ଭାରତରେ ମାତ୍ର ୧୦% ଡାକ୍ତର ସରକାରୀ ଡାକ୍ତରଖାନାକୁ ପସନ୍ଦ କରନ୍ତି

0

ନୂଆଦିଲ୍ଲୀ: ଭାରତରେ ଡାକ୍ତର ସଂଖ୍ୟା ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି। କିନ୍ତୁ ସ୍ୱାସ୍ଥ୍ୟ ସେବା ଜନସାଧାରଣଙ୍କ ନିକଟରେ ଅପହଞ୍ଚ ଥିବା ଅଭିଯୋଗ ଆସୁଛି। ଅଭିଯୋଗ ପଛର କାରଣ ଏବେ ସାମ୍ନାକୁ ଆସିଛି। ଭାରତରେ ଯେତିକି ସଂଖ୍ୟକ ଡାକ୍ତର ପ୍ରତିବର୍ଷ ବାହାରୁଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧୦% ସରକାରୀ ଡାକ୍ତରଖାନାରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ନଥିଲେ ହେଁ ଏଲୋପାଥିକ ଡାକ୍ତରମାନେ ସରକାରୀ ଚାକିରି ପାଇଁ ଅନିଚ୍ଛୁକ ଥିବା ଜଣାପଡ଼ିଛି।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବ୍ୟୁରୋ ପକ୍ଷରୁ ପ୍ରାପ୍ତ ତଥ୍ୟାନୁଯାୟୀ, ଦେଶର ୧୦ ଲକ୍ଷ ୮୦ ହଜାର ପଞ୍ଜିକୃତ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ୧୦ ହଜାର ଅର୍ଥାତ୍‍ ମାତ୍ର ୧୦% ଡାକ୍ତର ସରକାରୀ ଡାକ୍ତରଖାନାରେ ଯୋଗ ଦେଇଛନ୍ତି। ପୁରୁଣା ଉପକରଣ, ଦୁର୍ବଳ ଭିତ୍ତିଭୂମି ଓ କମ୍‍ ଦରମା ହାର ଯୋଗୁଁ ଭାରତରେ ସରକାରୀ ଡାକ୍ତରଖାନା ପ୍ରତି ଡାକ୍ତରମାନେ ଆକୃଷ୍ଟ ହେଉନଥିବା କୁହାଯାଉଛି। ବିଶେଷକରି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ସରକାରୀ ଡାକ୍ତରଖାନାରେ ଡାକ୍ତର ମରୁଡ଼ି ସର୍ବାଧିକ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ତ୍ତ ଅନୁଯାୟୀ, ସରକାରୀ ଭାବେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଅତିକମ୍‍ରେ ଜଣେ ଡାକ୍ତର ରହିବା ନିହାତି ଆବଶ୍ୟକ। ବିହାରରେ ୨୮, ୩୯୧ ଜଣଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ସେହିପରି ଉତ୍ତରପ୍ରଦେଶରେ ପ୍ରତି ୨୦ ହଜାର, ଝାଡ଼ଖଣ୍ଡରେ ପ୍ରତି ୧୮,୫୧୮, ମଧ୍ୟପ୍ରଦେଶରେ ୧୭,୧୯୨, ମହାରାଷ୍ଟ୍ରରେ ୧୭ ହଜାର ଓ କର୍ଣ୍ଣାଟକରେ ୧୩,୫୫୬ ଜଣ ଲୋକଙ୍କ ପିଛା ଜଣେ ଲେଖାଏଁ ସରକାରୀ ଡାକ୍ତର ଅଛନ୍ତି।

Comments
Loading...