ଢେଙ୍କାନାଳ : କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟଣା, ୪ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ମୂଳକ ସହାୟତା ଘୋଷଣା

ଢେଙ୍କାନାଳ: ଢେଙ୍କାନାଳର ଅଳସୁଆ ହାଟରେ ରବିବାର ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ମୂଳକ ସହାୟତା ରାଶି ଘେଷଣା କରିଛନ୍ତି। ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିରୁ ଏହି ସହାୟତା ଅର୍ଥ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଢେଙ୍କାନାଳ ଅଳଆ ହାଟରେ ରବିବାର ସକାଳେ ଏକ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ନିକଟ ଡାକ୍ତରଖାନାକୁ ପଠାଯାଇଛି। ରାଇସ୍‌ ମିଲ ପାଚେରୀ ପାଖରେ ହାଟ ବସିଥିବାବେଳେ ବ୍ୟବସାୟୀଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏପରି ଅଘଟଣ ଘଟିଥିଲା । କାନ୍ଥ ତଳେ କିଛି ଗାଡ଼ିମୋଟର ଚାପି ହୋଇ ନଷ୍ଟ ହୋଇଯାଇଛି ।ରବିବାର ହାଟ ଥିବାରୁ ସକାଳୁ ସକାଳୁ ବ୍ୟବସାୟୀମାନେ ବେପାର କରିବାକୁ ହାଟକୁ ଆସିଥିଲେ। ଆଉ କିଛି ବ୍ୟବସାୟୀ ସକାଳୁ ହାଟରେ ବସି ବେପାର କରୁଥିଲେ। ନିକଟରେ ଥିବା ରାଇସ ମିଲ୍‌ଟି ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ତାହାର ପାଚେରୀ କାନ୍ଥ ନିକଟରେ ବ୍ୟବସାୟୀମାନେ ବସିଥିଲେ। କାନ୍ଥଟି ଦୁର୍ବଳ ଥିବାରୁ ହଠାତ୍‌ ତାହା ଭୁଶୁଡ଼ି ପଡ଼ିଥିଲା। କାନ୍ଥ କଡରେ ବସିଥିବା ବ୍ୟବସାୟୀ ଏବଂ କିଛି ଗ୍ରାହକ କାନ୍ଥ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କାନ୍ଥ ତଳୁ ଲୋକଙ୍କୁ ବାହାର କରି ହସ୍ପିଟାଲ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ଚାଲିଛି।

Comments are closed.