ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କଲା ଇଡ଼ି; ଶିବକୁମାରଙ୍କର ଅଛି ୩୧୭ଟି ବ୍ୟାଙ୍କ ଆକାଉଣ୍ଟ

୨୦୦ କୋଟିରୁ ଊର୍ଦ୍ଧ୍ବ ହିସାବ ନଥିବା ଟଙ୍କା

0

ବେଙ୍ଗାଲୁରୁ : ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛି। ଇଡି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ ଶିବକୁମାରଙ୍କ ନାମରେ ୨୦ଟି ବ୍ୟାଙ୍କରେ ୩୧୭ଟି ଆକାଉଣ୍ଟରେ ୨୦୦ କୋଟିରୁ ଊର୍ଦ୍ଧ୍ବ ହିସାବ ନଥିବା ଟଙ୍କା ରହିଛି। ତେବେ ଇଡି ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ପ୍ରଘଟ କରିବାକୁ ମନା କରିଛି। ଏହାପରେ ଶିବ କୁମାରଙ୍କୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଇଡ଼ିର ରିମାଣ୍ଡକୁ ପଠାଇ ଦିଆଯାଇଛି।

ପ୍ରକାଶ ଯେ ଯେ ୧୦୮ କୋଟି ଟଙ୍କାର ମାଲିକାଣୀ ଶିବକୁମାରଙ୍କ ୨୨ ବର୍ଷୀୟା ଝିଅ ଐଶ୍ୱର୍ଯ୍ୟାଙ୍କୁ ଇଡ଼ି ପଚରାଉଚୁରା କରୁଛି। ଇଡ଼ି ଦାବି କରିଛି ଯେ ଡିକେ ଶିବକୁମାରଙ୍କ ୮୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ରହିଛି। ଏହା ପୂର୍ବରୁ ୨୦୧୭ରେ ଆୟକର ବିଭାଗ ଦାବି କରିଥିଲେ ଯେ ଶିବକୁମାରଙ୍କ ହିସାବ ନଥିବା ୪୨୯ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡ଼ି ତଦନ୍ତରୁ ଏଭଳି ୧୦୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଥିବା ଜଣାପଡିଛି। ଇଡ଼ି ପାଖରେ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଏବଂ ସମ୍ପତ୍ତି ସମ୍ପର୍କିତ ତଥ୍ୟ ରହିଛି।
ପ୍ରକାଶ ଯେ ବେଆଇନ ଅର୍ଥ କାରବାର ଅଭିଯୋଗରେ ସେପ୍ଟେମ୍ବର ୩ରେ ଇଡ଼ି ଶିବକୁମାରଙ୍କୁ ଗିରଫ କରିଥିଲା। ଏହାପରେ ଇଡ଼ି ତାଙ୍କୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା। ଏହି ଅବଧି ମଧ୍ୟରେ ଇଡ଼ି ତାଙ୍କୁ ପ୍ରାୟ ୧୦୦ ଘଣ୍ଟା ଜେରା କରିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ଓ ପୁନଃ ୪ ଦିନ ପାଇଁ ରିମାଣ୍ଡରେ ନେଇଛି।

Leave A Reply