କରୋନାଠୁ ବଳିଗଲାଣି ଡାକ୍ତର ମରୁଡ଼ି ଭୟ, ୨୧୫ ସ୍ଥାନରେ ଅଛନ୍ତି ୧୩୩

ଫୁଲବାଣୀ: କନ୍ଧମାଳ ଜିଲାରେ କରୋନା ଭୟଠାରୁ ବଳିଗଲାଣି ଡାକ୍ତର ମରୁଡ଼ି ଭୟ। ଜିଲାରେ ୨୧୫ ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୩୩ ଜଣ। ଏହାକୁ ନେଇ ସମଗ୍ର ଜିଲାର ଅଧିବାସୀମାନେ ଚିନ୍ତାରେ ଥିବା ବେଳେ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ଏ ଦିଗରେ କୌଣସି ପ୍ରକାର ଗୁରୁତ୍ୱ ନ ଦେବା ମଧ୍ୟ ଚିନ୍ତାରେ ପକାଇଛି ଜିଲାବାସୀଙ୍କୁ। ଗୋଟିଏ ପଟେ କରୋନା ମହାମାରୀ ସମଗ୍ର ବିଶ୍ୱ ବାସୀଙ୍କର ନିଦ ହଜାଇ ଦେଇଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡିଛି। ସମଗ୍ର ଜିଲାରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ବ ଏଥିରେ ଆକ୍ରାନ୍ତ ହୋଇ ସାରିଛନ୍ତି। କେବେ ଟିକା ବାହାରିକ ତାହାକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ କନ୍ଧମାଳ ଜିଲ।।ରେ ଏବେ ଡ଼ାକ୍ତରଙ୍କ ମରୁଡ଼ି ଏହି ଟିକା ଚିନ୍ତାଠାରୁ ଚିକିତ୍ସା ଚିନ୍ତା ଦ୍ୱିଗୁଣିତ କରିଛି। ସାଧାରଣ ରୋଗୀ ମାନେ ଏବେ ତ୍ରାହି ତ୍ରାହି ଡ଼ାକ ଦେଲେଣି। କନ୍ଧମାଳ ଜିଲାରେ କରୋନା ମହାମାରୀ ପୂର୍ବରୁ ବହୁ ଡ଼ାକ୍ତରପଦବି ଖାଲିଥିଲା ଓ ବର୍ତ୍ତମାନ ମଧ୍ୟ ଏହି ସ୍ଥିତି। କେବଳ ଡ଼ାକ୍ତର ନୁହେଁ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ଖାଳିପଡ଼ିଛି। ଏଭଳି ସ୍ଥଳେ ସମଗ୍ର ଜିଲାରେ ଛୋଟ ଠାରୁ ଆରମ୍ଭ କରି ବଡ଼ ଡ଼ାକ୍ତରଖାନା ମାନଙ୍କରେ ଏବେ ଆୟୁଷ ଡ଼ାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି।

ସୂଚନା ପ୍ରକାରେ, ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ବ୍ୟତିତ ବାଲିଗୁଡ଼ା ଠାରେ ରହିଛି ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ। ଏଥି ସହିତ ଜିଲାରେ ରହିଛି ୧୨ ଟି ବ୍ଳକରେ ୧୪ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ୪୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ସବୁ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୨୧୫ ଜଣ ଡ଼ାକ୍ତର ରହିବା କଥା କିନ୍ତୁ ଅଛନ୍ତି ମାତ୍ର ୧୩୩ ଜଣ। ୮୨ଟି ଡ଼ାକ୍ତର ପଦବି ଖାଲି ପଡ଼ିଛି। କରୋନା ପାଇଁ ସାଧାରଣ ରୋଗୀ ଚିକିତ୍ସା ଦେବା ପାଇବା ପାଇଁ ନାନା ସମସ୍ୟା ଭୋଗୁଥିବା ବେଳେ ନୂତନ ଡ଼ାକ୍ତର ନିଯୁୁକ୍ତି ମଧ୍ୟ କିଛି ନାହିଁ। ଜିଲାରେ ୯୫ ଜଣ ବିଶେଷଜ୍ଞ ପଦ ରହିଛି। କିନ୍ତୁ ଅଛନ୍ତି ମାତ୍ର ୨୬ ଜଣ। ୬୯ଟି ବିଶେଷଜ୍ଞ ପଦବି ସଂପୂର୍ଣ୍ଣଭାବେ ଖାଲି ପଡିଛି। ଡ଼ାକ୍ତରପରି ଜିଲାରେ ଫାର୍ମାସିଷ୍ଟ ପଦବି ମଧ୍ୟ ଖାଲି ପଡିଛି। ୮୫ ଟି ଫାର୍ମାସିଷ୍ଟ ପଦବିରୁ ୨୧ ଟି ପଦବି ସଂପୂର୍ଣ୍ଣଭାବେ ଖାଲି ପଡ଼ିଛି। ସେହିଭଳି ୧୮୭ଜଣ ଷ୍ଟାର୍ଫ ନର୍ସଙ୍କ ବଦଳରେ ଅଛନ୍ତି ମାତ୍ର ୬୩ ଜଣ। ୧୨୪ଟି ପଦବି ଖାଲି ପଡ଼ିଛି। ୪୦ଜଣ ଲାବ୍‍ ଟେକନିସିଆନରୁ ଅଛନ୍ତି ମାତ୍ର ୨୫ ଜଣ। ସେହିଭଳି ୨୦୯ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରହିବା ସ୍ଥାନରେ ଅଛନ୍ତି ୧୬୯ଜଣ। ୧୪୧ଯି ମହିଳା ସ୍ୱାସ୍ଥ୍ୟ କର୍ମୀ ପଦବିରୁ ୪୮ଟି ପଦବି ସଂପୂର୍ଣ୍ଣଭାବେ ଖାଲି ପଡ଼ିଚି। କେବଳ ଏହି କର୍ମଚାରୀ ନୁହେଁ, ଜିଲାରେ ଅନ୍ୟାନ୍ୟ ବହୁ ପଦବି ମଧ୍ୟ ଦୀର୍ଘଦିନ ହେଲା ଖାଲି ପଡ଼ିଛି। ତେବେ ଆଗକୁ ଶୀତଦିନ ଆସୁଥିବା ବେଳେ ଏହି ଦିନରେ ମଧ୍ୟ ରାଜ୍ୟ ସରକାର ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦେଉଥିବା ବେଳେ ଏବେ ଡ଼ାକ୍ତର ଅଭାବ ଚିନ୍ତାରେ ପକାଇଛି ସମଗ୍ର ଜିଲାବାସୀଙ୍କୁ। କନ୍ଧମାଳ ଜିଲାର ମଧ୍ୟ ଶୀତର ପ୍ରକୋପ ଅନ୍ୟ ଜିଲା ତୁଳନାରେ ମଧ୍ୟ ବେଶ୍‍ ପ୍ରଭାବ ରହୁଥିବା ଯୋଗୁଁ ଏ ଦିଗରେ ରାଜ୍ୟ ସରକାର ଗୁରୁତ୍ୱର ସହିତ ଗ୍ରହଣ କରି ଜିଲାରେ ତୁରନ୍ତ ଡ଼ାକ୍ତର ପଦବି ଓ ଅନ୍ୟ ଖାଲିଥିବା ପଦବି ପୁରଣ କରିବା ଦିଗରେ ତତ୍ପର ହୋଇ ଉଠିବା ନିତାନ୍ତ ଆବଶ୍ୟକ ହୋଇ ପଡିଛି। ବର୍ତ୍ତମାନ ଜିଲାର ଅନେକ ଉପସ୍ୱାସ୍ଥ୍ୟ କେନ୍ଦ୍ର ଅଛି ଯେଉଁଠେ ଫାର୍ମାସିଷ୍ଟ ସ୍ୱାସ୍ଥକେନ୍ଦ୍ର ଚଳାଉଥିିବା ବେଳେ ଆଉ କେଉଁଠେ ସ୍ୱାସ୍ଥ୍ୟ କର୍ମୀମାନେ ଚଳାଉଛ ଡ଼ାକ୍ତରଖାନା। ଏଭଳି ପରିସ୍ଥିତିରେ ଅନେକ ଅଞ୍ଚଳରେ ସାଧାଣର ଜନତା ଠିକ୍‍ ଭାବେ ସେବା ପାଇବାରୁ ବଂଚିତ ହେଉଥିବା ବେଳେ କର୍ମଚାରୀ ଅଭାବ ଯୋଗୁଁ ଅନେକ ସମୟରେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ମାନେ ଆକ୍ରୋଶର ଶୀକାର ହେଉଥିବାର ମଧ୍ୟ ବହୁ ନଜିର ରହିଛି। ରାଜ୍ୟ ସରକାର ଏ ସବୁକୁ ଦୃଷ୍ଟିଦେଇ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ତୁରନ୍ତ ଡାକ୍ତରୀ ପଦବି ଓ ଅନ୍ୟ ପଦବି ପୁରଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.