ବେଗୁନିଆ ଡାକ୍ତରଖାନାରେ ଡାକ୍ତର କରୋନା ପଜିଟିଭ, ସାନିଟାଇଜେସନ ନହେବା ଯୋଗୁଁ ଖୋଲିପାରୁନି ଡାକ୍ତରଖାନା 

ବେଗୁନିଆ: ବେଗୁନିଆ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଗତକାଲି କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ଡାକ୍ତରଖାନାକୁ ୩୬ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି। କାର୍ଯ୍ୟରତ ଡାକ୍ତର ୩ଦିନ ହେଲା ଥଣ୍ଡା, ଜ୍ୱର ଏବଂ କାଶରେ ଆକ୍ରାନ୍ତ ହୋଇଥିବାବେଳେ ଗତକାଲି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ୱାବ ଟେଷ୍ଟିଙ୍ଗ ସେଣ୍ଟରରେ ଆଣ୍ଟିଜେନ ଟେଷ୍ଟ କରିବା ପରେ ପଜିଟିଭ ଥିବା ଜଣାପଡିଥିଲା। ଡାକ୍ତର ଏବେ ହୋମ ଆଇସୋଲେସନରେ ରହିଥିବା ବେଳେ ଡାକ୍ତରଖାନାକୁ ଗତକାଲି ଅପରାହ୍ନରୁ ବନ୍ଦ କରିଦିଆଯାଇଛି।  ଡାକ୍ତରଖାନାରେ କାର୍ୟ୍ୟରତ ଅନ୍ୟ କର୍ମଚାରୀମାନଙ୍କର ଆରଟିପିସିଆରରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇ ଥିବା ବେଳେ ଆଣ୍ଟିଜେନ ଟେଷ୍ଟରେ ସମସ୍ତଙ୍କର ନେଗେଟିଭ ଥିବାର ଜଣାପଡିଛି। ଗତକାଲିଠାରୁ ବେଗୁନିଆ ବିଡ଼ିଓ ଏବଂ ବୋତଲମା ସିଏଚସିର ଭାରପ୍ରାପ୍ତ ଅଧିକାରୀଙ୍କୁ ମେଡିକାଲ ସାନିଟାଇଜ କରିବା ପାଇଁ ଜଣାଯାଇଥିଲେ ମଧ୍ୟ ଆଜି ସାନିଟାଇଜ ହୋଇପାରିଲା ନାହିଁ। ଆସନ୍ତାକାଲି ମେଡିକାଲ ସାନିଟାଇଜ କରି ସଙ୍ଗେ ସଙ୍ଗେ ମେଡିକାଲ ଖୋଲିବା ସମ୍ଭବ ନୁହେଁ। ତେଣୁ ଆସନ୍ତାକାଲି ମେଡିକାଲ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି।

ପ୍ରକାଶଥାଉ କି, କିଛି ଦିନ ତଳେ ସମ୍ପୃକ୍ତ ମେଡିକାଲର ଏଲଟିଙ୍କର ପଜିଟିଭ ଚି଼ହ୍ନଟ ହେବାପରେ ଡାକ୍ତରଖାନା ବନ୍ଦ ରହିଥିଲେ ମଧ୍ୟ ଡାକ୍ତର କ୍ୱାର୍ଟରରେ ବସି ରୋଗୀ ଦେଖୁଥିଲେ। ମାତ୍ର ଡାକ୍ତର ଏବେ ନିଜେ ସଂକ୍ରମିତ ହୋଇଛନ୍ତି।

Comments are closed.