ଧୋକା ଦେଇ ଡାକ୍ତର ହେଲେ ୪୯ ପିଲାର ବାପା

ନୂଆଦିଲ୍ଲୀ : ଜଣେ ଡାକ୍ତର ଧୋକା ଦେଇ ୪୯ ପିଲାର ବାପା ହୋଇଛନ୍ତି। ତାଙ୍କ ମୃତ୍ୟୁ ପରେ ଏହି ଘଟଣା ପଦାକୁ ଆସିଛି। ଏହି ଖବର ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବିଶ୍ୱସନୀୟତା ବ୍ୟବଧାନକୁ ବଢାଇବ ବୋଲି ଆଶଙ୍କା କରାଯାଉଛି। କେତେକ ସମୟରେ ମହିଳାମାନେ ଇନ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଉପାୟରେ ମା’ ହେବାର ଖୁସି ହାସଲ କରିଥାନ୍ତି। ଏଥିରେ ଶୁକ୍ରାଣୁ (ସ୍ପର୍ମ) ଡୋନର ମାଧ୍ୟମରେ ମହିଳାଙ୍କୁ ଗର୍ଭବତୀ କରାଯାଇଥାଏ। ତେବେ ନେଦରଲାଣ୍ଡର ଜଣେ ଡାକ୍ତର ଆଇଭିଏଫ କେନ୍ଦ୍ରରେ ମହିଳାଙ୍କୁ ଧୋକା ଦେଇ ୪୯ ଜଣ ପିଲାଙ୍କ ବାପା ହୋଇଛନ୍ତି।
ସୂଚନା ଅନୁସାରେ ନେଦରଲାଣ୍ଡର ଜନ କର୍ବଟ ନାମକ ଜଣେ ଡାକ୍ତର ‘ଡିଫେନ୍ସ ଫର ଚିଲ୍ଡ୍ରେନ୍ସ’ ନାମକ ଏକ ଆଇଭିଏଫ କେନ୍ଦ୍ର ଖୋଲିଥିଲେ। ସେଠାରେ ସେ ପ୍ରାୟ ସମୟ ସ୍ପର୍ମ ଡୋନରଙ୍କ ସ୍ପର୍ମ ବଦଳାଇ ନିଜ ସ୍ପର୍ମ ବ୍ୟବହାର କରୁଥିଲେ। ତାଙ୍କ ସ୍ପର୍ମ ଦ୍ୱାରା ସେ ମହିଳାଙ୍କୁ ଗର୍ଭବତୀ କରାଉଥିଲେ। ୨୦୦୯ରେ ତାଙ୍କ ଡାକ୍ତରଖାନାରେ କେତେକ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଥିଲା। ଏହି ମାମଲା କୋର୍ଟରେ ବିଚାରଧୀନ ଥିବାବେଳେ ୨୦୧୭ରେ ୮୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜ ମୃତ୍ୟୁ ପୂର୍ବରୁ କର୍ବଟ ସ୍ୱୀକାର କରିଥିଲେ ଯେ ସେ ୬୦ ପିଲାଙ୍କ ବାପା। କୋର୍ଟ ଗତ ଫେବୃଆରୀ ମାସରେ ଉକ୍ତ ଆଇଭିଏଫ କେନ୍ଦ୍ରରୁ ଜନ୍ମ ହୋଇଥିବା ପିଲା ଓ କର୍ବଟଙ୍କ ଡିଏନ୍‍ ମିଶାଇବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ଗତ ଅପ୍ରେଲ ୧୨ରେ ଡାକ୍ତର କର୍ବଟଙ୍କ ଡିଏନ୍‍ ପରୀକ୍ଷା କରାଯାଇଥିଲା। ଏଥିରୁ ସେ ୪୯ ପିଲାଙ୍କର ବାପା ଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କୋର୍ଟଙ୍କ ନିର୍ଦେଶରେ ଏହି ତଥ୍ୟ ସାର୍ବଜନୀନ କରାଯାଇଛି।

Comments are closed.