ଉତ୍ତରବାହିନୀ ଓ ସିଦ୍ଧେଶ୍ବରରେ ଅଶୋକାଷ୍ଟମୀ ଯାତ୍ରା

ଦୋବଲ: ଭଦ୍ରକ ଓ ଯାଜପୁର ଜିଲା ସୀମା ତଥା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ଉତ୍ତରବାହିନୀ ନିକଟ ବୈତରଣୀ କୂଳରେ ଅଶୋକାଷ୍ଟମୀ ଯାତ୍ରା ଆରମ୍ଭ ହୋଇଛି। ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତର ସିଦ୍ଧେଶ୍ବରଠାରେ ପୁଣି ଏଥର ଯାତ୍ରା ନୂଆ ରୂପରେ ଆରମ୍ଭ ହୋଇଛି। ୨୦୨୦ ଓ ୨୦୨୧ରେ କରୋନା ମହାମାରୀ କଟକଣା ଯୋଗୁଁ ଯାତ୍ରା ଆୟୋଜନରେ ରୋକ ଲାଗିଥିଲା। ଏଥର କରୋନା ସଂକ୍ରମଣ କମିବା ଓ କୋଭିଡ୍ କଟକଣା ପ୍ରତ୍ୟାହାର ହେବା ପରେ ପ୍ରଶାସନ ଅନୁମତି ଦେଇଥିବାରୁ ଅଶୋକାଷ୍ଟମୀ ଯାତ୍ରା କମିଟି ପୁଣି ଆୟୋଜନ କରିଛି ଯାତ୍ରା। ଦୁଇ ଜିଲାକୁ ବୈତରଣୀ ଏଠାରେ ଭାଗ କରୁଥିଲେ ବି ଯାତ୍ରା ଉଭୟ ଜିଲାର ସୀମା ଅଞ୍ଚଳରେ ପାଳନ ହେଉଛି। ନଦୀର ଗୋଟିଏ ପଟେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଆୟୋଜନ କରିଥିବାବେଳେ ଏପଟେ ଭଦ୍ରକ ଜିଲାର ଧାମନଗର ବ୍ଲକ ପ୍ରଶାସନ ଯାତ୍ରା ଆୟୋଜନ ପାଇଁ ପଦକ୍ଷେପ ନେଇଛି। ମୂଳ ଯାତ୍ରା ଯାଜପୁର ଜିଲା ସୀମାରେ ସିଦ୍ଧେଶ୍ବର ମନ୍ଦିର ପାଖରେ ହେଉଛି।
ଦୁଇ ବର୍ଷ ପରେ ଯାତ୍ରା ହେଉଥିବାରୁ ଜିଲା ପ୍ରଶାସନର ସହଯୋଗରେ ଯାତ୍ରା କମିଟି ଅନେକ ପଦକ୍ଷେପ ନେଇଛି। ଯାତ୍ରାକୁ ଯେପରି ଆକର୍ଷଣୀୟ କରିହେବ, ସେଥିଲାଗି ବିଶେଷ ଧ୍ୟାନ ଦିଆଯାଇଛି। ଦଶରଥପୁର ତହସିଲଦାର, ତଳିହା ସରପଞ୍ଚ ଓ ଦଶରଥପୁର ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ୧୫ ଦିନ ପୂର୍ବରୁ ପ୍ରସ୍ତୁତି କାର୍ୟ୍ୟ କରାଯାଇଥିଲା। ଯାତ୍ରା ପଡ଼ିଆକୁ ରାସ୍ତା ନିର୍ମାଣ, ପାନୀୟ ଜଳ ସଂଯୋଗ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇଛି। ଏହାସହ ଷ୍ଟଲ ପକାଇବାକୁ ଆସିଥିବା ବ୍ୟବସାୟୀଙ୍କୁ ଜାଗା ଆବଣ୍ଟନ କରାଯାଇଥିଲା। ଏଥର ପାଖାପାଖି ୨୪୦ଟି ଷ୍ଟଲ ପଡ଼ିଛି। ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ, ହରେକମାଲ୍, ଜଳଖିଆ, ଫାଷ୍ଟଫୁଡ୍ ଦୋକାନ ସବୁ ପଡ଼ିଛି।

ସେହିପରି ଭଦ୍ରକ ପଟେ ଉତ୍ତରବାହିନୀ ପଡ଼ିଆରେ ଚଣା ମଟର, ତରଭୂଜ ଆଦି ଫଳ ଦୋକାନ, ଝାଡୁ, ଲୁହାଲତା ଦୋକାନମାନ ପଡ଼ିଛି। ବୈତରଣୀ ନଦୀରେ ପାଣି ନଥିବାରୁ ଭଦ୍ରକ ପଟୁ ଲୋକେ ପଣସମାହାରା ଘାଟ ପାରହୋଇ ଯାଉଥିବା ବେଳେ ଆଉ କିଛି ସିଦ୍ଧେଶ୍ବର ମନ୍ଦିର ଉପର ପଟେ ନଦୀ ପାର ହେଉଥିବା ଦେଖିବାକୁ ମିଳିଥିଲା। ତେବେ ହାତିଢିଅ ଛକ ପାଖରେ ହୋଇଥିବା ବୈତରଣୀ ନଦୀ ପୋଲ ଦେଇ ଅଧିକ ଯାତ୍ରୀ ମେଳାକୁ ଯାଉଥିଲେ।
ବର୍ଷ ବର୍ଷ ଧରି ଚାଲି ଆସିଥିବା ମେଳା ପାଇଁ ଆନନ୍ଦପୁର ପଞ୍ଚାୟତବାସୀଙ୍କ ମଧ୍ୟରେ ଏଥର ଅନେକ ଉତ୍ସାହ ରହିଛି। ତିନି ଦିନିଆ ଯାତ୍ରା ପାଇଁ ଆନନ୍ଦପୁର ଛକରେ ବିଭିନ୍ନ ସଂଗଠନ ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଯାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ ମଧ୍ୟ କରାଯାଇଛି।

Comments are closed.