରହୁଛନ୍ତି ତେବେ ୬୨ରୁ ୬୫ବର୍ଷ ମଧ୍ୟରେ ଡାକ୍ତରଙ୍କୁ ପଦୋନ୍ନତି ଦେଇ କୌଣସି ଉଚ୍ଚପଦସ୍ଥ ପଦ ପଦବୀରେ ଅବସ୍ଥାପିତ କରିବା ପରିବର୍ତ୍ତେ କେବଳ ରୋଗୀସେବା କରିବାକୁ ନିଷ୍ପତ୍ତି ନିଅନ୍ତୁ।
ବାହାର ରାଜ୍ୟରୁ ପ୍ରାୟ ୨୪୫୦ ଡାକ୍ତରଙ୍କୁ ଆଣି ଓପିଏସ୍‌ସି ଦ୍ବାରା ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ସଂଘ ବିରୋଧ କରୁଛି। କାରଣ ଓଡ଼ିଶାରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିବର୍ଷ ୧୧୫୦ରୁ ଊର୍ଦ୍ଧ୍ବ ଏମ୍‌ବିବିଏସ୍‌ ଡାକ୍ତର ବାହାରୁଛନ୍ତି। ବାହାର ରାଜ୍ୟରୁ ଡାକ୍ତର ଆଣି ନିଯୁକ୍ତି ଦେବା ପରିବର୍ତ୍ତେ କାହିଁକି ରାଜ୍ୟର ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ଚାକିରି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ତାକୁ ଅନୁଧ୍ୟାନ କରିବା ଉଚିତ।
ଏହାଦ୍ବାରା ଭବିଷ୍ୟତରେ ରାଜ୍ୟର ଡାକ୍ତରମାନେ ବେକାର ସମସ୍ୟାର ସମ୍ମୁଖୀନ ହେବେ। ଏ ଦିଗରେ ରହୁଥିବା ସମସ୍ୟାକୁ ସମାଧାନ କରିବାକୁ ସରକାର ଗୁରୁତ୍ବ ଦିଅନ୍ତୁ। ଓମସା ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ କେବିକେ ଜିଲାରେ ନିଯୁକ୍ତ ଡାକ୍ତରଙ୍କୁ ୫ବର୍ଷ ପରେ ଅନ୍ୟତ୍ର ବଦଳି କରିବା ପାଇଁ ସରକାର ନିୟମ କରିଥିଲେ; କିନ୍ତୁ ତାହା ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ସରକାରୀ ଡାକ୍ତରଖାନାରେ ଚାକିରି କରୁଥିବା ଡାକ୍ତର ପିଜି କରିବାକୁ ଚାହିଁଲେ ସେମାନଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଉ। ରୋଗୀସେବା କରୁଥିବାରୁ ପିଜି ପାଇଁ ଡାକ୍ତରମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁପାରୁନାହାନ୍ତି। ତେଣୁ ଏ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡିକୁ ନିର୍ଦେଶ ଦେଇଥିଲେ।
ଅନ୍ୟାନ୍ୟ ରାଜ୍ୟଗୁଡିକ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଆପଣାଉ ନାହାନ୍ତି। ଡେଣ୍ଟାଲ ସର୍ଜନଙ୍କ ଅବସର ବୟସ ସୀମା ୬୦ରୁ ୬୨ବର୍ଷକୁ ବୃଦ୍ଧି କରିବା, ଡିଏସିପି ଲାଗୁ ଏବଂ ପଦୋନ୍ନତି ବ୍ୟବସ୍ଥା କରାଯାଉ।
ସିଜିଏଚ୍‌ଏସ୍‌ରେ କେନ୍ଦ୍ର ସରକାର ଯେଉଁଭଳି ଡାକ୍ତରଙ୍କୁ ଡିଏସିପି ଦେଇଛନ୍ତି ତାକୁ ଅନୁସରଣ କରି ପଡୋଶୀ ରାଜ୍ୟ ବିହାର ମଧ୍ୟ ୪.୯.୧୩ ଏବଂ ୨୦ବର୍ଷ ଚାକିରି କାଳରେ ଡିଏସିପି ଦେଇଛନ୍ତି। ୨୦ବର୍ଷରେ ୧୦ ହଜାର ଗ୍ରେଡ ପେ ଦେଉଛନ୍ତି। ସେହିଭଳି ହାରରେ ଓଏମ୍‌ଏଚ୍‌ଏସ୍‌ ଡାକ୍ତରଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଡିଏସିପି ଦିଆଯାଉ।

Comments are closed.