ଲାଡେନ୍‌ ସମ୍ପର୍କରେ ସୂଚନା ଦେଇଥିବା ଡାକ୍ତରଙ୍କ ଆମରଣ ଅନଶନ

ଇସଲାମାବାଦ : ଓସାମାବିନ୍‌ ଲାଡେନ୍‌କୁ ଧରାଇଦେବାରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏକୁ ସହାୟତା କରିଥିବା ପାକିସ୍ତାନୀ ଡାକ୍ତର ସକିଲ ଆଫ୍ରିଦି ସମ୍ପ୍ରତି କାରାଗାର କୋଠରିରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ତାଙ୍କ ଓକିଲ ଓ ପରିବାର ପକ୍ଷରୁ ସୋମବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମଇ, ୨୦୧୨ରୁ ପାକିସ୍ତାନ ସରକାର ତାଙ୍କୁ ବନ୍ଦୀ କରିରଖିଛନ୍ତି। ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗରେ ତାଙ୍କୁ ୩୩ ବର୍ଷ କାରାଦଣ୍ଡାଦେଶ ହୋଇଛି। ସେ କେନ୍ଦ୍ରୀୟ ପଞ୍ଜାବର ଏକ କାରାଗାରରେ ବନ୍ଦୀ ଜୀବନ ବିତାଉଥିବାବେଳେ ତାଙ୍କୁ ନାନା ନିର୍ଯାତନା ଦିଆଯାଉଥିବା ଡାକ୍ତର ଆଫ୍ରିଦିଙ୍କ ଭାଇ ଜମିଲ ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ପରିବାରକୁ ମଧ୍ୟ ହଇରାଣ ହରକତ କରାଯାଉଥିବା ଓକିଲ କାମାର ନଦିମ ଅଭିଯୋଗ କରିଛନ୍ତି। କାରାଗାର କର୍ତ୍ତୃପକ୍ଷ ଆଫ୍ରିଦିଙ୍କ ସହିତ ଯୋଗାଯୋଗର ସୁଯୋଗ ଦେଉ ନ ଥିବା ସେ କହିଛନ୍ତି। ଅପରପକ୍ଷରେ ଲାଡେନ୍‌କୁ ଠାବ କରାଇବାର ପ୍ରତିଶୋଧ ସ୍ବରୂପ ଆଫ୍ରିଦିଙ୍କୁ ବନ୍ଦୀ କରି ରଖାଯାଇଛି ବୋଲି ଆମେରିକା ପକ୍ଷରୁ କୁହାଯାଉଛି। ଆଫ୍ରିଦିଙ୍କ ଜାଲ୍‌ ଟିକାକରଣ ଅଭିଯାନ ମାଧ୍ୟମରେ ଲାଡେନ୍‌ର ସ୍ଥିତି ସମ୍ପର୍କରେ ସିଆଇଏକୁ ସୂଚନା ମିଳିଥିଲା।

Comments are closed.