ଅନ୍‌ଲାଇନ୍‌ରେ ଡିଏଲ୍‌, ଏଲ୍‌ଏଲ୍‌ ଦେୟ ପୈଠ : ବଡ଼ ସହରକୁ ପଛରେ ପକାଇଲେ ଉପାନ୍ତ ଜିଲା

ଅଗଷ୍ଟରୁ ଜାନୁଆରୀ ମଧ୍ୟରେ ବଢ଼ିଲା ୯୦% ଟିକସ ସଂଗ୍ରହରେ ଭୁବନେଶ୍ବର ଆଗୁଆ

ଭୁବନେଶ୍ବର : ସମୟର ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ କାମ ପାଇଁ ଅନ୍‌ଲାଇନ୍ ମାଧ୍ୟମର ବ୍ୟବହାର ଅନେକ ବୃଦ୍ଧି ପାଇଛି। ଏଥିରେ ପରିବହନ ବିଭାଗ ପଛରେ ନାହିଁ। ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବା ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ଦେୟ ପୈଠ ପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇସାରିଛି। ତେବେ ଅନ୍‌ଲାଇନ୍ ପ୍ଲାଟଫର୍ମ ବ୍ୟବହାରରେ ଉପାନ୍ତ ଜିଲାର ଆରଟିଓ ଶତପ୍ରତିଶତ ସଫଳତା ହାସଲ କରୁଥିବା ବେଳେ ଭୁବନେଶ୍ବର, ରାଉରକେଲା ଭଳି ସ୍ମାର୍ଟସିଟି ବହୁ ପଛରେ ଅଛନ୍ତି। ବଡ଼ ସହରର ଲୋକେ ଆଜି ବି ଆରଟିଓ କାଉଣ୍ଟରରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଦେୟ ପୈଠ କରିବାକୁ ଉଚିତ ମଣୁଛନ୍ତି। ଅନ୍‌ଲାଇନ୍‌ରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଓ ଲର୍ଣ୍ଣର୍ ଲାଇସେନ୍ସ (ଏଲ୍‌ଏଲ୍‌) ଦେୟ ପୈଠ କରିବାରେ ଗଜପତି ଜିଲା ଶତପ୍ରତିଶତ ସଫଳତା ହାସଲ କରିବା ବେଳେ ଏହାଠାରୁ ସାମାନ୍ୟ ପଛରେ ରହିଛନ୍ତି ନୂଆପଡ଼ା ଓ ନବରଙ୍ଗପୁର ଜିଲା।

ଲର୍ଣ୍ଣର ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ସମେତ ପରିବହନ ବିଭାଗର ଅନେକ କାମ ପାଇଁ ସାରଥି ୱେବ୍‌ସାଇଟ୍ ଜରିଆରେ ଅନ୍‌ଲାଇନ୍‌ରେ ଦେୟ ପୈଠ ବ୍ୟବସ୍ଥା କରାଯାଇଛି। ତେବେ ଆରଟିଓରେ କାମ ପାଇଁ ନିଯୁକ୍ତ ହୋଇଥିବା ଘରୋଇ ସଂସ୍ଥାର ଦେୟ ପୈଠ କରିବା ପାଇଁ ଆରଟିଓକୁ ଯିବା ଜରୁରୀ ଥିଲା। କିନ୍ତୁ ଗତମାସରୁ ଘରୋଇ ସେବା ପ୍ରଦାନକାରୀ ସଂସ୍ଥାର ଦେୟ ପୈଠକୁ ମଧ୍ୟ ଅନ୍‌ଲାଇନ୍ କରାଯାଇଛି। ଆରଟିଓ କାଉଣ୍ଟରରେ ସମସ୍ତ ଦେୟ ପୈଠ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଲକ୍ଷ୍ୟ ରହିଛି। ଅଗଷ୍ଟ ମାସରେ ଅନ୍‌ଲାଇନ୍‌ରେ ଡିଏଲ୍‌ ଓ ଏଲ୍‌ଏଲ୍‌ ଦେୟ ପୈଠ ହାର ମାତ୍ର ୭.୬୮ ପ୍ରତିଶତ ଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହା ୬୦ ପ୍ରତିଶତରେ ପହଞ୍ଚିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ମାର୍ଟସିଟି ଭୁବନେଶ୍ବର ଓ ରାଉରକେଲା ସମେତ ଅନ୍ୟ ବଡ଼ ସହରକୁ ପଛରେ ପକାଇ ଗଜପତି, ନୂଆପଡ଼ା ଓ ନବରଙ୍ଗପୁର ଜିଲାରେ ଅନ୍‌ଲାଇନ୍ ଦେୟ ପୈଠ ହାର ବେଶ୍‌ ଅଧିକ ରହିଛି। ଡିସେମ୍ବର ମାସରେ ଡିଏଲ୍‌ ଓ ଏଲ୍‌ଏଲ୍‌ ଦେୟ ପୈଠ ହାର ୯୯.୧ ପ୍ରତିଶତ ସହିତ ନୂଆପଡ଼ା ଜିଲା ଶୀର୍ଷରେ ଥିବା ବେଳେ ନବରଙ୍ଗପୁର (୯୭.୪%) ଏବଂ ଗଜପତି (୯୬.୬%) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲା। ତେବେ ଜାନୁଆରୀ ମାସରେ ଗଜପତି ଆରଟିଓ ୧୦୦ ପ୍ରତିଶତ ସଫଳତା ହାସଲ କରିଛି। ଏହା ପଛକୁ ନୂଆପଡ଼ା ଆରଟିଓ ୯୯.୭୬ ପ୍ରତିଶତ ଏବଂ ନବରଙ୍ଗପୁର ୯୮ ପ୍ରତିଶତ ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଏବେ ବିଭିନ୍ନ ସେବା ସମ୍ପର୍କିତ ଦେୟ ପୈଠ ପାଇଁ ଆରଟିଓକୁ ଆସି କାଉଣ୍ଟର ଆଗରେ ଛିଡ଼ା ହେବା ଆବଶ୍ୟକ ନାହିଁ। ସେଥିପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଅନ୍‌ଲାଇନ୍ ଦେୟ ପୈଠରେ ନୂଆପଡ଼ା, ଗଜପତି ଓ ନବରଙ୍ଗପୁର ଆରଟିଓ ସଫଳତା ପାଉବା ଉତ୍ସାହଜନକ। ଅନ୍ୟ ପ୍ରମୁଖ ସହରମାନଙ୍କରେ ଲୋକେ ଅନ୍‌ଲାଇନ୍ ବ୍ୟବସ୍ଥାର ଅଧିକ ବ୍ୟବହାର କରିବା ଉଚିତ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ ଜାନୁଆରୀ ମାସରେ ଅନ୍‌ଲାଇନ୍‌ରେ ବିଭିନ୍ନ ଟିକସ ସଂଗ୍ରହରେ ୮୮.୩୨% ସହ ଭୁବନେଶ୍ବର ଆରଟିଓ-୨ ପ୍ରଥମ ସ୍ଥାନରେ ଥିବା ବେଳେ ଯାଜପୁର (୮୮.୧୬%) ଦ୍ବିତୀୟ ଏବଂ ଭୁବନେଶ୍ବର ଆରଟି-୧ (୮୫.୨୭%) ତୃତୀୟ ସ୍ଥାନରେ ରହିଛନ୍ତି। ଡିଏଲ୍ ଓ ଏଲ୍‌ଏଲ୍ ଦେୟ ସଂଗ୍ରହରେ ଶତପ୍ରତିଶତ ସଫଳତା ପାଇଥିବା ଗଜପତି ଆରଟିଓ ୫୫.୫୨% ସହ ୩୩ ନମ୍ବର ସ୍ଥାନରେ ରହିଛି।

Comments are closed.