ଡାକ୍ତରଙ୍କୁ ଚେତାବନୀ, ବଦଳି ସ୍ଥାନରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ସମୟରେ ସରକାରଙ୍କ ପକ୍ଷରୁ କରୋନା ପରିଚାଳନା ପାଇଁ ଡାକ୍ତରମାନଙ୍କୁ ଅସ୍ଥାୟୀ ଭାବେ ବିଭିନ୍ନ କରୋନା ପ୍ରବଣ ଅଞ୍ଚଳରେ ନିୟୋଜିତ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଡାକ୍ତରମାନେ ଏହାକୁ ମାନୁ ନ ଥିବାସୂଚନା ମିଳିଛି। ଏଣିକି ଯେଉଁ ଡାକ୍ତରମାନେ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ବଦଳି ସ୍ଥାନକୁ ନ ଯିବେ ମହାମାରୀ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଭେଷଜ ତାଲିମ ଓ ଶିକ୍ଷା ନିର୍ଦେଶକ ସି. ବି. କେ ମହାନ୍ତି କହିଛନ୍ତି। ଏ ସଂକ୍ରାନ୍ତରେ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

ସେଥିରେ ଶ୍ରୀ ମହାନ୍ତି ଦର୍ଶାଇଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଜିଲା କିମ୍ବା ରାଜ୍ୟ କର୍ତ୍ତୃପକ୍ଷ ଯାହାକୁ ପ୍ରଶାସନିକ ଦାୟିତ୍ବ ଦେବେ ସେ ପରିଚାଳନା ଦାୟିତ୍ବ ସମ୍ଭାଳିବେ। କରୋନା ମହାମାରୀକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କେତେଜଣ ଡାକ୍ତରଙ୍କୁ ବିଭିନ୍ନ ଜିଲାସ୍ତରରେ ନିଯୁକ୍ତି ଲାଗି ବଦଳି କରାଯାଇଛି। ହେଲେ ଡାକ୍ତରମାନେ ସେଠାରେ କାର୍ଯ୍ୟରେ ଯୋଗ ଦେଇ ନ ଥିବା ପରିଲକ୍ଷିତ ହୋଇଛି। କରୋନା ମହାମାରୀର ଏଭଳି କଠିନ ସମୟରେ ଡାକ୍ତରମାନେ ଲୋକଙ୍କ ସ୍ବାର୍ଥକୁ ଉପେକ୍ଷା କରୁଛନ୍ତି, ଯାହା ଆଦୌ ଗହଣୀୟ ନୁହେଁ ବୋଲି ସେ ଦର୍ଶାଇଛନ୍ତି।

Comments are closed.