ସରକାରଙ୍କ ସତ୍ୟପାଠ, ୧୨୧୧ ବିଶେଷଜ୍ଞ ପଦ ଖାଲି

କଟକ: ରାଜ୍ୟର ବିଭିନ୍ନ ଜିଲାରେ ୫୮୩୮ ମଞ୍ଜୁରପ୍ରାପ୍ତ ଜେନେରାଲ ଡିୟୁଟି ମେଡିକାଲ ଅଫିସର ପଦ ଥିବାବେଳେ ଅଛନ୍ତି ୩୩୧୫ ଡାକ୍ତର। ଏଣୁ ଚଳିତ ମାସ ୭ତାରିଖ ସୁଦ୍ଧା ଫାଙ୍କା ପଡିଛି ୨୫୨୩ ଡାକ୍ତର ପଦ। ସେହିପରି ବିଶେଷଜ୍ଞ (ସ୍ପେଶାଲିଷ୍ଟ) ମଞ୍ଜୁର ପ୍ରାପ୍ତ ପଦ ୨୭୦୮ ଥିବାବେଳେ ଅଛନ୍ତି ମାତ୍ର ୧୪୯୭ ଡାକ୍ତର। ୧୨୧୧ ପଦ ଫାଙ୍କା ରହିଛି ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତ୍ୟପାଠ ମାଧ୍ୟମରେ ଓଡିଶା ଉଚ୍ଚନ୍ୟାୟାଳରେ ବିବରଣ ଦାଖଲ କରିଛି। ଅନ୍ୟପକ୍ଷରେ ରାଜ୍ୟରେ ସ୍ବାସ୍ଥ୍ୟସେବାର ବାସ୍ତବ ଚିତ୍ର କିଭଳି ରହିଛି; ସେ ସମ୍ପର୍କରେ ଜାଣିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ଦଳ ଅନୁଧ୍ୟାନ କରି ସେହି ବିବରଣ (ରିପୋର୍ଟ) ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିଛନ୍ତି। ଜିଲା ଆଇନସେବା ପ୍ରାଧିକରଣ ଦେଇଥିବା ବିବରଣ ଉପରେ ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଜାନୁଆରୀ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ରାଜ୍ୟର ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ଡାକ୍ତର ରହୁଛନ୍ତି କି ନାହିଁ ତାହା ଅନୁଧ୍ୟାନ କରି ବିବରଣ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟ ପୂର୍ବରୁ ନିର୍ଦେଶ ଦେଇଥିଲେ।

ସବୁ ଜିଲାରେ ଜିଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଚାରିଜଣିଆ ଦଳ ଗଠନ କରାଯିବା ସହ ଜଣେ ମହିଳା ଆଇନଜୀବୀଙ୍କ ସମେତ ଦୁଇ ଜଣ ତାଲିକାଭୁକ୍ତ ଆଇନଜୀବୀ ଓ ୨ ପାରା ଲିଗାଲ ସ୍ବେଚ୍ଛାସେବୀ (ପିଏଲଭି)ଙ୍କୁ ନେଇ ଏହି ଦଳ ଗଠନ କରିବାକୁ ନିର୍ଦେଶ ଥିଲା। ପ୍ରତ୍ୟେକ ଜିଲ୍ଲାର ଏହି ଦଳ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଦୁଇଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ସମୟରେ ଗସ୍ତ କରି ସ୍ଥିତି ଅନୁଧ୍ୟାନ ପରେ ନଭେମ୍ବର ୩୦ ସୁଦ୍ଧା ବିବରଣ ଦାଖଲ କରିଛନ୍ତି। ମୁଖ୍ୟବିଚାରପତି ଏସ.ମୁରଲୀଧର ଓ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ଏ ସମ୍ପର୍କିତ ଆବେଦନର ଶୁଣାଣି କରି ଏହି ନିର୍ଦେଶ ଦେଇଥିଲେ।

ଏହି ସବୁ ଡାକ୍ତରଖାନା ଦାୟିତ୍ବରେ ଥିବା ଡାକ୍ତର, ସେବିକା, ୱାର୍ଡ କର୍ମଚାରୀ ଉପସ୍ଥିତ ଅଛନ୍ତି କି ନାହିଁ, ସେଠାରେ ସଫେଇ, ପରିମଳ, ପାଇଖାନା, ବିଦ୍ୟୁତ ଓ ଭିତ୍ତିଭୂମି ସ୍ଥିତି କ’ଣ ରହିଛି, ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅଛି କି ନାହିଁ ସେନେଇ ବିବରଣରେ ଉଲ୍ଲେଖ କରାଯାଇଛି। ସବୁ ଦଳ ସେମାନଙ୍କ ବିବରଣ ପେନ୍ ଡ୍ରାଇଭରେ ସମ୍ପୃକ୍ତ ଡିଏଲଏସଏ ସଚିବଙ୍କ ମାଧ୍ୟମରେ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଛନ୍ତି। ମୁଦା ଲଫାପାରେ ଏହି ବିବରଣ ଡିଏଲଏସ ସଚିବ ଦ୍ୱାରା ଦାଖଲ ହୋଇଥିବା ବେଳେ ସେହି ବିବରଣକୁ ସର୍ବସାଧାରଣ ନ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ରହିଛି। କେବଳ ଆବେଦନକାରୀ ଆଇନଜୀବୀ ଏହି ବିବରଣ ଦେଖି ତାଙ୍କର ଜବାବ ଦାଖଲ କରିବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୮ତାରିଖକୁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟମାନଙ୍କରେ ମଞ୍ଜୁରପ୍ରାପ୍ତ ଡାକ୍ତର ପଦ ସଂଖ୍ୟା ପୂରଣ କରାଯାଉନାହିଁ। ଫଳରେ ରୋଗୀ ଅକଥନୀୟ ଦୁର୍ଦଶା ଭୋଗ କରୁଥିବା ଦର୍ଶାଇ ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ସରକାରୀ ଚିକିତ୍ସାଳୟ ପ୍ରତି ଧ୍ୟାନ ନଦେଇ ବେସରକାରୀ ଚିକିତ୍ସାଳୟକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ସରକାରୀ ଚିକିତ୍ସାଳୟ ଅବସ୍ଥା ସାଙ୍ଘାତିକ ଆଡ଼କୁ ଗତି କରୁଥିବା ଆବେଦନକାରୀ ଦର୍ଶାଇଛନ୍ତି। ଜିଲା ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ରୋଗୀ ସେବା ବାଧାପ୍ରାପ୍ତ ହେଉଥିବାବେଳେ ସର୍ବାଧିକ ମେଡ଼ିକାଲରେ ପାନୀୟ ଜଳ ସୁବିଧା ନାହି। ରାଜ୍ୟ ସରକାର ଡାକ୍ତରଙ୍କ ମୁହଁ ଦେଖା ବଦଳି କରୁଛନ୍ତି। ଫଳରେ ରୋଗୀ ସେବା ଠିକ୍‌ ଭାବେ ହେଉନାହି। ଚିକିତ୍ସାଳୟ ବହିର୍ବିଭାଗରେ ପରିସ୍ରାଗାର ବ୍ୟବସ୍ଥା ନ ଥିବାବେଳେ ସାଂସଦଙ୍କ ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଚିକିତ୍ସାଳୟ ପରିସରରେ ରୋଗୀଙ୍କ ସମ୍ପର୍କିତଙ୍କ ନିମନ୍ତେ ବିଶ୍ରାମାଗାର ନିର୍ମାଣ ପାଇଁ ସାଂସଦ ଓ ଅନ୍ୟାନ୍ୟ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଉବେଳେ ଏହା ଏଯାବତ୍‌ ଖର୍ଚ୍ଚ ହୋଇନଥିବା ଆବେଦନକାରୀ ଦର୍ଶାଇଛନ୍ତି। ଅନେକ ସମୟରେ ଡାକ୍ତରଖାନା କର୍ମଚାରୀ ଓ ଡାକ୍ତର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେବା ସହ ଅନେକ ରୋଗୀ ସେବା ନପାଇ ମୃତ୍ୟୁବରଣ କରୁଛି। ଏଥିପାଇଁ ଏକ ବିଚାର ବିଭାଗୀୟ କମିଟି ଗଠନ କରାଯିବା ସହ ଏମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ଧ୍ୟାନ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଏହିପରି ଆବେଦନକାରୀ ୧୧ଦଫା ଦାବିକୁ ନେଇ ଆବେଦନପତ୍ରରେ ଦର୍ଶାଇଛନ୍ତି। ସରକାର ଏଥିପ୍ରତି ଉଚିତ ଧ୍ୟାନ ଦେଲେ; ରୋଗୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇବା ସହ ଆଉ ବେସରକାରୀ ଚିକିତ୍ସାଳୟ ଆଡକୁ ଯାଆନ୍ତା ନାହିଁ କି ଅଯଥା ଖର୍ଚ୍ଚାନ୍ତ ହୁଅନ୍ତା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Comments are closed.